ଆଜି ପୁରୀରେ ଅନୁଷ୍ଠିତ ହେବ ଗୋସାଣୀ ଉତ୍ସବ,୫୦ରୁ ଉର୍ଦ୍ଧ୍ବ ମୂର୍ତ୍ତି ମେଳଣରେ ସାମିଲ

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋସାଣୀ ଉତ୍ସବ। ବିଧି ଓ ପରମ୍ପରା ଅନୁଯାୟୀ ଦଶମୀ ତିଥି ଠାରୁ ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ମନ୍ତ୍ର ମେଲାଣି ଦିଆସରିଥାଏ । ପରେ ଏକାଦଶୀରେ ଅର୍ଥାତ ଆଜି ସିଂହଦ୍ୱାର ଠାରେ ଦେବୀସଭା ଚିହ୍ନିତ ସ୍ଥାନରେ ସମସ୍ତ ମୃଣ୍ମୟୀ ଗୋଶାଣୀ ମୂର୍ତ୍ତି ସହ,ସଂପାତି, ବୁଢାବୁଢ଼ୀ,ହନୁମାନ,ନାଗା ଆଦି ମୂର୍ତ୍ତି ମାନ ଏକତ୍ରିତ ହୋଇଥାନ୍ତି ।
ଏକାଦଶୀରେ ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ମହାଦୀପ ଉଠିଲା ପରେ କଡା ସୁରକ୍ଷା ମଧ୍ୟରେ ଶ୍ରୀସେତୁ ନିକଟ ଅସ୍ଥାୟୀ ପୋଖରୀରେ ବିସର୍ଜନ ପାଇଁ ମେଲାଣି ନେଇଥାନ୍ତି ।
ଦିନ ୧୨ଟାରୁ ସିଂହଦ୍ବାର ସମ୍ମୁଖରେ ସମସ୍ତ ଗୋଷାଣୀ ମାନଙ୍କୁ ଏକତ୍ରିତ କରାଯିବ । ବିସର୍ଜନ ସ୍ଥଳରେ ଆଲୋକ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା, ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ଗୋସାଣୀ ଯାତ୍ରା ଚାଲୁରହିବ । ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମୂର୍ତ୍ତି ଏହି ମେଳଣରେ ସାମିଲ ହୋଇଥିବା ବେଳେ ବୀରତ୍ୱର ପ୍ରତୀକ ନାଗାମୂର୍ତ୍ତି ମୁଖ୍ୟ ଆକର୍ଷଣ ସାଜିବ।