ରାଜ୍ୟ

ପ୍ରମେୟ, ନ୍ୟୁଜ୍‌-୭ର ନୂଆଁଖାଇ ସମ୍ମାନ ସମାରୋହ, ‘ଲୁକ୍କାୟିତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ହିଁ ନିଆରା ପ୍ରୟାସ’

ରାଉରକେଲା,୨୩/୦୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଅଧିକାଂଶ କାର୍ଯ୍ୟକ୍ରମ ଭୋଜିଭାତ ଏବଂ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟରେ ସୀମିତ ରହିଥାଏ । ହେଲେ, ସୁନ୍ଦରଗଡ଼ ସହରରେ ଗତବର୍ଷ ଠାରୁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ପକ୍ଷରୁ ଭିନ୍ନ ଢଙ୍ଗରେ ନୂଆଁଖାଇ ସମ୍ମାନ ସମାରୋହ ପାଳନ କରାଯାଉଛି । ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ମଞ୍ଚରେ ସମ୍ମାନିତ କରାଯାଉଛି ।

ଏହା ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ବାସ୍ତବିକ୍ ନିଆରା ପ୍ରୟାସ ବୋଲି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ସଂସ୍କୃତି ଭବନରେ ରବିବାର ସନ୍ଧ୍ୟାରେ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ପକ୍ଷରୁ ଆୟୋଜିତ ନୂଆଁଖାଇ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗଣମାଧ୍ୟମ ସମେତ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ହିତକଳ୍ପେ ରହୁଥିବା ଅବଦାନ ଦ୍ୱାରା ରାଜ୍ୟରେ ବହୁ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି ବୋଲି କହିଥିଲେ । କେବଳ ଶିକ୍ଷା ଓ ସ୍ୱାସ୍ଥ୍ୟ ନୁହେଁ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ନିରପେକ୍ଷତା ଅବଲମ୍ବନ କରି ସମାଜକୁ ଦିଗ୍ଦର୍ଶନ ପାଇଁ ମଧ୍ୟ ତାଙ୍କ ଉଦ୍ୟମ ଜାରୀ ରହିଛି । ଏହିପରି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟୋଜନ ଦ୍ୱାରା ପ୍ରତିଭାଙ୍କୁ ଚିହ୍ନଟ ସହ ସମାଜ ସମ୍ମୁଖକୁ ଆଣିବାକୁ ଉଦ୍ୟମ କରାଯିବା ଉପରେ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ପିଡବ୍ଲ୍ୟୁଡି ଅଧୀକ୍ଷଣ ଯନ୍ତ୍ରୀ ଇଂ. ନାରାୟଣ ପଟେଲ କହିଲେ, ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବକୁ ପ୍ରତିବର୍ଷ ପଶ୍ଚିମ ଓଡ଼ିଶାବାସୀ ପାଳନ କରିଥାନ୍ତି । ଏହି ପର୍ବରେ ଯିଏ ଯେଉଁଠି କାର୍ଯ୍ୟରତ ରହିଥାନ୍ତି ସେମାନେ ନିଜ ମାତୃଭୂମିକୁ ଆସି ଏକତ୍ରିତ ହୋଇଥାନ୍ତି । ଏହା ବର୍ତ୍ତମାନ କେବଳ ପଶ୍ଚିମ ଓଡ଼ିଶା ବା ଆଖପାଖରେ ସୀମିତ ନରହି ବ୍ୟାପକ ହେବାରେ ଲାଗିଛି । ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ଦାସ କହିଲେ, ନୂଆଁଖାଇ ବର୍ତ୍ତମାନ ଆଉ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହିନାହିଁ ।

ଏହାର ମୂଳମନ୍ତ୍ର ଆଜି ବିଶ୍ୱ ଦରବାରରେ ଆଦୃତ । ଭାଇଚାରା, ସଂସ୍କୃତି, ପରମ୍ପରା, ବଡ଼ଙ୍କୁ ସମ୍ମାନ, ସମସ୍ତଙ୍କର ମିଳନ ହେଉଛି ନୂଆଁଖାଇ । ବର୍ତ୍ତମାନ ସମସ୍ତଙ୍କ ସହଯୋଗ ଯୋଗୁଁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ଏବେ ଅଗ୍ରଣୀଙ୍କ ଠାରୁ ଆଗରେ ରହିଛି । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭାଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବା ପାଇଁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ତାର ପ୍ରୟାସ ଜାରି ରଖିଛି ।

‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିଛନ୍ତି । ସମାଜ ପାଇଁ କିଛି କରିବା ସଂକଳ୍ପ ସହ ଗଣମାଧ୍ୟମ କ୍ଷେତ୍ରକୁ ଡ. ନାୟକ ଆସିଛନ୍ତି । ‘ପ୍ରମେୟ’ ଏବଂ ‘ନ୍ୟୁଜ୍୭’ କେବଳ ଖବର ପ୍ରଚାର ପ୍ରସାରରେ ସୀମିତ ରହିନାହିଁ । ରାଜ୍ୟର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମ୍ମାନିତ କରିବାର ସଂକଳ୍ପ ମଧ୍ୟ ନେଇଛି । ସମସ୍ତଙ୍କ ସହଯୋଗ ଆମକୁ ଆହୁରି ଆଗକୁ ନେବାରେ ସହଯୋଗ କରିବ ବୋଲି ଶ୍ରୀ ଦାସ କହିଛନ୍ତି । ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ଗ୍ରୁପ୍ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କହିଲେ, ‘ପ୍ରମେୟ’ ଏବଂ ‘ନ୍ୟୁଜ୍୭’ ଶିକ୍ଷା ଓ ଅନୁସନ୍ଧାନର ଏକ ଅଂଶ ।

‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରିଛନ୍ତି । ତାଙ୍କ ମାର୍ଗଦର୍ଶନରୁ ଅନୁପ୍ରାଣିତ ହୋଇ ପ୍ରତିଭାଙ୍କୁ ସମ୍ମାନିତ କରିବା ପରି କାର୍ଯ୍ୟକ୍ରମ ଆମେ କରୁଛୁ । ବର୍ତ୍ତମାନ ଗଣମାଧ୍ୟମ କହିଲେ ଛାପା, ଟିଭି ଏବଂ ଡିଜିଟାଲ ମାଧ୍ୟମ ରହିଛି । ବର୍ତ୍ତମାନ ‘ପ୍ରମେୟ’ ପ୍ରତିଦିନ ୪ ଲକ୍ଷ ୬୦ ହଜାର ବିତରଣ ହେବା ସହ ରାଜ୍ୟରେ ଏକ ନମ୍ବର ଖବରକାଗଜର ମାନ୍ୟତା ପାଇଛି । ସେହିପରି ‘ନ୍ୟୁଜ୍-୭’ ମଧ୍ୟ ନିରପେକ୍ଷ ଖବର ପ୍ରସାରଣରେ ନିଜର ପ୍ରତିଷ୍ଠା ଲାଭ କରିପାରିଛି । ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ର ଡିଜିଟାଲ ପ୍ଲାଟ୍ଫର୍ମ ମଧ୍ୟ ରହିଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କ ସହ ସିଧାସଳଖ ଯୋଗାଯୋଗ କରି ପାରିବା । ‘ପ୍ରମେୟ’ରେ ମାଟ୍ରିକ୍ ଗାଇଡ୍ ପ୍ରକାଶିତ ହେଉଛି । ଏହି ଗାଇଡ୍କୁ ଅନୁସରଣ କରି ବହୁ ମାଟ୍ରିକ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରୁଛନ୍ତି । କେବଳ ସେତିକି ନୁହେଁ ଟପ୍ ୧୦୦ ଛାତ୍ରଛାତ୍ରୀଙ୍କୁ ମଧ୍ୟ ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ପକ୍ଷରୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ଉତ୍ସାହିତ କରାଯାଉଛି । ସେହିପରି ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ପକ୍ଷରୁ ‘ୱିମେନ୍ ଆଚିଭର୍ସ’, ‘ଉଦ୍ୟୋଗ ଉର୍ଜା’, ‘କୃଷକ କୃଷି ସମ୍ମାନ’ ଓ ‘ରିଟେଲ ଆଇକନ୍’ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଜରିଆରେ ସମ୍ପୃକ୍ତ କ୍ଷେତ୍ରର ଉତ୍ତମ ପ୍ରଦର୍ଶନକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆସୁଛି । ‘ପ୍ରମେୟ’ ଏବଂ ‘ନ୍ୟୁଜ୍-୭’ ପକ୍ଷରୁ ପ୍ରତିଭାଙ୍କୁ ଖୋଜି ଲୋକଲୋଚନକୁ ଆଣିବା ସହ ଆଜିର ଯୁବପିଢିଙ୍କୁ ଅନୁପ୍ରାଣିତ କରି ସମାଜ ପାଇଁ କିଛି କରିବାର ପ୍ରେରଣା ଦେବା ଉଦ୍ଦେଶ୍ୟରେ ବହୁ କାର୍ଯ୍ୟକ୍ରମ କରାଯାଉଛି ।

