ବଢ଼ିବାରେ ଲାଗିଛି ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବିବାଦ, ପୁଣିଥରେ ରିଲିଜ୍ ଡେଟ୍ ସ୍ଥଗିତ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ଲୋକସଭା ସାଂସଦ କଙ୍ଗନା ରାନାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବିବାଦ କ୍ରମାଗତ ଭାବେ ଗମ୍ଭୀର ହେବାରେ ଲାଗିଛି । ଶିଖ ସମ୍ପ୍ରଦାୟ ଏହି ଫିଲ୍ମକୁ ବିରୋଧ କରି ଏପରିକି ଏହାକୁ ରିଲିଜ ନ କରିବାକୁ ଧମକ ଦେଇଥିଲା । କଙ୍ଗନା ରାନାୱତଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇ ହାଇକୋର୍ଟରେ ପହଞ୍ଚିଥିଲା ।
ଏବେ ବଡ଼ ବିବାଦ ମଧ୍ୟରେ କଙ୍ଗନାଙ୍କ ଫିଲ୍ମ ନିର୍ଦ୍ଧାରିତ ତାରିଖରେ ରିଲିଜ ପାଇଁ ସ୍ଥଗିତ ରଖାଯାଇଛି ।
ତେବେ ନିର୍ମାତାମାନେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହାଁନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କଙ୍ଗନା ନିଜେ ‘ଏମର୍ଜେନ୍ସି’ର ନିର୍ଦ୍ଦେଶନା ଦେଇଛନ୍ତି । କଙ୍ଗନାଙ୍କର ଏହି ଫିଲ୍ମ ୬ ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ଥିଲା । କିନ୍ତୁ ଏଭଳି ବିବାଦ ମଧ୍ୟରେ ନିର୍ଦ୍ଧାରିତ ତାରିଖରେ ଏମର୍ଜେନ୍ସି ରିଲିଜ ହେବ ନାହିଁ । ଏମର୍ଜେନ୍ସି ଫିଲ ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ଏବଂ ସେହି ଦିନଠାରୁ ଫିଲ୍ମ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା ।
ପ୍ରକାଶ ଥାଉକି, ରିଲିଜ୍ ଡେଟ୍ ପାଖେଇ ଆସୁଥିବାରୁ ଶିଖ ସମ୍ପ୍ରଦାୟ ଏହି ଫିଲ୍ମ ଉପରେ ଆପତ୍ତି ଉଠାଇଥିଲେ । ଏହି ଫିଲ୍ମ ଶିଖ ବିରୋଧୀ ବୋଲି ଶିଖ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି । ଲୋକମାନେ କଙ୍ଗନା ରାନାୱତ ଏବଂ ନିର୍ମାତାଙ୍କୁ ଫିଲ୍ମ ରିଲିଜ୍ ନକରିବାକୁ ଧମକ ଦେଇଥିଲେ । ଫିଲ୍ମ ‘ଏମର୍ଜେନ୍ସି’ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ମୋହାଲି ବାସିନ୍ଦା ଗୁରୁନ୍ଦର ସିଂ ଏବଂ ଜଗମୋହନ ସିଂ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେ ଏହି ଫିଲ୍ମଟି ପ୍ରଥମେ ଶିଖଙ୍କ ପ୍ରତିନିଧୀଙ୍କୁ ଦେଖାଯିବ ତାପରେ ଯାଇ ରିଲିଜ ହେବ ।
ଏହା ପରେ ଫିଲ୍ମ ବିରୋଧରେ କ୍ରମାଗତ ଭାବରେ ବିରୋଧର ସ୍ୱର ଉତ୍ତୋଳନ କରାଯାଇଥିଲା । ‘ଏମର୍ଜେନ୍ସି’ ରିଲିଜକୁ ନେଇ ଅକାଲୀ ଦଳ ଏବଂ ଏସଜିପିସି ମଧ୍ୟ ବିରୋଧ କରିଥିଲେ । ସୂଚନାଯୋଗ୍ୟ, କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ଶ୍ରେୟସ୍ ତଲପଡେ, ମିଲିନ୍ଦ ସୋମନ୍, ବିଶାକ୍ ନାୟାର, ମହିମା ଚୌଧୁରୀ ଏବଂ ସତୀଶ କୌଶିକଙ୍କୁ ମଧ୍ୟ ‘ଏମର୍ଜେନ୍ସି’ରେ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ଦର୍ଶକଙ୍କୁ ଫିଲ୍ମର ନୂଆ ରିଲିଜ୍ ଡେଟକୁ ଅପେକ୍ଷା କରିବାକୁ ପଡିବ ।