ସାବରମତି ଏକ୍ସପ୍ରେସ ଦୁର୍ଘଟଣାରେ ନୂଆ ମୋଡ଼, ଦୁର୍ଘଟଣା ନୁହେଁ ହୋଇଥିଲା ଷଡଯନ୍ତ୍ର!

ସାବରମତି ଏକ୍ସପ୍ରେସ ଦୁର୍ଘଟଣାରେ ନୂଆ ମୋଡ଼ । ଦୁର୍ଘଟଣା ନୁହେଁ ବରଂ ହୋଇଥିଲା ଷଡଯନ୍ତ୍ର! ବାରାଣାସୀରୁ ଅହମ୍ମଦାବାଦକୁ ଯାଉଥିବା ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାର ଚାଲିଛି ତଦନ୍ତ । ଆଉ ତଦନ୍ତରୁ ଅନୁମାନ କରାଯାଉଛି ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ଷଡଯନ୍ତ୍ର । ଆପଣଙ୍କୁ କହି ରଖୁଛୁ ଏହି ବଡ଼ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଶହ ଶହ ଯାତ୍ରୀ ।
ଯଦି ଟିକେ ଏପଟ ସେପଟ ହୋଇଥାନ୍ତା ତେବେ କେତେ ଯେ ଯାତ୍ରୀଙ୍କ ଜୀବନ ଯାଇଥାନ୍ତା ତାହା କହି ହେବନି । ତେବେ ଏ ଟ୍ରେନ ଲାଇନଚ୍ୟୁତ ହେବା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
କାହିଁକି ନା ଏହା କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇନି । ହଁ ଆଜ୍ଞା ଟ୍ରାକ୍ ଉପରେ ରହିଥିଲା ବୋଲ୍ଡର ବା ବଡ଼ ପଥର । ଯାହା ଫଳରେ ଘଟିଛି ଏମିତି ଦୁର୍ଘଟଣା । ତେବେ ତଦନ୍ତ ସମୟରେ ଏହା ଏକ ଷଡଯନ୍ତ୍ର ବୋଲି ସନ୍ଦେହ କରାଯାଉଛି । ଟ୍ରେନ୍ ଦୁର୍ଘଟଣା ପଛରେ ଷଡଯନ୍ତ୍ର ହେବାର ସମ୍ଭାବନାକୁ ସେହି ସ୍ଥାନରୁ ମିଳିଥିବା ଟ୍ରାକ ଏବଂ କ୍ଲମ୍ପରୁ ଖଣ୍ଡନ କରାଯାଇପାରିବ ନାହିଁ । ତେବେ ଏଟିଏସ୍ ସମେତ ଅନେକ ଅନୁସନ୍ଧାନକାରୀ ସଂସ୍ଥା ଷଡଯନ୍ତ୍ରକାରୀଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ଏଟିଏସ୍, ପୋଲିସ୍, ଆରପିଏଫ୍ ତଥା ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଖୁବ ସକ୍ରିୟ ଅଛନ୍ତି ।
ଘଟଣାର ଅନୁସନ୍ଧାନ ପାଇଁ ପ୍ରାୟ ଦୁଇ ହଜାର ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯିବ । ଶୁକ୍ରବାର ଦିନ ବିଳମ୍ବିତ ରାତି ୨.୩୫ ରେ ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । କାନପୁର ଓ ଭୀମସେନ ଷ୍ଟେସନ୍ ମଧ୍ୟରେ ଲାଇନ୍ ଚ୍ୟୁତ ହୋଇଛି ସାବରମତି ଏକ୍ସପ୍ରେସ୍ । ଏକାସାଙ୍ଗେ ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଭୋର ୫ଟା ୨୧ ମିନିଟରେ କାନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍ । ସାବରମତି ଟ୍ରେନ୍ କାନପୁରରୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଲୋକୋ ପାଇଲଟଙ୍କ କହିବା ଅନୁସାରେ ଟ୍ରାକରେ ବୋଲ୍ଡର ରହିଥିଲା ଯେଉଁଥିପାଇଁ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଥିଲା । ଏଭଳି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଟ୍ରେନରେ ପ୍ରାୟ ୧୭୦୨ ଜଣ ଯାତ୍ରୀ ଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କାନପୁର ନିକଟରେ ଟ୍ରାକରେ ରଖାଯାଇଥିବା ବୋଲ୍ଡର ହିଁ ଦୁର୍ଘଟଣାର କାରଣ । ଆଇବି ଏବଂ ଉତ୍ତର ପ୍ରଦେଶ ପୋଲିସ ଏବେବି ଏହାର ତଦନ୍ତ କରୁଛନ୍ତି । କାରଣ ଏହା ଏକ ଆତ୍ମଘାତୀ କାର୍ଯ୍ୟ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଫରେନସିକ୍ ଟିମ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହି ଟ୍ରାକର ଏକ ଖଣ୍ଡକୁ ଏକ କ୍ଲାମ୍ ସାହାଯ୍ୟରେ ବାନ୍ଧି ଦିଆଯାଇଥିଲା ।
ଟ୍ରେନକୁ ଓଲଟାଇବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ପୋଲିସ ଘଟଣାସ୍ଥଳ ନିକଟରେ ଥିବା ଏକ ସିସିଟିଭି ଫୁଟେଜ ପାଇଛି । ଆଉ ଏହି ଫୁଟେଜରୁ ଅଭିଯୁକ୍ତଙ୍କ ସନ୍ଧାନ କରାଯାଉଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଟ୍ରେନର ଯାତ୍ରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ରେକର୍ଡ କରିବାକୁ ପୋଲିସ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯଦି ଏହା ଏକ ଷଡ଼ଯନ୍ତ୍ର ତେବେ ତୁରନ୍ତ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ଦେଉଛି ।