ରାଜ୍ୟ

ଆଦିବାସୀ ଅଞ୍ଚଳରେ ଗ୍ରାମସଭାକୁ ଦୁର୍ବଳ କରିଦିଆଯାଇଛି: ବିରୋଧୀ

ଭୁବନେଶ୍ବର: ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇ ମଧ୍ୟ ଆଦିବାସୀଙ୍କୁ ସଶକ୍ତ ଓ ସ୍ବାୟତ୍ତ ଶାସନ ଅଧିକାରରୁ ବଞ୍ଚିତ କରାଯାଇ ପେସା ଆଇନ ଲାଗୁ କରାଯାଉ ନାହିଁ। ଆଦିବାସୀଙ୍କୁ ଶୋଷଣ କରାଯାଉଛି ଏବଂ ଗ୍ରାମସଭାକୁ ଦୁର୍ବଳ କରିଦିଆଯାଉଛି। ପେସା ଆଇନକୁ ନେଇ ଅନୁସୂଚିତ ଜନଜାତି ବର୍ଗରେ ଆଦୌ ସଚେତନତା ନାହିଁ। ଏଥି ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି।

ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ପେସା ଆଇନକୁ ପାଳନ କରାଯାଇ ନାହିଁ। ରାଜ୍ୟ ସରକାର ତୁରନ୍ତ ପେସା ଆଇନକୁ ବିଧାନସଭାରେ ପାରିତ କରନ୍ତୁ। ଏହି ଆଇନକୁ ସଶକ୍ତ କରିବା ପାଇଁ ସଚେତନତା କର୍ମଶାଳା କରିବା ସହ ଆଇନ ପ୍ରଣୟନରେ ବାଧା ସାଜୁଥିବା ଆଇନର ସଂଶୋଧନ କରି ପୂର୍ଣ୍ଣ ରୂପେ ଲାଗୁ କରାନ୍ତୁ। ଆଜି ବିଧାନସଭାରେ ‘ପେସା ଆଇନକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଆନ୍ତରିକତା ଅଭାବ ଏବଂ କେବଳ ନିର୍ବାଚନର ମିଥ୍ୟା ପ୍ରତିଶ୍ରୁତି ଓ ଦଳୀୟ ପ୍ରଚାର’ ଶୀର୍ଷକ ମୁଲତୀବ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ଏହା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ।
ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲା ବେଳେ ପେସା ଆଇନ ଆସିଥିଲା। କିନ୍ତୁ ଏ ଯାଏ ରାଜ୍ୟରେ ଲାଗୁ ହୋଇପାରିଲା ନାହିଁ। ଆଦିବାସୀଙ୍କ ଜଙ୍ଗଲ, ଜମି ନେବାକୁ କମ୍ପାନି ପହଞ୍ଚିସାରିଲେଣି। ଗ୍ରାମସଭା ହେଉନି କି ଲୋକଙ୍କୁ ପଚରାଯାଉନି। ଜୋର୍ ଯାର୍ ମୂଲକ ତା’ର ନ୍ୟାୟରେ କାମ ଚାଲିଛି। ସରକାର କମ୍ପାନି ପ୍ରେମ ଛାଡ଼ି ଆଦିବାସୀଙ୍କ ବିକାଶକୁ ଗୁରୁତ୍ବ ଦିଅନ୍ତୁ।

ପେସା ଆଇନ ଲାଗୁ ପାଇଁ ବିଧାନସଭାରେ ଦାବି
ଆସନ୍ତା ଅଧିବେଶନରେ ଆସିବ ଆଇନ: ମନ୍ତ୍ରୀ

ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଲେ, ପେସା ଆଇନ କାର୍ଯ୍ୟକାରୀ ହେଲେ ଆଦିବାସୀମାନେ ସଶକ୍ତ ହେବେ। ସେମାନଙ୍କ ସଂସ୍କୃତି ସୁରକ୍ଷିତ ହେବ। ବିଜେଡି ସଭ୍ୟ ରମେଶ ଚନ୍ଦ୍ର ବେହେରା ଓ ମନୋହର ରାନ୍ଧାରୀ ଆଲୋଚନାରେ ଭାଗ ନେଇ କହିଥିଲେ, କେବେ ସୁଦ୍ଧା ଏହି ଆଇନ ଲାଗୁ ହେବ, ତାହାକୁ ନିର୍ଦ୍ଦିଷ୍ଟ ଭାବେ ସରକାର ଜଣାନ୍ତୁ। ଆଇନର ଗଳା ବାଟରେ ଯେମିତି କେହି ଫାଇଦା ନନେବେ, ସେଥି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହିବା ଦରକାର। ଶାସକ ଦଳ ସଭ୍ୟମାନେ ଯୁକ୍ତି ବାଢ଼ିଥିଲେ, ଯେଉଁମାନେ ୨୪ ବର୍ଷ ଶାସନରେ ଥିଲେ, ସେମାନେ ପେସା ଆଇନ କଥା ଚିନ୍ତା କରି ନଥିଲେ କାହିଁକି? କଂଗ୍ରେସ ଅମଳରେ ବି ଆଦିବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି। ଏବେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଆଦିବାସୀ। ତେଣୁ ଆଦିବାସୀଙ୍କ ଭିତରେ ନୂଆ ବିଶ୍ବାସ ଆସିଛି। ସେମାନେ କେବେ ନିରାଶ ହେବେନି। ବିଜେପି ପକ୍ଷରୁ ଜଲେନ ନାଏକ, ଭାସ୍କର ମଢ଼େଇ, ଉମାଚରଣ ମଲ୍ଲିକ ଓ ପ୍ରକାଶ ସୋରେନ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନାର ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଲେ, ବିଗତ ଦିନରେ ଆଦିବାସୀଙ୍କ ପ୍ରତି ଅନ୍ୟାୟ, ପ୍ରତାରଣା କରାଯାଇଛି। ପେସା ଆଇନକୁ ଲାଗୁ କରିବାକୁ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ନେଉଛନ୍ତି। ଏଥି ପାଇଁ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି। ଇତି ମଧ୍ୟରେ ଚିଠା ପେସା ନିୟମକୁ ଓଡ଼ିଆ ଓ ସାନ୍ତାଳି ଭାଷାରେ ଅନୁବାଦ କରାଯାଇ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ପେସା ଅଞ୍ଚଳରେ ଜିଲ୍ଲାପାଳମାନଙ୍କୁ ପଠାଯାଇଛି। ବିଧାନସଭାର ଆଗାମୀ ଅଧିବେଶନରେ ପେସା ଆଇନ ଅଣାଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button