ଲାଇଭ୍ ପ୍ରେସ୍ ମିଟ୍ ବେଳେ ଟଳି ପଡ଼ିଲେ କଂଗ୍ରେସ କର୍ମୀ

ଲାଇଭ୍ ପ୍ରେସ୍ ମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ। ଭାଷଣ ଦେଉଥିବା ବେଳେ ହଠାତ୍ ଚୁପ୍ ହୋଇଗଲେ। ଦେଖୁ ଦେଖୁ ଉଡିଗଲା ପ୍ରାଣବାୟୁ। ସର୍ବସମ୍ମୁଖରେ ଟଳି ପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍। ସୋମବାର ବେଙ୍ଗାଲୁରୁର ପ୍ରେସ କ୍ଲବରେ ଏକ ଲାଇଭ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି।
କର୍ଣ୍ଣାଟକର ବହୁ ଚର୍ଚ୍ଚିତ ମଇସୁର ଅର୍ବାନ୍ ଡେଭଲପମେଣ୍ଟ ଅଥରିଟି ତଥା MUDA ଦୁର୍ନୀତି ପ୍ରସଙ୍ଗରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ନିକଟରେ ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଥାବରଚାନ୍ଦ ଗେହଲଟ୍ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ନୋଟିସ୍ ବିଷୟରେ ରବିଚନ୍ଦ୍ରନ୍ ପ୍ରେସ୍ ମିଟ୍ରେ କହୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।
ଚୌକି ଉପରେ ବସିଥିବା ବେଳେ ତାଙ୍କ ହାତରୁ ହଠାତ୍ ମାଇକ୍ରୋଫୋନ୍ଟି ତଳେ ଖସ ପଡିଥିଲା। ପରେ ସେ ଥରି ଥରି ନିଜ ଚୌକିରୁ ତଳେ ପଡି ଯାଇଥିଲେ। ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତୁ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।
ସୂଚନାଯୋଗ୍ୟ ଯେ ରବିଚନ୍ଦ୍ରନ କଂଗ୍ରେସ ଅଭିଯାନ କମିଟିର ସଦସ୍ୟ ଥିଲେ। ମଇସୁର ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟପାଳଙ୍କ ବିରୋଧରେ ସେ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ।
ପୋଲିସ କହିଛି ଯେ ହୃଦଘାତ ପରେ ରବିଚନ୍ଦ୍ରନଙ୍କୁ ଚିକିତ୍ସା ପାଇଁ କୁନିଙ୍ଗହାମ ରୋଡରେ ଥିବା ଫୋର୍ଟିସ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଶୋକର ଛାୟା ଖୋଳି ଯାଇଛି।




