ଟାଇପିଂରେ ଦୁର୍ବଳ ‘ଜେନ୍ ଜି’!
ଛୋଟ ବେଳୁ ଡିଜିଟାଲ୍ ପରଦା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ପରିବେଶରେ ଜୀବନ ବିତାଉଥିବା ପିଢ଼ି ହେଉଛି ‘ଜେନେରେସନ୍ ଜେଡ୍’ ବା ‘ଜେନ୍ ଜି’। ଏହି ପିଢ଼ି ସାଧାରଣତଃ ଡିଜିଟାଲ୍ ଦୁନିଆର ନିବାସୀ ଭାବେ ପରିଚିତ। ଅତ୍ୟାଧୁନିକ ଜ୍ଞାନକୌଶଳରେ ପାରଙ୍ଗମ ଏହି ପିଢ଼ି ସ୍ବାଭାବିକ ଭାବେ ଯେପରି ବିଭିନ୍ନ ଗ୍ୟାଜେଟ୍ ଚଳାଇପାରୁଛନ୍ତି, ଅନୁରୂପ ଭାବେ କମ୍ପ୍ୟୁଟର୍ କି’ବୋର୍ଡରେ ମଧ୍ୟ ଟାଇପ୍ କରିପାରୁଥିବେ ବୋଲି ଧାରଣା ରହିବା ସ୍ବାଭାବିକ।
ମାତ୍ର ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ରିପୋର୍ଟରେ ସେହି ଧାରଣା ଭୁଲ୍ ପ୍ରମାଣିତ ହୋଇଛି।
ଆମେରିକାର ଶିକ୍ଷା ବିଭାଗର ଏକ ତଥ୍ୟ ମୁତାବକ, ୨୦୦୦ ମସିହାରେ ପାଖାପାଖି ୪୪ ପ୍ରତିଶତ ହାଇସ୍କୁଲ୍ ବିଦ୍ୟାର୍ଥୀ ଔପଚାରିକ ଭାବେ କି’ବୋର୍ଡ ଚାଳନାର ପ୍ରଶିକ୍ଷଣ ନେଇଥିଲେ। ତେବେ ୨୦୧୯ ମସିହା ବେଳକୁ ସେହି ସଂଖ୍ୟା ୨.୫ ପ୍ରତିଶତକୁ ଖସି ଆସିଛି। ‘ଜେନ୍ ଜି’ ପିଢ଼ିର ବୈଷୟିକ ନିପୁଣତା ଯୋଗୁଁ ତାହା ଆଉ ଆବଶ୍ୟକ ହେଉ ନ ଥିବ ବୋଲି ଅନୁମାନ କରାଯାଇଥାଏ। ମାତ୍ର ବାସ୍ତବତା ହେଉଛି, କି’ବୋର୍ଡର ମୌଳିକ କୌଶଳ ଜାଣିବା ଲାଗି ସେମାନଙ୍କ ଭିତରୁ ଅଧିକାଂଶ ଅନ୍ୟର ସାହାଯ୍ୟ ଲୋଡୁଛନ୍ତି। ପ୍ରକୃତରେ ସେମାନେ କମ୍ପ୍ୟୁଟର୍ ଟାଇପିଂରେ ଧୁରୀଣ ନୁହନ୍ତି, କାରଣ ମୋବାଇଲ୍ ଆଦିର ଟଚ୍ସ୍କ୍ରିନ୍ କି’ବୋର୍ଡ ବ୍ୟବହାର କରିବାରେ ସେମାନେ ଅଭ୍ୟସ୍ତ।
