ପେଜର ହମଲାରେ କେରଳ କନେକ୍ସନ; ରିନସନ ଯୋଶ୍ଙ୍କ କମ୍ପାନୀକୁ ନେଇ ଚର୍ଚ୍ଚା ଜୋର୍

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ପେଜର ହମଲାରେ ୨୦ଜଣ ପ୍ରାଣ ହରାଇଛନ୍ତି । ଏହି ହମଲାରେ ପ୍ରାୟ ୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ହିଜବୁଲ୍ଲା ଆତଙ୍କୀ ସଂଗଠନ । ଏଭଳି ନରସଂହାରକୁ ବିଶ୍ବର ଅଧିକାଂଶ ଦେଶ ନିନ୍ଦା କରିଛନ୍ତି । ଅନ୍ୟପଟେ ଏହା ବି ଚର୍ଚ୍ଚା ହେଉଛି, ଏହି ପେଜେର ଡିଭାଇସ୍ କେଉଁ କମ୍ପାନୀ ଜରିଆରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ନିକଟରେ ପହଞ୍ଚିଲା ।
ଏହାରି ଭିତରେ ପେଜର ବିସ୍ଫୋରଣର କେରଳ କନେକ୍ସନର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଏହି ପେଜର ଏବଂ ଓ୍ବାକିଟକି ବିସ୍ଫୋରଣକୁ ନେଇ ଇସ୍ରାଏଲକୁ ଦାୟୀ କରିଛି ହିଜବୁଲ୍ଲା ଆତଙ୍କୀ ସଂଗଠନ । ଇସ୍ରାଏଲ ଗୁଇନ୍ଦା ଏଜେନ୍ସିର ସାଇବାର ଶାଖା ‘ମୋସାଦ’ ଏଭଳି ଷଡଯନ୍ତ୍ର ରଚିଥିଲା । ପେଜର ବିସ୍ଫୋରଣ ଇସ୍ରାଏଲ ଏଯାଏଁ ପ୍ରତ୍ୟକ୍ଷ ଭାବେ ନିଜ ଉପରକୁ ନେଇନାହିଁ କି ଏହାକୁ ସ୍ବୀକାର କରିନାହିଁ । ବିଶ୍ବର ଅଧିକାଂଶ ଦେଶ ଏହାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି କି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ପେଜର ଜରିଆରେ କିପରି ବିସ୍ଫୋରଣ କରିଛି ? ଆଶ୍ଚର୍ଯ୍ୟର କଥା ହେଉଛି, ପେଜର କମ୍ପାନି ଏବଂ ସେଲ୍ ଫାର୍ମର ବୁଢ଼ିଆଣୀ ଜାଲରେ କେରଳର ଜଣେ ବ୍ୟକ୍ତି ଛନ୍ଦି ହେବାକୁ ଯାଉଛନ୍ତି । ଯିଏ ଏବେ ନରଓ୍ବେର ନାଗରିକ ।
ହଙ୍ଗେରୀ ମିଡିଆ ରିପୋର୍ଟ ଆଉଟଲେଟ ଟେଲେକ୍ସ ଅନୁଯାୟୀ, ଲେବାନନରେ ଗତ ମଙ୍ଗଳବାରରେ ହୋଇଥିବା ପେଜର ବିସ୍ଫୋରଣରେ କେରଳ ଜନ୍ମିତ ଏବଂ ନରଓ୍ବେର ନାଗରିକ ରିନସନ ଯୋଶଙ୍କ ସଂପୃକ୍ତି ଥିବା ନେଇ କୁହାଯାଉଛି । ତାଙ୍କୁ ଯାଞ୍ଚ ପରିସର ଭିତରକୁ ନିଆଯାଇଛି । ପେଜର କିଣାବିକା ପ୍ରକ୍ରିୟାରେ ପଛରେ ଏକ ବୁଲଗେରିୟା କମ୍ପାନି, ନାର୍ଟା ଗ୍ଲୋବାଲ ଲିମିଟେଡ୍ର ହାତ ରହିଛି ବୋଲି ଟେଲେକ୍ସ କହିଛି । ନାର୍ଟା ସଂସ୍ଥାପକ ହେଇଛନ୍ତି ନରଓ୍ବେ ନାଗରିକ ରିନସନ ଯୋଶ୍ । ରିନସନ କେରଳର ଓ୍ବାଏନାଡର ମୂଳ ବାସିନ୍ଦା । ୨୦୧୩ରେ ଗୃହନଗର ଆସିଥିଲେ । କେରଳର ବିଭିନ୍ନ ମିଡିଆ ରିପୋର୍ଟ ମୁତାବକ, ରିନସନ ଯୋଶ୍ ଓ୍ବାଏନାଡରେ ଜନ୍ମ ହୋଇଥିଲେ । ଏମବିଏ ପାସ୍ କରିବା ପରେ ସେ ନରଓ୍ବେ ଚାଲିଯାଇଥିଲେ ।