ଦେଶ- ବିଦେଶ

ବିଦେଶୀ ଶକ୍ତିର ଷଡ଼ଯନ୍ତ୍ର: ଭାରତ ମାଟିରେ ‘ଡ୍ରୋନ୍‌ ଆତଙ୍କବାଦ’

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ରକ୍ତରଞ୍ଜିତ ହୋଇଛି ମଣିପୁର ମାଟି। ଜାତିଗତ ସଂରକ୍ଷଣକୁ ନେଇ ୨୦୨୩ ମେ’ରେ ଏଠାକାର ଦୁଇ ମୁଖ୍ୟ ସଂପ୍ରଦାୟ କୁକି ଏବଂ ମେଇତି ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ପୁଣିଥରେ ମୁଣ୍ଡ ଟେକିଛି। ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ମଣିପୁର ହିଂସାରେ ୨୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ଏବଂ ହଜାର ହଜାର ଲୋକ ବାସହୀନ ହୋଇ ଏବେ ମଧ୍ୟ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି।

ହିଂସା ବନ୍ଦ କରି ଶାନ୍ତି ଫେରାଇ ଆଣିବା ସହିତ ପୀଡ଼ିତ ଲୋକମାନଙ୍କ ପୁନଃ ଥଇଥାନ ଲାଗି କେନ୍ଦ୍ର ସରକାର ,ରାଜ୍ୟ ସରକାର ଏବଂ ସେନା ଦିନରାତି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ କୁକି ଉଗ୍ରବାଦୀ ଏକ ମେଇତି ଗ୍ରାମ ଉପରେ ଯେଭଳି ଢଙ୍ଗରେ ଆକ୍ରମଣ କରିଛନ୍ତି ତାହା ମଣିପୁରର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ଛିଡ଼ାକରିଛି। ପଶ୍ଚିମ ଇମ୍ଫାଲ ଜିଲ୍ଲାର ମେଇତି ଅଧ୍‌ୟୁଷିତ ଦୁଇ ଗାଁ କୋତ୍ରୁକ୍‌ ଓ ସେନଜାମ୍‌ ଚିରାଙ୍ଗ ଉପରେ କୁକି ଉଗ୍ରବାଦୀ ଅତ୍ୟାଧୁନିକ ଡ୍ରୋନରୁ ଆରପିଜି( ରକେଟ୍‌ ପ୍ରୋପେଲ୍ଡ ଗ୍ରେନେଡ୍‌)ରୁ ବୋମା ମାଡ଼ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳର ବିଭିନ୍ନ ଇଲାକାରେ ପ୍ରାୟ ୫୦ଟି ବୋମାମାଡ଼ କରାଯାଇଛି। ଏଥିସହିତ ସ୍ବଂୟଚାଳିତ ବନ୍ଧୁକରୁ ମଧ୍ୟ ଗୁଳିବର୍ଷଣ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୧୪ ରୁ ଅଧିକ ଲୋକ ଗମ୍ଭୀର ଭାବେ ଆହତ ହୋଇ ଏବେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି।

