ତରୁଲତାଙ୍କୁ ନୂଆ ପରିଚୟ ଦେଲା ପଟ୍ଟଚିତ୍ର, ୩ ଶହ ମହିଳାଙ୍କୁ କରିପାରିଛନ୍ତି ସ୍ଵାବଲମ୍ବୀ

କଟକ,୧୪/୯(ସୁକେଶ ବେହେରା) : ସେ ସମୟ ଏତେ ସହଜ ନଥିଲା। ସ୍ୱାମୀ ହାତ ଛାଡ଼ି ନୂଆ ସଂସାର ବାଛିନେବା ପରେ ଦୁଇ ଛୁଆଙ୍କୁ ଧରି ଏକୁଟିଆ ବାଟ ଚାଲିବା କଷ୍ଟସାଧ୍ୟ ଥିଲା । ଜୀବନର ଏହି ଦୁଃସ୍ଥିତିରେ ସାହାରା ହେଲା ପିଲାବେଳୁ ଶିଖିଥିବା କଳା କାରିଗରି । ଜୀବନ ବଦଳାଇଦେଲା ପଟ୍ଟଚିତ୍ର । କେବଳ ନିଜେ ପଟ୍ଟଚିତ୍ର ତିଆରି କରି ରୋଜଗାରକ୍ଷମ ହେଲେ ତାହା ନୁହଁ ।
ନିଜ ଗାଁ ଓ ଆଖପାଖ ଅଞ୍ଚଳର ଅନେକ ମହିଳାଙ୍କୁ ନେଇ ପଟ୍ଟଚିତ୍ର ପ୍ରସ୍ତୁତିର ନୂଆ ବଜାର ସୃଷ୍ଟି କରିପାରିଲେ ।
ଏହି ସଂଘର୍ଷ ଓ ସଫଳ କାହାଣୀ ହେଉଛି ବାଙ୍କୀ କେନ୍ଦୁପଲ୍ଲୀ ଗ୍ରାମର ୩୯ ବର୍ଷୀୟା ତରୁଲତା ସାହୁଙ୍କର । ଗାଁରେ ଏମିତି ଅନେକ ମହିଳା ଥିଲେ ଯେଉଁମାନେ ସ୍ୱାମୀ କାମକୁ, ପିଲାମାନେ ପଢ଼ିବାକୁ ଯିବା ପରେ ଛୋଟମୋଟ ଘର କାମରେ ବ୍ୟସ୍ତ ରହୁଥିଲେ । ଏମିତି କିଛି ମହିଳାଙ୍କୁ ହାତଧରି ଆଣି ପଟ୍ଟଚିତ୍ରର କଳା ଶିଖାଇଲେ ତରୁଲତା । ଜଣେରୁ ତିନି ଜଣ, ତିନିରୁ ତିନି ଶହ ଜଣ କେତେବେଳେ ହୋଇଗଲେ ଜଣାପଡ଼ିଲାନି । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବ୍ୟାପକ ହେଲା ପଟ୍ଟଚିତ୍ରର ନିଖୁଣ ଚିତ୍ରକଳା । ସମୟାନୁକ୍ରମେ ଏବେ ପ୍ରାୟ ୩ଶହରୁ ଅଧିକ ମହିଳା ଏହି କଳାକୁ ଆଦରି ନେଇ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ପରିବାର ସମୃଦ୍ଧିରେ ଅଂଶୀଦାର ପାଲଟିଛନ୍ତି । ଏହି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ପ୍ରାଶାସନିକ ଉଦ୍ୟମ ଯେତିକି ରହିଛି ତା’ଠାରୁ ଢେର ଅଧିକ ଉତ୍ସାହ ଓ ସାହସ ଦେଇଛନ୍ତି ତରୁଲତା । ବାଙ୍କୀ କେନ୍ଦୁପଲ୍ଲୀ ଅଞ୍ଚଳର ତରୁଲତା ଛୋଟବେଳୁ ପଟ୍ଟଚିତ୍ରର ମାୟାରେ ପଡ଼ିଯାଇଥିଲେ । ମାଟ୍ରିକ୍ ପାସ୍ ପରେ ସେ ଓରମାସ୍ ତରଫରୁ ଦିଆଯାଇଥିବା ପଟ୍ଟଚିତ୍ର ପ୍ରଶିକ୍ଷଣ ନେଇଥିଲେ ।