ରାଜ୍ୟ
ରବିବାର ଶ୍ରୀମନ୍ଦିରରେ ହେବ ବାମନ ଜନ୍ମ ନୀତି, ଅପରାହ୍ନ ୫ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ, ୧୪/୦୯ : ରବିବାର ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନଧୂପ ଚ୍ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ୫ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି। ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ। ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତିକାନ୍ତି ବଢିବ। ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ।