ରାଜନୀତି

ଆସନ୍ତା ୧୭ରେ ଓଡ଼ିଶା ଆସିବେ ପିଏମ୍‌ ମୋଦି: ‘ସୁଭଦ୍ରା’ ଶୁଭାରମ୍ଭ କରିବେ, ୧୦ ଲକ୍ଷ ଆବାସ ବାଣ୍ଟିବେ

ଭୁବନେଶ୍ୱର,୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ ଆସିବେ । ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଏହାଛଡ଼ା ବିଭିନ୍ନ ରାଜ୍ୟର ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘ଆବାସ’ର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦ କୋଟି ଟଙ୍କା ଡିଜିଟାଲରେ ପଠାଇବେ ପ୍ରଧାନମନ୍ତ୍ରୀ ।

ଏହି ଉତ୍ସବରେ ମୋଦି ‘ଆବାସ ୍ମ ୨୦୨୪’ ଆପ୍ ମଧ୍ୟ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ ପରେ ୨୬ ଲକ୍ଷ ହିତାଧିକାରୀ ‘ଗୃହପ୍ରବେଶ’ କରିବେ । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୨,୫୭୨ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ କରାଯାଇଛି । ଏଥିପାଇଁ ୪୧.୩୨ କୋଟି ଟଙ୍କା ବରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ୪ର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୨୫ ହଜାର ସଂଯୋଗ ନଥିବା ଜନବସତିକୁ ସଡ଼କ ସଂଯୋଗ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୨.୯୫ କୋଟି ଘର ପ୍ରଦାନ କରି ୨୦୨୪ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ହାସଲ କରିବାକୁ ଯୋଜନା ରହିଛି ।

ପ୍ରଧାନମନ୍ତ୍ରୀ ୧୭ ତାରିଖ ପୂର୍ବାହ୍ନ ୧୧.୩୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୧୧.୫୫ରେ ଜନତା ମଇଦାନଠାରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ତଃ ବିଭାଗୀୟ ସମନ୍ୱୟରେ ଦାୟିତ୍ୱ ତୁଲାଇବାକୁ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ରାସ୍ତା ମରାମତି, ପରିମଳ, ନିରବଛିନ୍ନ ବିଜୁଳି ସେବା ଓ ପରିଷ୍କାର ପରିଚ୍ଛନ୍ନତା ଦିଗକୁ ଧ୍ୟାନ ଦେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ ।

‘ସୁଭଦ୍ରା’ ପାଇଁ ଅଧିକ ଜନଗହଳିକୁ ଦୃଷ୍ଟିରେ ରଖି ଜନସାଧାରଣ ଯେପରି କାର୍ଯ୍ୟକ୍ରମ ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍ଇଡି ବ୍ୟବସ୍ଥା କରାଯିବ । ପାର୍କିଂ ବ୍ୟବସ୍ଥା, ଚୌକି ବ୍ୟବସ୍ଥା, ଭ୍ରାମ୍ୟମାଣ ଶୌଚାଳୟକୁ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ସ୍ଥିର ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button