ଦେଶ- ବିଦେଶ

ଆହୁରି ଜଟିଳ ହେବ ଶେଖ ହସିନାଙ୍କ ସମସ୍ୟା, ଅନ୍ତର୍ଜାତୀୟ ଅପରାଧ କୋର୍ଟରେ ରୁଜୁ ହେଲା ନରସଂହାର ମାମଲା

ଢାକା: ବାଂଲାଦେଶ ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ଆହୁରି ଜଟିଳ ହେବ। ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ (ଆଇସିଟି)ରେ ବୁଧବାର ଶେଖ ହସିନା ଓ ଅନ୍ୟ କେତେକଙ୍କ ବିରୋଧରେ ଅଭିଯୋଗ ରୁଜୁ କରାଯାଇଛି, ଯେଉଁଥିରେ ତାଙ୍କ ସରକାର ବିରୋଧରେ ଛାତ୍ରଙ୍କ ବଡ଼ ଧରଣର ଆନ୍ଦୋଳନ କାଳରେ ନରସଂହାର ଓ ମାନବିକତା ବିରୋଧରେ ଅପରାଧର ଅଭିଯୋଗ ହୋଇଛି।

ଆଇସିଟି ଯାଞ୍ଚ ଏଜେନ୍ସୀର ଜନୈକ ଅଧିକାରୀ ଏ ନେଇ ସୂଚନା ଦେଇଥିବା ବେଳେ ସେ କହିଛନ୍ତି ଯେ ଏହି ଅଭିଯୋଗ ସେହି ଛାତ୍ରଙ୍କ ମଧ୍ୟରୁ ଜଣକର ପିତା ରୁଜୁ କରିଛନ୍ତି ଯାହାଙ୍କର ବିରୋଧ ପ୍ରଦର୍ଶନ କାଳରେ ପୋଲିସ ଗୁଳିରେ ମୃତ୍ୟୁ ହୋଇଛି। ବାଂଲାଦେଶ ସୁପ୍ରିମକୋର୍ଟର ଜନୈକ ଓକିଲ ନବମ ଶ୍ରେଣୀର ଛାତ୍ର ଆରିଫ ଅହମଦ ସିୟାମଙ୍କ ପିତା ବୁଲବୁଲ କବିରଙ୍କ ପକ୍ଷରୁ ଏହି ଅଭିଯୋଗ ରୁଜୁ କରିଛନ୍ତି।

ସରକାରୀ ଗଣମାଧ୍ୟମ ବିଏସଏସ ଅନୁସାରେ ଅଭିଯୋଗରେ ହସିନା ତଥା କେତେକ ଅନ୍ୟ ଲୋକଙ୍କ ବିରୋଧରେ ନରସଂହାର ଓ ମାନବତା ବିରୋଧରେ ଅପରାଧ ଧାରାରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଏପରି ସମୟରେ ରୁଜୁ ହୋଇଛି ଯେତେବେଳେ ଅନ୍ତରୀଣ ସରକାର ୧ ଜୁଲାଇରୁ ୫ ଅଗଷ୍ଟ ମଧ୍ୟରେ ହୋଇଥିବା ସମସ୍ତ ହତ୍ୟାର ଶୁଣାଣି ଆଇସିଟିରେ ହେବ ବୋଲି ଘୋଷଣା କରିଛନ୍ତି। ଅଭିଯୋଗରେ ୭୬ ବର୍ଷ ବୟଷ୍କା ହସିନା ଓ ଅନ୍ୟଙ୍କ ବିରୋଧରେ ୧୫ ଜୁଲାଇରୁ ୫ ଅଗଷ୍ଟ ମଧ୍ୟରେ ସାମୂହିକ ହତ୍ୟାକାଣ୍ଡ ଭିଆଇଥିବାର ଆରୋପ ଲଗାଯାଇଛି।

ଆଇସିଟିର ଗଠନ ୧୯୭୧ ମୁକ୍ତି ସଂଗ୍ରାମ କାଳରେ ପାକିସ୍ତାନୀ ସୈନିକଙ୍କୁ ସହାୟତା କରିଥିବା ବଙ୍ଗଳାଭାଷୀ ଅପରାଧୀଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ପାଇଁ କରାଯାଇଥିଲା। ଏବେ ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆବାମୀ ଲିଗ୍ ସାଧାରଣ ସମ୍ପାଦକ ତଥା ପୂର୍ବତନ ସଡ଼କ ପରିବହନ ମନ୍ତ୍ରୀ ଓବେଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜମାନ ଖାନ କମାଲ, ପୂର୍ବତନ ସୂଚନା ଓ ପ୍ରସାରଣ କନିଷ୍ଠ ମନ୍ତ୍ରୀ ମୋହମ୍ମଦ ଅଲ୍ଲୀ ଆରାଫତଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଯାଞ୍ଚ ଆଇସିଟି କରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button