ୟୁପି ପରେ କାନପୁରର ପାଳି: ଦୁର୍ଘଟଣା ଘଟାଇବା ପାଇଁ ଟ୍ରାକରେ ସିମେଣ୍ଟ ବ୍ଲକ୍, ଅଳ୍ପକେ ବର୍ତ୍ତିଲା ଟ୍ରେନ

ଜୟପୁର: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନର ପାଳି। ଏକ ଟ୍ରେନ ଓଲଟାଇବା ପାଇଁ ଷଡ଼ଯନ୍ତ୍ରର ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଆଜମେର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା କରେଇବା ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର। ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ୭୦ କେଜି ଓଜନର ସିମେଣ୍ଟ ବ୍ଲକ ଦେଖିବାକୁ ମିଳିଛି। ଏହି ଷଡଯନ୍ତ୍ର ମାଧ୍ୟମରେ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିବା କୁହାଯାଉଛି।
ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକରେ ସିମେଣ୍ଟ ବ୍ଲକ ରଖାଯାଇଥିଲା। କିଛି ଲୋକେ ମିଶି ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ରେଳ ଟ୍ରାକରେ ସିମେଣ୍ଟ ବ୍ଲକଗୁଡିକୁ ଟ୍ରେନ ଧକ୍କା ଦେବା ସତ୍ତ୍ୱେ ରେନ୍ଟିର କୌଣସି କ୍ଷତି ହୋଇନଥିଲା। ଟ୍ରେନଟି ଯାତ୍ରା ଜାରି ରଖିବାରେ ସଫଳ ହୋଇଥିଲା। ସୂଚନାଯୋଗ୍ୟ, ସୋମବାର କାନପୁରର ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିଥିଲା। ଫଳରେ କାଲିନ୍ଦୀ ଏକ୍ସପ୍ରେସ ଏଥିରେ ଧକ୍କା ହେବା ପୂର୍ବରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।
ଆଜମେରରେ ୭୦ କେଜି ଓଜନ ସିମେଣ୍ଟ ବ୍ଲକଗୁଡିକ ସରାଧନା ଏବଂ ବଙ୍ଗଡ ଗ୍ରାମ ଷ୍ଟେସନ ମଧ୍ୟରେ ୨ଟି ସ୍ଥାନରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏକ କିଲୋମିଟର ଦୂରରେ ରେଳ ଟ୍ରାକ ଉପରେ ଦୁଇଟି ସ୍ଥାନରେ ସିମେଣ୍ଟ ବ୍ଲକ ରଖାଯାଇଥିଲା। ଏହି ଘଟଣାକୁ ନେଇ ଡିକେଟେଡ ଫ୍ରେଟ କରିଡର କର୍ପୋରେଶନ (ଡିଏଫସିସି) କର୍ମଚାରୀ ରବି ବୁନ୍ଦେଲା ଏବଂ ବିଶ୍ୱଜିତ ଦାସ ଏଫଆଇଆର ଦାଖଲ କରିଛନ୍ତି।
ଏଫଆଇଆର୍ ଅନୁଯାୟୀ, ସେପ୍ଟେମ୍ବର ୮ ରାତି ପ୍ରାୟ ୧୦ଟା ୩୬ରେ ଏକ ସିମେଣ୍ଟ ବ୍ଲକ ଟ୍ରାକରେ ରଖାଯାଇଥିବା ସୂଚନା ମିଳିଥିଲା। ଡିଏଫସିସି ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) ମିଳିତ ଭାବେ ସାରଦନା ଠାରୁ ବଙ୍ଗର ଗ୍ରାମ ଷ୍ଟେସନ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥିଲେ। ଏହି ସମୟରେ ପରିସ୍ଥିତି ସ୍ବାଭାବିକ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ରାଜସ୍ଥାନରେ ଏକ ଟ୍ରେନ ଚଳାଚଳ ପାଇଁ ଷଡଯନ୍ତ୍ର ହୋଇଛି। ଏହାପୂର୍ବରୁ ଅଗଷ୍ଟ ୨୮ରେ ବାରା ଛବଡା ମାଲବାହୀ ଟ୍ରେନ ଟ୍ରାକରେ ବାଇକର ସ୍କ୍ରାପ ଫୋପାଡି ଦିଆଯାଇଥିଲା ଯେଉଁଥିରେ ବାଇକ ସ୍କ୍ରାପ ସହିତ ଇଞ୍ଜିନ ଧକ୍କା ହୋଇଥିଲା।