କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ନଦୀରେ ଫିଙ୍ଗି ଦେଲେ

ସାମାନ୍ୟ ବଚସା ନେଲା ଉଗ୍ରରୂପ। କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଲେ। ଝାରସୁଗୁଡ଼ା ସଦର ଥାନା ବେହେରାପାଟରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାହାଜାହାନ ଖାଁ। ସାହାଜାହାନ ଘର ଝାରସୁଗୁଡା ସହର ସ୍ଥିତ ମଙ୍ଗଳବଜାର ଅଞ୍ଚଳର ବୋଲି ଜଣାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଓ ଅନ୍ୟ ଜଣଙ୍କୁ ଅଟକ ରଖିଛି।
ଗତକାଲି ରାତିରେ ଇମ୍ରାନ ଓ ତାଙ୍କ ସହଯୋଗୀ ସାହାଜାହାନଙ୍କ କୁକୁଡ଼ା ଫାର୍ମକୁ ଆସିଥିଲେ। କୌଣସି କଥାକୁ ଇମ୍ରାନ ଓ ସାହାଜାହାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଇମ୍ରାନ ଉତ୍କ୍ଷିପ୍ତ ହୋଇ ସାହାଜାହାନଙ୍କୁ ଗୁଳି କରି ହତ୍ୟା କରିଥିଲେ ଓ ପରେ ମୃତଦେହକୁ ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ପୁଲିସ କୌଣସି ସୁତ୍ରରୁ ଘଟଣା ସଂପର୍କରେ ଖବର ପାଇଥିଲା। ପରେ ଇମ୍ରାନ ଓ ତାର ସହଯୋଗୀକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା କରିବା ପରେ ଇମ୍ରାନ ପୁଲିସ ନିକଟରେ ସବୁକଥା କହିଥିଲା।
ଡଗ୍ ସ୍କ୍ବାଡ୍, ସାଇଣ୍ଟିଫିକ ଟିମ ଓ ପୁଲିସ ପହଞ୍ଚି ଅଧିକ ଖୋଳତାଡ ଚଳାଇଛନ୍ତି। ଏଯାଏ ମୃତଦେହ କି ଗୁଳିକାଣ୍ଡରେ ବ୍ୟବହାର ବନ୍ଧୁକ ପୁଲିସକୁ ମିଳିନାହିଁ।
ମୃତଦେହ ଠାବ କରିବାକୁ ତନାଘନା ଚଳାଇଛି ଝାରସୁଗୁଡ଼ା ପୁଲିସ। ବ୍ୟବସାୟୀ ଶ୍ରତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।




