ରାଜ୍ୟ

କଟକରେ ବି ବାଂଲାଦେଶୀ ଆଡ଼ା: ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଟକ: କଟକରେ ବି ବିଭିନ୍ନ ଅଞ୍ଚଳରେ ଆଡ଼ା ଜମାଇଛନ୍ତି ବାଂଲାଦେଶୀ। କଟକରେ ଅନୁପ୍ରବେଶକାରୀଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିବା ପରେ ସିଡିଏ ଅଞ୍ଚଳର ଦୁଇଟି ବସ୍ତିରେ ପ୍ରଥମେ ଛାନଭିନ୍ କରିବାକୁ କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ। ଏହି ଚିଠି ଆଧାରରେ କମିସନରେଟ୍ ପୁଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି।

୨୦୦୪ରେ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ବେଳେ କଟକ ଜିଲ୍ଲାକୁ ବାଦ୍ ଦିଆଯାଇଥିଲା। କିନ୍ତୁ ଏବେ କଟକର ସିଡିଏ ସେକ୍ଟର ୭ସ୍ଥିତ ବାଲିଘାଟ ବସ୍ତି(ପ୍ରାୟ ୧୫ ପରିବାର ରହୁଛନ୍ତି), ସିଡିଏ ସେକ୍ଟର ୬ସ୍ଥିତ ମୁଣ୍ଡାସାହି ବସ୍ତି (ପ୍ରାୟ ୯ ପରିବାର), କେଶରପୁର, ସୂତାହାଟ, ଓଡ଼ିଆ ବଜାର, କଦମରସୁଲ, ସାର୍ତ୍ତୋଳ ନିକଟ ବସ୍ତି, ବୟାଳିଶମୌଜା ସେତୁ ନିକଟ ଏକ ପଡ଼ିଆ, ନୂଆପଡ଼ା ରେଳ ଧାରଣା ନିକଟ ୫୨ ନମ୍ବର ଵାର୍ଡ, ମର୍କତନଗର ଥାନା ଅନ୍ତର୍ଗତ ସତୀଗୁମ୍ଫା ବସ୍ତି, ସତୀଚଉରା ଇମାମପଡ଼ା ବସ୍ତି, ମଧୁପାଟଣା ଥାନା ବାଲିସାହି ବସ୍ତିରେ ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ଼ା ଜମାଇଥିବା ସନ୍ଦେହ କରାଯାଉଛି। ଚୂନଭାଟି ଗଳିରୁ ଜଗତପୁର ନିମପୁର ବସ୍ତିକୁ ଓ ମାଲଗୋଦାମ ନୂଆସାହିରୁ ମଧୁପାଟଣା ବାଲିସାହିକୁ ବସ୍ତି ସ୍ଥାନାନ୍ତର ସମୟରେ କିଛି ବାଂଲାଦେଶୀ ସ୍ଥାନାନ୍ତର ହୋଇଥିବା କୁହାଯାଉଛି। ଜଗତପୁର ଥାନା ଅନ୍ତର୍ଗତ ନିମପୁର ପଡ଼ିଆ ଓସିସି କଲୋନି ନିକଟରେ ଥିବା ଝାଡ଼ୁ ବସ୍ତିରେ ରହୁଥିବା କିଛି ବଂଗଭାଷୀ ଏବେ ହଠାତ୍ ଅଞ୍ଚଳ ଛାଡ଼ି ଚାଲି ଯାଇଥିବା କୁହାଯାଉଛି।

କଟକ ଜିଲ୍ଲାରେ ଥିବା ୧୫ ତହସିଲ୍ ଓ ସ୍ଥାନୀୟ ଥାନା ଆଇଆଇସିଙ୍କୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି। ସେମାନେ ମିଳିତ ଭାବେ ବାଂଲାଦେଶୀ ରହୁଥିବା ସ୍ଥାନରେ ଚଢ଼ଉ କରି ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ଏବେ କଟକ କମିସନରେଟ୍ ପୁଲିସରେ ସମସ୍ୟା ରହିଛି। କମିସନରେଟ ପୁଲିସରେ ୧୯ଟି ଥାନା ଥିବା ବେଳେ ଗୋଟିଏ ମାତ୍ର ସଦର ତହସିଲ୍ ଅଫିସ କମିସନରେଟ୍ରେ ରହିଛି। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲ ଓ ଥାନା ଆଇଆଇସି ମିଳିତ ଭାବେ ଏହି ଚଢ଼ଉ କରିବେ। କିନ୍ତୁ କଟକ ସହରରେ ଏଭଳି ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଛି। ସେଥିପାଇଁ ପ୍ରଶାସନର ଏକଜିକ୍ୟୁଟିଭି ମାଜିଷ୍ଟ୍ରେଟଙ୍କୁ ଆଇଆଇସିଙ୍କ ସହିତ ଯୋଡ଼ି ଏହି ଚିହ୍ନଟ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବାକୁ ଯୋଜନା କରାଯାଉଛି।

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ କହିବା ଅନୁଯାୟୀ, ସିଡିଏ ସେକ୍ଟର ୭ ଅଞ୍ଚଳରେ ବାଂଲାଦେଶୀ ଥିବା ଲିଖିତ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆସିବା ପରେ କଟକ ଡିସିପିଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯାଇଛି। ଅନ୍ୟପଟେ ସବୁ ତହସିଲଦାରଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରାଯାଇଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସଜାଗ ରହିବାକୁ କୁହାଯାଇଛି। ଯେଉଁଠି ବାଂଲାଦେଶୀ ଥିବା ଖବର ଆସୁଛି ସେଠାରେ ମିଳିତ ଭାବେ ତଦନ୍ତ କରିବେ ବୋଲି ଶ୍ରୀ ସିନ୍ଧେ ସୂଚନା ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button