ଦେଶ- ବିଦେଶ

ବ୍ୟାଙ୍କିଙ୍ଗ୍‌ ସୂତ୍ର: ଡିମାଟ୍‌ ଆକାଉଣ୍ଟ୍‌

ବ୍ୟାଙ୍କ୍‌ ଆକାଉଣ୍ଟ ପରି ଡିମାଟ୍‌ ଆକାଉଣ୍ଟ୍‌ ହେଉଛି ସେୟାର୍‌ ସାର୍ଟିଫିକେଟ୍‌ ଓ ଅନ୍ୟାନ୍ୟ ସିକ୍ୟୁରିଟି ସୁରକ୍ଷିତ ରଖିବାର ଏକ ଖାତା। ଡିମାଟ୍‌ ଆକାଉଣ୍ଟ୍‌ ଡିମେଟେରିଆଲାଇଜେସନ୍‌ ଖାତାର ସଂକ୍ଷିପ୍ତ ରୂପ ଅଟେ ଏବଂ ଏହା ସେୟାର୍‌ ବଣ୍ଡ୍‌, ସରକାରୀ ସିକ୍ୟୁରିଟି, ମ୍ୟୁଚୁଆଲ୍‌ ଫଣ୍ଡ୍‌, ଇନ୍‌ସୁରାନ୍ସ ଓ ଇଟିଏଫ୍‌ ପରି ନିବେଶଗୁଡ଼ିକୁ ସାଇତି ରଖିବା ପ୍ରକ୍ରିୟାକୁ ସହଜ କରିଥାଏ, ଯା‌ହାଦ୍ବାରା ତଥ୍ୟ ହଜିଯିବା କିମ୍ବା ନଷ୍ଟ ହେବାର କୌଣସି ଆଶଙ୍କା ନଥାଏ।