‘ଜେନ୍ ଜି’ ପିଢ଼ିର ପିଲାମାନଙ୍କ ବୈଷୟିକ ନିପୁଣତା ସତ୍ତ୍ବେ ସେମାନେ ମୋବାଇଲ୍ ଟଚ୍ସ୍କ୍ରିନ୍ କି’ବୋର୍ଡ ବ୍ୟବହାର କରିବାରେ ଏତେ ଅଭ୍ୟସ୍ତ ଯେ ସେମାନେ କମ୍ପ୍ୟୁଟର୍ କି’ବୋର୍ଡ ସାହାଯ୍ୟରେ ଟାଇପ୍ କରିବାରେ ଖୁବ୍ ଦୁର୍ବଳ। ଏହା ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ସେମାନଙ୍କୁ ପଛରେ ପକାଇପାରେ।
ତେଣୁ ଅନେକ ଛାତ୍ର କି’ବୋର୍ଡରେ ଟାଇପ୍ କଲାବେଳେ ସଠିକ ଲେଖନ ପାଇଁ ପରଦା ବଦଳରେ ନିଜ ଆଙ୍ଗୁଳି ଚାଳନା ଉପରେ ଲକ୍ଷ୍ୟ ରଖୁଛନ୍ତି। ଏହା ସେମାନଙ୍କର କି’ବୋର୍ଡ ବ୍ୟବହାରରେ ଆତ୍ମବିଶ୍ବାସର ଅଭାବକୁ ଦର୍ଶାଉଛି। କହିବା ବାହୁଲ୍ୟ, ଆଜିର ଶୈକ୍ଷିକ ଓ ବୃତ୍ତିଗତ ପରିବେଶରେ କମ୍ପ୍ୟୁଟର ଭିତ୍ତିକ କାର୍ଯ୍ୟକଳାପ ଅପରିହାର୍ଯ୍ୟ ହୋଇଥିବାରୁ ଛାତ୍ରଛାତ୍ରୀମାନେ ସଫଳ ହେବା ପାଇଁ କି’ବୋର୍ଡ ଦକ୍ଷତା ଗୁରୁତ୍ବପୂର୍ଣ୍ଣ। ତେଣୁ ସମ୍ପ୍ରତି ଆମେରିକାର ବିଦ୍ୟାଳୟ ପାଠ୍ୟକ୍ରମରେ ଟାଇପିଂ ଶିକ୍ଷାକୁ ପୁନଃପ୍ରବେଶ କରାଯାଇଛି।
ତେବେ କିବୋର୍ଡ ବ୍ୟବହାରରେ ପାରଙ୍ଗମ ହେବା ଲାଗି ସବୁବେଳେ ଔପଚାରିକ ଟାଇପିଂ ଶିକ୍ଷାର ଆବଶ୍ୟକତା ନାହିଁ। ଏକ ଗବେଷଣା ଅନୁଯାୟୀ, ସ୍ବପ୍ରଶିକ୍ଷିତ ଟାଇପିଷ୍ଟ୍ମାନେ ଅପେକ୍ଷାକୃତ କମ୍ ଆଙ୍ଗୁଠି (ହାରାହାରି ଛଅ) ଚଳାଇ ମଧ୍ୟ ଦଶ ଆଙ୍ଗୁଳି ଚଳାଉଥିବା ପେସାଦାର ଟାଇପିଷ୍ଟ୍ ଅପେକ୍ଷା ଦ୍ରୁତ ଟାଇପ୍ କରିପାରୁଛନ୍ତି। ସୁତରାଂ ନିରନ୍ତର ଅଭ୍ୟାସ ଦ୍ବାରା ଟାଇପିଂ ଦକ୍ଷତା ହାସଲ କରିହେବ। ଏବେ ଅଧିକାଂଶ ପରୀକ୍ଷା କମ୍ପ୍ୟୁଟର୍ ମାଧ୍ୟମରେ ହେଉଥିବାରୁ କି’ବୋର୍ଡ ଟାଇପିଂ ବେଗ ଓ ନିର୍ଭୁଲତା ଅନେକ ଗୁରୁତ୍ବ ବହନ କରେ। ସୁତରାଂ ଉଚିତ ମାର୍ଗଦର୍ଶନ ଓ ନିରନ୍ତର ଅଭ୍ୟାସ ଦ୍ବାରା ସେମାନେ ଆଜୀବନ କାମରେ ଆସୁଥିବା ଟାଇପିଂ ଦକ୍ଷତା ହାସଲ କରିପାରିବେ ବୋଲି ଆଶା କରାଯାଏ।