ରାଜ୍ୟ

ବିପଦସଙ୍କୁଳ ଭାବରେ ଯାତାୟତ କରୁଛନ୍ତି କୁନିକୁନି ଛାତ୍ରଛାତ୍ରୀ, ଟ୍ରାନ୍ସଫର୍ମର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଠିଲା ଦାବି

ଏପଟେ ସ୍କୁଲ ଆଉ ସେପଟେ ରହିଛି ଇଲେକ୍ଟ୍ରିକ୍‌ ଟ୍ରାନ୍ସଫର୍ମର। କୁନିକୁନି ଛାତ୍ରଛାତ୍ରୀମାନେ ସ୍କୁଲ ଭିତରକୁ ଯିବାକୁ ହେଲେ ଟ୍ରାନ୍ସଫର୍ମର ନିକଟ ଦେଇ ଯାଉଛନ୍ତି । ଏମିତି ପ୍ରତିଦିନ ସ୍କୁଲ ପିଲାମାନେ ଏହି ରାସ୍ତା ଦେଇ ଯା ଆସ କରୁଛନ୍ତି । ମୁଣ୍ଡ ଉପରେ ବିଦ୍ୟୁତ୍‌ ତାର ବି ଯାଇଛି । ବିପଦଜ୍ଜନକ ଭାବେ ଛାତ୍ରଛାତ୍ରୀମାନେ ଯାଉଛନ୍ତି ।

ସୁରକ୍ଷିତ ଓ ବିପଦମୁକ୍ତ ଭାବେ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଶିକ୍ଷାବିଭାଗରେ ନିୟମ ରହିଛି । କିନ୍ତୁ କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଥିରେ ଅବହେଳା ଦେଖିବାକୁ ମିଳିଛି । ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ମୋଟ ୬୬ ଜଣ ଛାତ୍ରଛାତ୍ରୀମାନେ ପାଠ ପଢ଼ନ୍ତି । ଆଉ ବିପଦ ଶଙ୍କୁଳ ଭାବରେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରି ପାଠ ପଢୁଛନ୍ତି । ସ୍କୁଲ ପରିସରରେ ଇଲେକ୍ଟ୍ରିକ୍‌ ଟ୍ରାନ୍ସଫର୍ମର ରହିବା ସହ ଇଲେକ୍ଟ୍ରିକ୍‌ ତାର ମଧ୍ୟ ଯାଇଛି । କେତେବେଳେ ଯେ ଅଘଟଣ ଘଟିବ କହିହେବନି । ବିଦ୍ୟୁତ ବିଭାଗ ତରଫରୁ କେବଳ ତାର ବାଡ ଦିଆଯାଇ କାମ କରାଯାଇଛି । କିନ୍ତୁ ସ୍କୁଲ ପାଖରେ ଏମିତି ଇଲେକ୍ଟ୍ରିକ୍‌ ଟ୍ରାନ୍ସଫର୍ମର କେମିତି ସ୍ଥାପନ ହେଲା ତାହା ନିଶ୍ଚୟ ଭାବରେ ଏକ ବଡ଼ ପ୍ରଶ୍ନ । ଛୋଟ ଛୋଟ କୋମଳମତି ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବାକୁ ଆସୁଥିବା ବଳେେ ଅଘଟଣକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପଟେ ଛାତ୍ରଛାତ୍ରୀମାନେ ପଡିଆରେ ଖେଳିବାକୁ ମଧ୍ୟ ଭୟ କରୁଛନ୍ତି । ତେବେ ଏନେଇ ସ୍କୁଲ ତରଫରୁ ଉପରିସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଯାଏଁ ଚିଠି ଲେଖିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ସ୍ଥାନୀୟ ସରପଞ୍ଚ ମଧ୍ୟ ଏହାକୁ ନେଇ ବିଧାୟକଙ୍କୁ ଜଣାଇବା ପରେ ଖୁବଶୀଘ୍ର ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ କହିଛନ୍ତି । ତେବେ ଏନେଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଶିକ୍ଷା ଗ୍ରହଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ ବିଭାଗ ସହିତ ଯୋଗଯୋଗ କରି ତୁରନ୍ତ ଟ୍ରାନ୍ସଫର୍ମର ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ସ୍କୁଲ ପାଖରେ ଥିବା ଏହି ବିଦ୍ୟୁତ ଟ୍ରାନ୍ସଫର୍ମର କେତେ ଯେ ବିପଜ୍ଜନକ ନକହିବା ଭଲ । ତୁରନ୍ତ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ହିଁ କୁନିକୁନି ଛାତ୍ରଛାତୀମାନେ ବିପଦମୁକ୍ତ ହୋଇ ସ୍କୁଲ ଯାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button