ରାଜ୍ୟ

ସ୍ଲରି ପାଇପ୍‌ ଫାଟି ଉଜୁଡ଼ିଲା ଧାନଫସଲ

କେନ୍ଦୁଝର/ଯୋଡ଼ା: କେନ୍ଦୁଝରର ଆର୍ସେଲର ମିତ୍ତଲ ଏବଂ ନିପନ୍ ଷ୍ଟିଲ୍ର ସ୍ଲରି ପାଇପ୍ ଲାଇନ୍ ଫାଟିଯାଇଛି। ଝୁମ୍ପୁରା ବ୍ଲକ୍ର କଟୁପାଲି ଗାଁ ନିକଟରେ ଚାଷଜମି ମଧ୍ୟ ଦେଇ ଯାଇଥିବା ପାଇପ୍ ଫାଟିଯିବାରୁ ଜମିସାରା ଲୁହାପଥର ଗୁଣ୍ଡ ମାଡ଼ିଯାଇଛି। ଫଳରେ ବ୍ୟାପକ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କମ୍ପାନି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଆର୍ସେଲର ମିତ୍ତଲ ଏବଂ ନିପନ୍ ଷ୍ଟିଲର ଏକ ବେନିଫିଏସନ୍ ପ୍ଲାଣ୍ଟ ଦବୁନାଠାରେ ରହିଛି। ଏଠାରେ ଲୁହାପଥର ଗୁଣ୍ଡକୁ ପାଣି ସହିତ ମିଶାଯାଇ ପାରାଦୀପକୁ ସ୍ଲରି ପାଇପ୍ ଲାଇନ୍ ଯୋଗେ ପଠାଯାଉଛି। ଏହି ପାଇପ୍ ଲାଇନ ବହୁ ଲୋକଙ୍କ ଚାଷଜମି ଦେଇ ଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ହଠାତ ଝୁମ୍ପୁରା ବ୍ଲକ୍ ନୟାଗଡ଼ ପଞ୍ଚାୟତ କଟୁପାଲିଠାରେ ପାଇପ୍ ଫାଟି ଯାଇଥିଲା। ଫଳରେ ପ୍ରାୟ ୨୦ ଫୁଟ ଉଚ୍ଚକୁ ପାଣି ମିଶା ଲୁହାପଥର ଗୁଣ୍ଡ ଉଠିବା ସହିତ ନିକଟସ୍ଥ ଚାଷ ଜମିରେ ପଡ଼ିଥିଲା। ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ: କମ୍ପାନି

ତେବେ ଏହି ପାଇପ୍ଲାଇନ ସଂଯୋଗ ସମୟରେ ଜମି ମାଲିକମାନେ କମ୍ପାନିକୁ ଅନୁମତି ପ୍ରଦାନ କରିଥିଲେ। ଭବିଷ୍ୟତର ପରିଣାମ ସମ୍ପର୍କରେ ସେମାନେ ଅବଗତ ନ ଥିଲେ। ବର୍ତ୍ତମାନ ଏହା ତାଙ୍କ ଚାଷଜମି ତଥା ଫସଲ ପାଇଁ ବିପଦ ସୃଷ୍ଟି କରୁଥିବାରୁ ପାଇପ୍ ଲାଇନ୍ ହଟାଇବା ପାଇଁ ଦାବି କରାଯିବ ବୋଲି କ୍ଷତିଗ୍ରସ୍ତ ଚାଷୀ କଟୁପାଲି ଗ୍ରାମର ସୁବାସ ଚନ୍ଦ୍ର ବେହେରା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଜମିରେ ଲୁହାଗୁଣ୍ଡ ବିଛାଡ଼ି ହୋଇ ପଡ଼ିଥିବାରୁ ଉର୍ବରତା ନଷ୍ଟ ହୋଇଯିବ। ଆଗାମୀ ଦିନରେ ଉକ୍ତ ଜମିରେ ଚାଷ କରିବା ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି କମ୍ପାନି କର୍ତ୍ତୃପକ୍ଷ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ କମ୍ପାନି ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଛି। ସ୍ଲରି ପାଇପ୍ ଫାଟିଯାଇଥିବାରୁ ତୁରନ୍ତ ପମ୍ପିଂ ବନ୍ଦ କରାଯାଇଛି। ଏକ ଟିମ୍ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରାଯାଇ ସେମାନଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button