ରାଜ୍ୟ

ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା: ଚା ପିଉଥିବା ଲୋକଙ୍କ ଉପରେ ମାଡ଼ିଗଲା ଗାଡ଼ି, ୪ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳୁ ଓଭରଟେକ୍‌ ସମୟରେ ବସ୍ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଚା ଦୋକାନ ଉପରକୁ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମାଡ଼ି ଯାଇଥିଲା। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ଚା ଦୋକାନରେ ଚା ପିଉଥିବା ୩ ଜଣ ଓ ବସ୍‌ର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀ ବାହି ବସ୍‌ଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କର ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା।

ସମରଝୋଳ ଛକରେ ତେଲ ଟ୍ୟାଙ୍କର ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଗାଡ଼ି ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲେ। ବସ୍ ତଳେ ଚାପି ହୋଇ ଚା ପିଉଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖମ୍ବେଶ୍ୱରୀ’ନାମକ ଯାତ୍ରୀବାହୀ ବସ୍‌ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା। କଞ୍ଜୁରୁ ଛକଠାରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ପଠାଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣା ଯୋଗୁଁ ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button