କାମାକ୍ଷାନଗର ମତ୍ସ୍ୟବିଭାଗ କାର୍ଯ୍ୟାଳୟ ପାଲଟିଛି ଭୂତକୋଠି

କାମାକ୍ଷାନଗର: ମାଛଚାଷର ଉନ୍ନତି ସାଙ୍ଗକୁ ଚାଷୀଙ୍କର ହେବ ଉନ୍ନତି । ସବୁ ପ୍ରକାରର ସରକାରୀ ସୂଚନା ପାଇ ମାଛ ଚାଷୀ ଭଲ ଭାବରେ କରିବେ ଚାଷୀ । ନିଜେ ସ୍ୱାବଲମ୍ବୀ ହୋଇପାରିବା ସହ ରାଜ୍ୟର ମାଛ ସଙ୍କଟ ଦୂର ହେବ । ସେଥିପାଇଁ ସରକାର କରିଥିଲେ ପ୍ରସ୍ତୁତି । ଆଉ ସେହି ଉଦେଶ୍ୟରେ ନିର୍ମାଣ କରାଯାଇଥିଲା କାମାକ୍ଷାନଗର ମତ୍ସ୍ୟବିଭାଗର ନୂତନ କୋଠା ।
କିନ୍ତୁ ଘର ନିର୍ମାଣ ସରି କାର୍ଯ୍ୟାଳୟ ର ଫଳକ ଲାଗିବା ପରେ ମଧ୍ୟ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ।
କାମାକ୍ଷାନଗର ସହରର ୱାର୍ଡ ନମ୍ବର ୬ରେ ପ୍ରାୟ ତିରିଶ ବର୍ଷରୁ ଅଧିକ ସମୟ ଧରି ରହିଆସଛି ମତ୍ସ୍ୟବିଭାଗ କାର୍ଯ୍ୟାଳୟ । କାମାକ୍ଷାନଗର ଏକ ଉପଖଣ୍ଡ ହୋଇଥିବାରୁ ଉପଖଣ୍ଡରେ ଥିବା ଚାରୋଟି ବ୍ଲକ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକର ଶତାଧିକ ମାଛଚାଷୀଙ୍କ ଭାତହାଣ୍ଡି ଥିଲା ଏହି କାର୍ଯ୍ୟାଳୟ । ଏଠାରୁ ମାଛଚାଷ ପାଇଁ ବିଭିନ୍ନ କିସମର ଜାଆଁଳ, ଚାଷ ସମ୍ବଧୀୟ ତାଲିମ ଇତ୍ୟାଦି ସଂଗ୍ରହ କରି ଅଞ୍ଚଳର ଶତାଧିକ ମାଛଚାଷୀ ଉପକୃତ ହୋଇଥାନ୍ତି । କିନ୍ତୁ ଏହି କାର୍ଯ୍ୟାଳୟ ଏବେ କୋମାରେ ।
ଫାଟକ ସାମ୍ନାରେ ତାଲା ଝୁଲିଥିବା ବେଳେ କାର୍ଯ୍ୟାଳୟ ପରିସରରେ ପଡି ରହିଛି କୁଢ଼କୁଢ଼ ଅଳିଆ, ଆବର୍ଜନା ଓ ମଦ ବୋତଲ । କହିବାକୁ ଗଲେ ଭୂତକୋଠି ପାଲଟିଛି । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟରେ ଥିବା ଅନେକ ବୈଦ୍ୟୁତିକ ଉପକରଣ ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି । କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଯୋଗୁ ଲଟି, ବୁଦା ହୋଇ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ କୌଣସି ଭୂତକୋଠି ଠାରୁ କମ ଦେଖାଯାଉନାହିଁ । ସେଠାରେ ତାଲା ଝୁଲୁଥିବା ବେଳେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଙ୍କ ଦେଖା ମିଳୁନାହିଁ । ଫଳରେ ମାଛ ଚାଷୀ ମାନେ ନୂତନ ଜ୍ଞାନକୌଶଳ ଓ ସରକାରୀ ସହାୟତା କିମ୍ବା ଯୋଜନା ସମ୍ପର୍କ ରେ କୌଣସି ତଥ୍ୟ ପାଉନଥିବା ଅଭିଯୋଗ କରିଛନ୍ତି।
ସରକାରଙ୍କ ସହାୟତାରୁ ସିଫା ଯୋଜନାରେ ଯେଉଁ ଜାଆଁଳ କେଜି ପ୍ରତି ୧୦୦ ରୁ ୧୫୦ ଟଙ୍କାରେ କିଣିବା କଥା ଚାଷୀମାନେ ସେହି ଜାଆଁଳ କିଣିବା ପାଇଁ ବାରିପଦା, ଚନ୍ଦନେଶ୍ୱର, ମୟୁରଭଞ୍ଜ, ବାଲେଶ୍ୱର ପ୍ରଭୂତି ସ୍ଥାନରେ ଥିବା ଜାଆଁଳ ବେପାରୀଙ୍କ ଠାରୁ କେଜି ପ୍ରତି ୮୦୦ ରୁ ୯୦୦ ଟଙ୍କାରେ କ୍ରୟ କରିଥାନ୍ତି । ଫଳରେ ଚାଷୀମାନେ ଅନେକ ସମୟରେ ଛାଷରୁ ଲାଭ କ୍ଷତିର ଆକଳନ କରିନପାରି ମାଛଚାଷରୁ ବିମୁଖ ହେବାକୁ ବାଧ୍ୟ ହେଉଛନ୍ତି ।
ଫଳରେ କାମାକ୍ଷାନଗର ଉପଖଣ୍ଡ ର ଶତାଧିକ ଚାଷୀ ଏବେ ମାଛଚାଷ କୁ ନେଇ ଚିନ୍ତାରେ । ତେବେ କାହିଁକି ଦୀର୍ଘ ବର୍ଷ ଧରି ମତ୍ସ୍ୟବିଭାଗ କାର୍ଯ୍ୟାଳୟରେ ତାଲା ଝୁଲୁଛି ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଖୁବ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ କଥାହୋଇ କିପରି କାର୍ଯ୍ୟାଳୟକୁ ଖୋଲାଯିବ ଓ ଚାଷୀମାନେ ସମସ୍ତ ପ୍ରକାର ସରକାରୀ ସହାୟତା ପାଇପାରିବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବା କହିଥିଲେ । ଦିନକୁଦିନ ମାଛଚାଷ ପ୍ରତି ଚାହିଦା ବଢୁଥିବା ବେଳେ କାମାକ୍ଷାନଗର ଅଞ୍ଚଳର ମାଛଚାଷୀଙ୍କ ପାଇଁ ଭୂତ କୋଠି ପାଲଟିଛି ମତ୍ସ୍ୟବିଭାଗ କାର୍ଯ୍ୟାଳୟ । ତୁରନ୍ତ ପ୍ରଶାସନ ଓ ସରକାର ଏହା ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାଳୟ କୁ ଖୋଲାଇବା ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି ମାଛଚାଷୀ ।