 ଡିମାଟ୍‌ ଆକାଉଣ୍ଟ ଖୋଲିବେ କିପରି?
ଡିମାଟ୍‌ ଆକାଉଣ୍ଟ୍ ଖୋଲିବା ବେଳେ ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଡିପୋଜିଟୋରି ଲିମିଟେଡ୍‌ (ଏନ୍‌ଏସ୍‌ଡିଏଲ୍‌) କିମ୍ବା ସେଣ୍ଟ୍ରାଲ୍‌ ଡିପୋଜିଟୋରି ସର୍ଭିସେସ୍‌ ଲିମିଟେଡ୍‌ (ସିଏସ୍‌ଡିଏଲ୍‌) ଅଧୀନରେ ଗୋଟିଏ ଖାତା ଖୋଲାଯାଏ। ଏନ୍‌ଏସ୍‌ଡିଏଲ୍‌ ଓ ସିଏଲ୍‌ଡିଏଲ୍‌ ‘ଡିପୋଜିଟୋରି ପାର୍ଟିସିପେଣ୍ଟ୍‌’ (‘ଡିପି’)ଭୂମିକାରେ ଜଣେ ଏଜେଣ୍ଟ୍‌୍ଙ୍କୁ ନିଯୁକ୍ତ କରନ୍ତି, ଯେଉଁମାନେ ସଂସ୍ଥା ଓ ନିବେଶକଙ୍କ ଭିତରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରନ୍ତି। ଉଦାହରଣସ୍ୱରୂପ, ଆପଣଙ୍କର ବ୍ୟାଙ୍କ ଏକ ‘ଡିପି’, ଯାହା ସହିତ ଆପଣ ଏକ ଡିମାଟ୍‌ ଆକାଉଣ୍ଟ୍ ଖୋଲିପାରିବେ। ଷ୍ଟକ୍‌ ବ୍ରୋକର୍‌ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଗୋଟିଏ ଗୋଟିଏ ‘ଡିପି’, ଯାହାଙ୍କ ଜରିଆରେ ଡିମାଟ୍‌ ଆକାଉଣ୍ଟ୍‌ ଖୋଲି ହେବ। ଯେମିତି ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଟଙ୍କା ଥାଏ, ସେମିତି ଡିମାଟ୍ ଆକାଉଣ୍ଟ୍ ଆପଣଙ୍କ ନିବେଶକୁ ଏକ ଇଲେକ୍ଟ୍ରୋନିକ୍‌ ଫର୍ମାଟ୍‌ରେ ରଖିଥାଏ। ଏହା ଇଣ୍ଟର୍‌ନେଟ୍‌ ଜରିଆରେ ସହଜରେ ଉପଲବ୍ଧ ହୋଇଥାଏ। ୟୁନିକ୍‌ ଲଗ୍‌ଇନ୍‌ ଆଇଡି ଓ ପାସ୍‌ୱାର୍ଡ ଦ୍ବାରା ଏହି ଆକାଉଣ୍ଟ୍‌ ଚଳାଇପାରିବେ। ବ୍ୟାଙ୍କ୍‌ ଆକାଉଣ୍ଟ୍‌ ପରି, ଡିମାଟ୍‌ ଆକାଉଣ୍ଟ୍‌ରେ ‘ସର୍ବନିମ୍ନ ବାଲାନ୍‌ସ’ ରହିବା ଜରୁରି ନୁହେଁ।
 ଡିମାଟ୍‌ ଆକାଉଣ୍ଟ୍‌ର ମୁଖ୍ୟ ଉପାଦାନ:
ଡିମାଟ୍‌ ଆକାଉଣ୍ଟ୍‌ ଖୋଲିଲେ ଆପଣ ନିମ୍ନଲିଖିତ ବିବରଣୀ ପାଇପାରିବେ
 ଡିମାଟ୍‌ ଆକାଉଣ୍ଟ୍‌ ନମ୍ବର: ସିଏସ୍‌ଡିଏଲ୍‌ ଅଧୀନରେ ଖୋଲୁଥିବା ଖାତ‌ା ‘ବେନିଫିସିଆରି ଆଇଡି’ ଭାବେ ନାମିତ। ଏହା ୧୬ ଅକ୍ଷର ବିଶିଷ୍ଟ।
 ଡିପି ଆଇଡି: ଏହି ଆଇଡି ଜମାକାରୀଙ୍କୁ ଦିଆଯାଇଥାଏ। ଏହା ଆପଣଙ୍କ ଡିମାଟ୍‌ ଆକାଉଣ୍ଟ୍‌ ନମ୍ବରର ଏକ ଅଂଶ।
 ପିଓଏ ନମ୍ବର: ଏହା ପାୱାର୍‌ ଅଫ୍‌ ଆଟର୍ଣ୍ଣିଂ ଚୁକ୍ତିନାମାର ଏକ ଅଂଶ, ଯେଉଁଠାରେ ଜଣେ ନିବେଶକ ଷ୍ଟକ୍‌ ବ୍ରୋକର୍‌କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ଆକାଉଣ୍ଟ୍‌ ଚଳାଇବାକୁ ଅନୁମତି ଦିଅନ୍ତି।
 ଡିମାଟ୍‌ ଆକାଉଣ୍ଟ୍‌ର ସୁବିଧା:
 ଡିମାଟ୍‌ ଆକାଉଣ୍ଟ୍‌ରେ ପେପର୍‌ ସାର୍ଟିଫିକେଟ୍‌ର କୌଣସି ଅ‌ାବଶ୍ୟକତା ନାହିଁ।
 ଏହାକୁ ସୁବିଧାରେ ଷ୍ଟୋରେଜ୍‌ କରିହେବ। ଆପଣଙ୍କ ସେୟାର୍‌ଗୁଡ଼ିକୁ ସୁବିଧା ମୁତାବକ ଓ ସହଜରେ ଟ୍ରାନ୍ସଫର୍‌ କରିପାରିବେ।
 ଏହାକୁ ସହଜରେ ମୋବାଇଲ୍‌ କିମ୍ବା ଲାପ୍‌ଟପ୍‌ ମାଧ୍ୟମରେ ଘରେ ବସି ଆକ୍ସେସ୍‌ କରାଯାଇପାରିବ।
 ଷ୍ଟକ୍‌ ମାର୍କେଟ୍‌ ସେୟାର୍‌ ଛଡ଼ା ଆପଣ ବିଭିନ୍ନ ପ୍ରକାରର ଆସେଟ୍‌, ଯେପରିକି ମ୍ୟୁଚୁଆଲ୍‌ ଫଣ୍ଡ୍‌, ଗଭର୍ଣ୍ଣମେଣ୍ଟ ସିକ୍ୟୁରିଟି, ‌ଏକ୍ସଚେଞ୍ଜ ଟ୍ରେଡ୍‌ ଫଣ୍ଡ୍‌ସ (ଇଟିଏଫ୍‌) ଇତ୍ୟାଦି ବ୍ୟବହାର କରିପାରିବେ।
 ଡିମାଟ୍‌ ଆକାଉଣ୍ଟରେ ଜମାକାରୀ ଚାହିଁଲେ ନୋମିନିଙ୍କ ନାମ ପଞ୍ଜୀକୃତ କରିପାରିବେ। ନିବେଶକଙ୍କର ମୃତ୍ୟୁ ହେଲେ ନୋମିନି ସେୟାର୍‌ ମାଲିକାନା ପାଇବେ। ଏହା ନିବେଶକଙ୍କୁ ଆଇନଗତ ବିବାଦରୁ ବର୍ତ୍ତିବା ପାଇଁ ସହାୟକ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button