ରାଜ୍ୟ

ଆର୍‌ଟିଆଇ ଭେଳିକି: ତଥ୍ୟ ଦେବାକୁ ଖେଳୁଛନ୍ତି ଅଧିକାରୀ

ଭୁବନେଶ୍ବର: ଷ୍ଟାର୍ଟଅପ୍‌ ଓଡ଼ିଶାରେ ହୋଇଥିବା କେଳେଙ୍କାରୀର ତନାଘନା ଚାଲିଥିବା ବେଳେ ଇନ୍‌ଷ୍ଟୁଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ ଆଣ୍ଡ ଆପ୍ଲିକେସନ୍ସରେ ମଧ୍ୟ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ବେଳେ ବିଚିତ୍ର କଥା ସାମ୍ନାକୁ ଆସିଛି। ଏହି ଅନୁଷ୍ଠାନ ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ରହିଛି।

ଉଭୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ ଆଣ୍ଡ ଆପ୍ଲିକେସନ୍ସ (ଆଇଏମ୍‌ଏ) ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗା ଯାଇଥିଲା। ଉଭୟ ଉଭୟ ଜନ ସୂଚନ‌ା ଅଧକାରୀଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଚିଠି ଲେଖି ବସି ଯାଇଛନ୍ତି। ତଥ୍ୟ ନ ଦେବା ପାଇଁ ଏହା ଏକ ବିଧିବଦ୍ଧ ଷଡ୍‌ଯନ୍ତ୍ର ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।

ଷ୍ଟାର୍ଟ ଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍‌କାର ରାଏ ଜଣେ ନିୟମିତ ସରକାରୀ କର୍ମଚାରୀ ହୋଇ ନଥିବାରୁ ତାଙ୍କ ଏନ୍‌ପିଏସ୍‌ (ଜାତୀୟ ପେନସନ ସ୍କିମ) ଆକାଉଣ୍ଟରେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଜମା କରିଥିବା ଅଂଶଧନ ଓମ୍‌କାର ରାଏଙ୍କ ଠାରୁ ୩% ସୁଧ ସହ ଆଦାୟ କରିବାକୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ତା ସହିତ ଏଥିରେ ହୋଇଥିବା କେଳେଙ୍କାରୀର ଏକ ସ୍ବତନ୍ତ୍ର ଦଳ ଦ୍ବାରା ତଦନ୍ତ ଚାଲିଛି। ଠିକ୍‌ ଅନୁରୂପ ଢ଼ଙ୍ଗରେ ଆଇଏମ୍‌ଏରେ ମଧ୍ୟ କେଳେଙ୍କାରୀ ହୋଇଥିବା ଅଭିଯୋଗ ହେବା ପରେ ଅନୁଷ୍ଠାନ ସହ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିଲା। ହେଲେ ସଂସ୍ଥା ସୂଚନା ଦେବାକୁ ଚାହିଲା ନାହିଁ। ଏ ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗା ଯାଇଥିଲା। ପ୍ରଥମେ ବିଜ୍ଞାନ ଓ ବୈଷୟିକ ବିଭାଗକୁ ସୂଚନା ମଗା ଯାଇଥିଲା। ଏଠାରେ କାମ କରୁଥିବା ବରିଷ୍ଠ ଅଧିକାରୀ ଅଳକା ରାଏଙ୍କର ଏନ୍‌ପିଏସ୍‌ ଆକାଉଣ୍ଟରେ ଅନୁଷ୍ଠାନ ପକ୍ଷରୁ ଅଂଶଧନ ଜମା ହେଉଛି କି ନାହିଁ ଆବେଦନକାରୀ ଜାଣିବାକୁ ଚାହିଥିଲେ। ଏହି ଆବେଦନ ବିଜ୍ଞାନ ଓ ବୈଷୟିକ ବିଭାଗରେ ପହଞ୍ଚିବା ପରେ ବିଭାଗ, ଗତ ୧୩ ତାରିଖରେ ଏହି ସୂଚନା ପ୍ରଦାନ କରିବାକୁ ଆଇଏମ୍‌ଏକୁ ଚିଠି ଲେଖିଥିଲା। ଠିକ୍‌ ଏହାର ତିନିଦିନ ପରେ ବା ୧୬ ତାରିଖରେ ଆଇଏମ୍‌ଏ ଏହି ସୂଚନା ପ୍ରଦାନ କରିବାକୁ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଚିଠି ଲେଖିଛି। ଏବେ କିଏ ଏହି ସୂଚନା ପ୍ରଦାନ କରିବ?

କେବଳ ଏହି ଦୁଇ ବିଭାଗ କିମ୍ବା ଅନୁଷ୍ଠାନ ନୁହେଁ, ବରଂ ଯେଉଁଠି କେଳେଙ୍କାରୀ ହୋଇଛି ସେଠାରେ ଅଧିକାରୀମା‌ନେ ଆଖିରେ ଆଙ୍ଗୁଠି ଗେଞ୍ଜି ଏହି ଆରଟିଆଇ ଆଇନକୁ ଫୁ କରି ଦେଉଛନ୍ତି। ସରକାରୀ ଅଧିକାରୀଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଛି। ବଡ଼କଥା ହେଉଛି ଅନେକ ଅଧିକାରୀ ଆଇନର ବାହାରକୁ ଯାଇ ଆବେଦନକାରୀକୁ ଅଫିସ ଡାକି ଧମକ ଦେଉଛନ୍ତି। ଏଣେ ଏହି ଆଇନକୁ ଆହୁରି ସହଜ କରିବାକୁ ଯେଉଁ ଅନ୍‌ଲାଇନ୍‌ ବ୍ୟବସ୍ଥା ହୋଇଥିଲା ତାହାକୁ ମଧ୍ୟ ଅଧିକାରୀମାନେ ଅଚଳ କରି ରଖିଥିବା ସୂଚନା ଅଧିକାର କର୍ମୀ ଦିଲିପ ବରାଳ ଅଭିଯୋଗ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button