ସୋଆର ନର୍ସିଂ ଏବଂ ଡେଂଟାଲ ସାଇନସେସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର,୧୯/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) ଓ ଇନ୍ଷ୍ଟିଚ୍ୟଟ୍ ଅଫ୍ ଡେଂଟାଲ ସାଇନସେସ୍ (ଆଇଡିଏସ୍)ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏଠାରେ ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି ।
ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୦-୨୦୨୩ ବ୍ୟାଚର ବିଏସ୍ସି (ନର୍ସିଂ), ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ଏବଂ ୨୦୨୧- ୨୩ ବ୍ୟାଚର ଏମଏସ୍ସି (ନର୍ସିଂ) ତଥା ୨୦୨୧- ୨୩ ବ୍ୟାଚର ଡିପ୍ଳୋମା ଇନ୍ ଡେଂଟାଲ ମେକାନିକସ୍ ଓ ଡେଂଟାଲ ସାଇନସ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ପ୍ରଫେସର ନନ୍ଦ କହିଥିଲେ ଯେ ଗ୍ରହଣ କରିଥିବା ଶିକ୍ଷା ଯୋଗୁଁ ସେମାନେ ସ୍ୱାସ୍ଥ୍ୟ ବିଜ୍ଞାନ ସହ ଯୋଡି ହୋଇଛନ୍ତି। ଶିକ୍ଷାର କେବେ ସମାପ୍ତ ହୁଏ ନାହିଁ। ଶୃଙ୍ଖଳା, କଠିନ ପରିଶ୍ରମ, ସଚ୍ଚୋଟତା, ସମୟାନୁବର୍ତିତା ଓ ଉତମ ମନୋଭାବ ସବୁ ବେଳେ ଆଗକୁ ବଢିବାରେ ସାହାଯ୍ୟ କରେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୀବନରେ ଶ୍ରେଷ୍ଠ ଓ ମହତ୍ୱପୂର୍ଣ୍ଣ ଦିନ ହେଉଛି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ । ନିଜର ଉନ୍ନତି କରିବା ସହିତ ସମାଜର ହିତ କରିବା ପାଇଁ ସବୁବେଳେ ଉତମ ମନୋଭାବ ରଖିବା ଜରୁରୀ ବୋଲି ସେ କହିଥିଲେ।
ଦେଶର ଶ୍ରେଷ୍ଠ ୧୪ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏସ୍ଏନ୍ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଆଇଡିଏସ୍ର ଡିନ୍ ପ୍ରଫେସର ନୀତା ମହାନ୍ତି ରିପୋର୍ଟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ତଥା ଏକାଡେମିକ୍ କାଉନ୍ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।