ସୁନ୍ଦର ସହର ସୁନ୍ଦରଗଡ଼ର ସହରବାସୀଙ୍କ ମନ ମଧ୍ୟ ସୁନ୍ଦର । ସୁନ୍ଦରଗଡ଼ ଜିଲ୍ଲା ହକି, କଳକାରଖାନା, କଳାକୃତି, ବ୍ୟବସାୟ, ସଂସ୍କୃତି ଆଦି କ୍ଷେତ୍ରରେ ନମ୍ବର-୧ ଅଟେ । ଏଣୁ ଆମ ମନରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନ ନମ୍ବର-୧ ଭାବେ ରହିଛି । ରାଉରକେଲା ‘ପ୍ରମେୟ’ ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ‘ପ୍ରମେୟ’ ଏବଂ ‘ନ୍ୟୁଜ୍୭’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଦିଗଦର୍ଶନ ଓ ପ୍ରେରଣା ଯୋଗୁଁ ଆମେ ସମସ୍ତ ସଫଳ କାର୍ଯ୍ୟକ୍ରମ କରିପାରୁଛୁ ବୋଲି କହିଥିଲେ। ବିଭିନ୍ନ ଉଲ୍ଳେଖନୀୟ କାର୍ଯ୍ୟ ଲାଗି ସୁନ୍ଦରଗଡ଼ ସହର ପାଇଁ ଗୌରବ ଆଣିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତିପାଦିତ କରିଥିବାରୁ ବ୍ୟକ୍ତିଗତ ଭାବେ ଭୂପେନ୍ଦ୍ର ଅମାତ, ସସ୍ମିତା ସାହୁ, ସଚ୍ଚିନ୍ଦ୍ର କେର୍କେଟା, ଦୁର୍ଗାମାଧବ ନାଏକ, ଲଳିନ୍ଦ୍ର ଅମାତ, ନିରଞ୍ଜନ ମହାନ୍ତି, ବିବିଧ ବିଶ୍ୱ, ଡ. ସୁପ୍ରିୟା ପାଲ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକ୍ଷମ’ର କର୍ମକର୍ତ୍ତାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମର ସଫଳ ପ୍ରାୟୋଜନରେ ପ୍ରଫେସର ଡା. ଅଂଶୁମାନ କୁମାର ନାଏକ (ସୁଇଟ୍ ଲାଇଫ୍ ଡାଇବେଟିକ୍ କେୟାର), ଏମ୍ସିଏଲ୍ କୁଲ୍ଡା ଖଣିର ମହାପ୍ରବନ୍ଧକ ଓ ପ୍ରକଳ୍ପ ଅଧିକାରୀ ମନୋରଞ୍ଜନ ଦାଶ, ଏନ୍ଟିପିସି ଡୁଲିଙ୍ଗାର ପିଆରଓ ପ୍ରଗତି ଝା, ଏନ୍ଟିପିସିର କର୍ପୋରେଟ୍ କମ୍ୟୁନିକେସନ୍ ଡେପୁଟି ମ୍ୟାନେଜର ସୁଚିତ କୁମାର, କଥା ଜୁଏଲର୍ସ, ସୁନ୍ଦରଗଡ଼ ଇଞ୍ଜିନିୟରିଂ କଲେଜ୍, ହୋଟେଲ ଜୟ ବିଜୟ, ହୋଟେଲ ଆମ୍ବିଆନ୍ସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ଜ୍ୟୋତିର୍ମୟ ପାଣିଗ୍ରାହୀ, ଅଜୟ ସାହୁ, ରାମଲୋଚନ ଚକ୍ରଧାରୀ, ଆଲୋକ ଗୁରୁ, ବିଶ୍ୱରୂପ ପରିଡ଼ା ଏବଂ ରାଉରକେଲା ପ୍ରମେୟ ଓ ନ୍ୟୁଜ୍-୭ ପରିବାରର ସମସ୍ତ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଯୋଗଦାନ ଏହି କାର୍ଯ୍ୟକ୍ରମରେ ରହିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button