ଦେଶ- ବିଦେଶ

ଧଳା ପୁଚ୍ଛଧାରୀ ଈଗଲ୍‌ ଏବେ ବିପଦମୁକ୍ତ

ମାନବିକ କାର୍ଯ୍ୟକଳାପ, ଦ୍ରୁତ ସହରୀକରଣ, ଅପରିଣାମଦର୍ଶୀ ବିକାଶ ଧାରା ଓ ଜଳବାୟୁ ପରିବର୍ତ୍ତନ କାରଣରୁ ୟୁରୋପର ବିଶାଳ ଧଳା ପୁଚ୍ଛଧାରୀ ଈଗଲ୍ ପକ୍ଷୀର ବିଲୁପ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ବିଲୁପ୍ତ ହେବାକୁ ବସିଥିବା ଏହି ପକ୍ଷୀର ସୁରକ୍ଷା ପାଇଁ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ସଂରକ୍ଷଣ ପ୍ରୟାସକୁ ସଫଳତା ମିଳିଛି।

ସେମାନଙ୍କର ବଂଶବୃଦ୍ଧିରେ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ ପରିଲକ୍ଷିତ ହୋଇଛି।
୧୯୭୫ ମସିହାରେ ଈଗଲ୍ ପକ୍ଷୀ ଅଣ୍ଡା ସଂଗ୍ରହକାରୀମାନେ ଏହି ପ୍ରଜାତିର ପକ୍ଷୀଙ୍କ ନୀଡ଼କୁ ଭାଙ୍ଗି ଦେଉଥିବାରୁ ସେମାନେ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇ ବିଲୁପ୍ତି ମୁହଁକୁ ଚାଲିଯାଇଥିଲେ। ୧୯୮୪ରେ ସ୍କଟଲାଣ୍ଡର ‘ମୁଲ୍’ ଦ୍ୱୀପରେ ଥିବା ଏହି ପ୍ରଜାତି ପକ୍ଷୀଙ୍କର ନୀଡ଼ର ସୁରକ୍ଷା ପାଇଁ ବିଶିଷ୍ଟ ପକ୍ଷୀ ଗବେଷକ ଡେଭ୍ ସେକ୍ସଟନ୍ଙ୍କୁ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ କେବଳ ମୁଲ୍ ଦ୍ୱୀପରେ ଅତି ବିପନ୍ନ ୨୩ ଯୋଡ଼ା ଏବଂ ସ୍କଟଲାଣ୍ଡରେ ୧୫୦ରୁ ଅଧିକ ଯୋଡ଼ା ଧଳା ପୁଚ୍ଛଧାରୀ ଈଗଲ୍ ପକ୍ଷୀ ରହିଛନ୍ତି। ବୈଜ୍ଞାନିକମାନେ ଆନନ୍ଦ ପ୍ରକାଶ କରି କହିଛନ୍ତି, “ବର୍ତ୍ତମାନ ଦୁନିଆରୁ ଲୁପ୍ତ ପାଇବାକୁ ଯାଉଥିବା ସବୁଠୁ ସୁନ୍ଦର ଓ ବଡ଼ ଶାଗୁଣା ପ୍ରଜାତିର ଧଳା ପୁଚ୍ଛଧାରୀ ଈଗଲ୍ ପକ୍ଷୀ ବଂଶବୃଦ୍ଧିର ପଥରେ ଆଗେଇ ଚାଲିଛି।’’

ଏତେସବୁ ସଫଳତା ସତ୍ତ୍ୱେ ଧଳା ପୁଚ୍ଛ ଈଗଲ୍ ପକ୍ଷୀକୁ ବଞ୍ଚାଇବା ପାଇଁ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି ତାହା ଭବିଷ୍ୟତର ସଂରକ୍ଷଣ ସଫଳତାକୁ ସୂଚିତ କରୁନାହିଁ ବୋଲି ପକ୍ଷୀ ବିଶାରଦମାନେ ମତ ଦେଉଛନ୍ତି। ଏକ ନିଶ୍ଚିତ ସୁରକ୍ଷିତ ବଂଶ ସୃଷ୍ଟି କରିବା ଉପରେ ସଂରକ୍ଷଣ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି। ଈଗଲ୍ ଜାତୀୟ ବିଶ୍ୱର କେତେକ ବଡ଼ ବଡ଼ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଜୀବ ବିଜ୍ଞାନୀ ଓ ପକ୍ଷୀ ଗବେଷକମାନେ ଉଦ୍ୟମ କରିଆସୁଥିବା ବେଳେ ଏବେ ବି ସେମାନଙ୍କର ଶୀର୍ଷ ପ୍ରାଥମିକତାରେ ଏହି ପ୍ରଜାତିର ପକ୍ଷୀ ରହିଛି। ୟୁରୋପରେ ବିପଜ୍ଜନକ ଧଳା ପୁଚ୍ଛଧାରୀ ଈଗଲ୍ ପ୍ରଜାତି ଦୀର୍ଘକାଳ ବଞ୍ଚିବା ପ୍ରକ୍ରିୟାକୁ ନିଶ୍ଚିତ କରିବାକୁ ସେମାନେ ନିରନ୍ତର ସତର୍କତା, ଜନ ସଚେତନତା ଓ ସମର୍ଥନ ଲୋଡୁଛନ୍ତି। ୟୁରୋପରେ ଏହାର ବଂଶବୃଦ୍ଧିକୁ ନେଇ ଉତ୍ସବ ପାଳନ କରାଯାଉଥିବା ବେଳେ ସଂରକ୍ଷକମାନେ ଭବିଷ୍ୟତକୁ ନେଇ ଆଶାବାଦୀ ଅଛନ୍ତି। ଧଳା ପୁଚ୍ଛଧାରୀ ଈଗଲ୍ ପ୍ରତି ଜଳବାୟୁ ପରିବର୍ତ୍ତନଜନିତ ବିପଦ ବିରୋଧରେ ଆଜି ବି ଲଢ଼େଇ ଜାରି ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button