କୁକି ଉଗ୍ରବାଦୀଙ୍କ ଏଭଳି ଆକ୍ରମଣକୁ ନେଇ ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ସୁରକ୍ଷାବଳ ନିଦ ମଧ୍ୟ ହଜିଯାଇଛି। ଖାଲି ସୁରକ୍ଷାବଳ ନୁହେଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟ ଏଭଳି ଘଟଣାକୁ ନେଇ ତଟସ୍ଥ ହୋଇପଡ଼ିଛନ୍ତି। କାରଣ ପ୍ରଥମଥର ପାଇଁ ଭାରତର କୌଣସି ଅଞ୍ଚଳରେ ଉଗ୍ରବାଦୀମାନେ ଡ୍ରୋନ ମାଧ୍ୟମରେ ଏଭଳି ଆକ୍ରମଣ କରିଛନ୍ତି। ଏଠାରେ ଯେଉଁ ଢଙ୍ଗରେ ଆକ୍ରମଣ ହୋଇଛି ତାହା ଯୁଦ୍ଧଭୂମିରେ ଆକ୍ରମଣ ଠାରୁ କିଛି କମ୍‌ ନୁହେଁ। ସାଧାରଣତଃ ଯୁଦ୍ଧକ୍ଷେତ୍ରରେ ସୁରକ୍ଷା ବିଶେଷଜ୍ଞ ଏବଂ ବୈଷୟିକ ବିଶାରଦଙ୍କ ଦ୍ବାରା ପରିଚାଳିତ ଡ୍ରୋନରେ ଶତ୍ରୁ ପକ୍ଷ ଉପରେ ଏଭଳି ଆକ୍ରମଣ କରାଯାଇଥାଏ। ଏଥିପାଇଁ ବୈଷୟିକ ସ୍ତରରେ ପ୍ରଶିକ୍ଷିତ ହେବାକୁ ପଡ଼ିଥାଏ।କିନ୍ତୁ କୁକି ଭଳି ଏକ ପାହାଡ଼ିଆ ଆଦିବାସୀ ଉଗ୍ରବାଦୀ କିଭଳି ଏମିତି ଆକ୍ରମଣ କରିବାକୁ ସକ୍ଷମ ହେଲେ ବୋଲି ପ୍ରଶ୍ନ ଉଠିଛି। ସେମାନଙ୍କୁ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ପ୍ରଶିକ୍ଷଣ ଦେବା ପଛରେ ଯେ ବିଦେଶୀ ହାତ ରହିଛି ତାହା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିକୁ ବିଚାରକଲେ ବିଦେଶୀ ଶକ୍ତିଙ୍କ ଦ୍ବାରା ଭାରତ ମାଟିରେ ‘ଡ୍ରୋନ୍‌ ଟେରରିଜିମ’ ଯେ ଆରମ୍ଭ ହୋଇଛି ସେଥିରେ ସନ୍ଦେହ କରିବାର ଅବକାଶ ନାହିଁ। ଏହି ଆକ୍ରମଣ ମଣିପୁରର ସ୍ଥାନୀୟ ଲୋକଙ୍କ ମଧ୍ୟରେ ରହିଥିବା ସାଂପ୍ରଦାୟିକ କିମ୍ବା ଜାତିଗତ ସମସ୍ୟାକୁ ନେଇ ସୀମିତ ରହିନାହିଁ ,ବରଂ ସମଗ୍ର ଉତ୍ତରପୂର୍ବାଞ୍ଚଳ ଏବଂ ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ବିଦେଶୀ ମିଲିଟାରୀ ଶକ୍ତିର ପ୍ରଚ୍ଛଦ ଆକ୍ରମଣ ବୋଲି କୁହାଯାଇଛି।

କୁକି ସଂପ୍ରଦାୟର କୁକିଚିନ ନ୍ୟାସନାଲ ଆର୍ମି(କେଏନଏଫ୍‌) ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହେବା ପରେ ଏହାପଛରେ ଚୀନ୍‌ର ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି। ଅରୁଣାଚଳ ପ୍ରଦେଶରେ ଭାରତୀୟ ସୀମା ଭିତରେ ପ୍ରବେଶ କରି ଚୀନ ନିଜର ବିସ୍ତାର ପାଇଁ ମସୁଧା ଚଳାଇଥିଲା ବେଳେ ସମଗ୍ର ଉତ୍ତରପୂର୍ବାଞ୍ଚଳରେ ଜନସମାଜକୁ ବିଭ୍ରାନ୍ତ କରି ଏଠାରେ ଆଧିପତ୍ୟ ଜାହିର କରିବାକୁ କରିଥିବା ଷଡ଼ଯନ୍ତ୍ରର ଏହା ଏକ ଉଦାହରଣ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିପରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚିଥିବା ଆମେରିକା ଏବେ ବାଂଲାଦେଶରେ ନିଜର ରଣନୀତିକୁ ସଫଳ କରାଇଥିଲା ବେଳେ ବାଂଲାଦେଶ ସୀମାକୁ ଲାଗି ରହିଥିବା ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟସମୂହର ହଜାର ହଜାର କିମି ପରିବ୍ୟାପ୍ତ ସୀମାରେ ଆତଙ୍କବାଦ ଏବଂ ଉଗ୍ରବାଦ ଚଳାଇବାକୁ ଯୋଜନା କରିଥିବା ସେମାନେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button