ରାଜ୍ୟ

‘ନୂଆ-ଓ’ ବନ୍ଦ: ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ୯-୧୦ ହଜାର

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଉ ୧୦ ହଜାର ଟଙ୍କା ମିଳିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ଲୋକପ୍ରିୟ ଯୋଜନା ‘ନୂଆ-ଓ’କୁ ବନ୍ଦ କରି ଦିଆଯାଇଛି। ଏହି ଯୋଜନା ପାଇଁ ଚଳିତବର୍ଷ ବଜେଟ୍ରେ କୌଣସି ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ।

ବରଂ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ‘ଫାଇନାନ୍ସିଆଲ୍ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ୍ ପିଜି ଷ୍ଟୁଡେଣ୍ଟ’ ନାମକ ଏକ ଯୋଜନା ପ୍ରଣିତ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି ବୋଲି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି।

ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିଥିଲା। ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିଥିଲା। ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ପାଲଟିଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ୍’ କାର୍ଡ ମଧ୍ୟ ଆରମ୍ଭ ହୋଇଥିଲା। ଯାହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢା, ଶୃଙ୍ଖଳା, ଭାଗୀଦାରିତା, କ୍ରୀଡ଼ା, ବ୍ୟକ୍ତିତ୍ବ ବିକାଶ, ପାରଦର୍ଶିତା ଓ ଅନ୍ୟାନ୍ୟ ଗଠନ ମୂଳକ କାର୍ଯ୍ୟ ଜରିଆରେ ପଏଣ୍ଟ ପାଇବା ସହ ସେହି ଅନୁସାରେ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡର ସ୍ତର ବଢ଼ିଥାନ୍ତା।

ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀ ଭଲ କମ୍ପାନିରେ ଚାକିରି, ଷ୍ଟାର୍ଟଅପ ଉଦ୍ୟୋଗ, ଋଣ, ବୃତ୍ତି ଓ ବିଭିନ୍ନ ପ୍ରକାର ସହାୟତା ଏହି କାର୍ଡ ମାଧ୍ୟମରେ ପାଇଥାଆନ୍ତେ। ବସ୍/ଟ୍ରେନ୍/ବିମାନରେ ଯିବା ସମୟରେ ରିହାତି ମିଳିଥାନ୍ତା। ମୋବାଇଲ୍ ରିଚାର୍ଜ ଓ ୱାଇଫାଇ ବ୍ୟବହାର, ଇ-ଲାଇବ୍ରେରି, ଅନ୍ଲାଇନ୍ ଏକାଡେମିକ କୋର୍ସ, ବ୍ୟକ୍ତିତ୍ବ ବିକାଶ କୋର୍ସ, କୋଚିଂ ସେଣ୍ଟର ଓ ଟ୍ୟୁସନ୍ କ୍ଲାସ, ଦକ୍ଷତା ବିକାଶ କୋର୍ସ, କ୍ୟାରିଅର କାଉନସେଲିଂ, ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ନିଯୁକ୍ତିରେ ସହାୟକ ହେଇଥାନ୍ତା। ସରକାରୀ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ସୁବିଧା ଉପଲବ୍ଧ କରାଯାଇଥିଲା। ଅଗଷ୍ଟ ୧୫ରୁ କାର୍ଡ ବଣ୍ଟନ କରାଯିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ବନ୍ଦ ହୋଇଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ପରେ ବିଭିନ୍ନ ଛାତ୍ର ସଙ୍ଗଠନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ବାରା ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଭଳି ଉଚ୍ଚଶିକ୍ଷା ବିଭାଗ ଅଧୀନରେ କୌଣସି ଯୋଜନା ନାହିଁ। ଉଚ୍ଚଶିକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଜନା ଦେବାକୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ନାମରେ ଏକ ସଙ୍ଗଠିତ ଯୋଜନା ପ୍ରଚଳିତ ହୋଇଛି। ଇ-ମେଧାବୃତ୍ତି ଯୋଜନାରେ ସ୍ନାତକ ମେଧାବୃତ୍ତି, ସ୍ନାତକୋତ୍ତର ମେଧାବୃତ୍ତି, ବୈଷୟିକ ଓ ବୃତ୍ତିଗତ ମେଧାବୃତ୍ତି ପ୍ରଦାନ କରାଯାଉଛି। ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି, ବିଭିନ୍ନ ପଛୁଆ ବର୍ଗର ଗରିବ ପରିବାର ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟକ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କଳିଙ୍ଗ ଶିକ୍ଷା ସାଥୀ ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବାକୁ ରାଜ୍ୟ ସରକାର ୧୦୦% ସୁଧ ରିହାତି ବ୍ୟବସ୍ଥା କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button