ରାଜ୍ୟ

ଅନ୍‌ଲାଇନ୍‌ ଟ୍ରେଡିଂ ମୋହରେ ବର୍‌ବାଦ ଯୁବପିଢ଼ି : ଦୁଇ ବର୍ଷରେ ଗଲାଣି ୩୦ ଜୀବନ, ମାମଲା ରୁଜୁ ପାଇଁ କୁନ୍ଥକୁନ୍ଥ ପୁଲିସ

 ଅନ୍‌ଲାଇନ୍‌ ଟ୍ରେଡିଂ ମାୟାରେ ପଡ଼ିଛନ୍ତି ଯୁବପିଢ଼ି। ରାତାରାତି ଟଙ୍କା ଅର୍ଜନ କରିବା ଲୋଭରେ ପଡ଼ି ସେମାନେ ଏହି ସହଜ ରାସ୍ତା ବାଛିଛନ୍ତି। କିନ୍ତୁ ଏହା ଯେ ସେମାନଙ୍କ ପାଇଁ କେତେ କାଳ ତାହା ଜାଣିପାରୁନାହାନ୍ତି। ଏହି ଟ୍ରେଡିଂରେ ଲକ୍ଷାଧିକ ଟଙ୍କା ଲଗାଇ ସର୍ବସ୍ୱ ହରାଇ ଦେଉଛନ୍ତି। ଶେଷରେ କିଛି ବାଟ ନ ପାଇ ଆତ୍ମହତ୍ୟା କରୁଛନ୍ତି।

ଗତ ବୁଧବାର ଏଭଳି ଭୁବନେଶ୍ୱରର ତୁଷାର ଭଟ୍ଟ ଯୁବକ ଅନ୍‌ଲାଇନ୍‌ ଟ୍ରେଡିଂ ମୋହରେ ପଡ଼ି ସର୍ବସ୍ୱାନ୍ତ ହେବା ପରେ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଛନ୍ତି। ବୁଧବାର ଅପରାହ୍ଣ ୨ଟା ସମୟରେ କୌଣସି କାମରେ କାର୍‌ ନେଇ ଘରୁ ବାହାରିଥିଲେ ତୁଷାର। ତା’ପରଠୁ ସେ ଘରକୁ ଫେରି ନ ଥିଲେ।

ଶୁକ୍ରବାର ସକାଳେ ତୁଷାରଙ୍କ କାର୍‌ ତ୍ରିଶୁଳିଆ ବ୍ରିଜ୍‌ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପାଖରେ ହଳେ ଚପଲ ବି ପଡ଼ି ରହିଥିଲା। ବାରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି। ଅନ୍‌ଲାଇନ ଟ୍ରେଡିଂରେ କ୍ଷତି ସହିବା ପରେ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତୁଷାର ନଦୀକୁ ଡେଇଁବା ପୂର୍ବରୁ ଘରକୁ ନିଜର ସେଲ୍‌ଫଫି ପଠାଇଥିଲେ। ତୁଷାର ନୁହେଁ ଏହିଭଳି ରାଜଧାନୀରେ ଅନେକ ଯୁବକ ଅନ୍‌ଲାଇନ୍‌ ଟ୍ରେଡିଂର ଶିକାର ହେଉଛନ୍ତି। ଗତ ୨ବର୍ଷରେ ରାଜଧାନୀରେ ୩୦ରୁ ଅଧିକ ଯୁବକ ଏଭଳି ଅନ୍‌ଲାଇନ୍‌ ଟ୍ରେଡିଂ ଜାଲରେ ପଡ଼ି ଆତ୍ମହତ୍ୟା କଲୋଣି। ସେମାନେ ଏହି ମୃତ୍ୟୁର ଜାଲରେ ପଡୁଥିଲେ ମଧ୍ୟ ପରିବାର ଲୋକ ଜାଣିପାରୁନାହାଁନ୍ତି।

ରିଲ୍‌ସ କ୍ରିଏଟର୍‌ ବିଛାଉଛନ୍ତି ଠକେଇର ଜାଲ୍‌

ଏହି ଠକେଇର ମାଷ୍ଟରମାଇଣ୍ଡ ଜାଲ ବିଛାଇବା ପାଇଁ ଇନ୍‌ଷ୍ଟା ରିଲ୍ସ କରୁଥିବା ପପୁଲାର କ୍ରିଏଟର ଏବଂ ବ୍ଲଗରଙ୍କୁ ଟାର୍ଗେଟ କରନ୍ତି। ସେମାନଙ୍କୁ ଟଙ୍କା ଦେଇ ବିଜ୍ଞାପିତ କରାଉଛନ୍ତି। ଆଉ ଏହି ବିଜ୍ଞାପନକୁ ବିଶ୍ୱାସ କରି ଯୁବଗୋଷ୍ଠୀ ନିଜ ମୋବାଇଲ୍‌ରେ ଆପ୍‌ ଲୋଡ୍‌ କରି ଟ୍ରେଡିଂ କରୁଛନ୍ତି। ଜୁଆ ଖେଳଭଳି ଧୀରେ ଧୀରେ ସେମାନେ ଟଙ୍କା ଲୁଟିବା ଆରମ୍ଭ କରିଦେଉଛନ୍ତି। ପ୍ରଥମେ କିଛି ଲାଭ ଦେବା ପରେ ଲୋଭରେ ପକାଇ ଦିଅନ୍ତି। ପରେ ସେମାନେ ଟଙ୍କା ଲୁଟି ନେଇଥାନ୍ତି। ଅନ୍ୟପଟରେ ଯୁବପିଢ଼ି ଟଙ୍କା ଜିତିବା ଆଶାରେ ଲକ୍ଷାଧିକ ଟଙ୍କା ହାରି ତଳିତଳାନ୍ତ ହୋଇ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ବ୍ଲଗର ଏବଂ କ୍ରିଏଟରଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଉନି।

ଟ୍ରେଡିଂ ଆଳରେ ସାଇବର୍‌ ଠକେଇ

ବର୍ତ୍ତମାନ ଅନ୍‌ଲାଇନ୍‌ ଟ୍ରେଡିଂ ଆଳରେ ସାଇବର୍‌ ଠକ ଠକେଇର ଜାଲ ବିଛାଇଛନ୍ତି। ଲୋକଙ୍କୁ ଟ୍ରେଡିଂ କରିବା ପାଇଁ କହି ସାଇବର୍‌ ଠକ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଯୋଡୁଛନ୍ତି। ପରେ ଟଙ୍କା ଲଗାଇବାକୁ କହୁଛନ୍ତି। ପ୍ରଥମେ ଲାଭ ଦେବା ପରେ ବିଶ୍ୱାସ ଜିଣି ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି। ଏହିଭଳି ଟ୍ରେଡିଂ ମାୟାରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି ଯୁବପିଢ଼ି। ଏକ ଅନୁଧ୍ୟାନ ଅନୁଯାୟୀ ଟ୍ରେଡିଂ କରୁଥିବା ଅନେକ ଯୁବକ ପରିବାରଠାରୁ ଦୂରରେ ରହୁଛନ୍ତି। ଯେଉଁଥି ପାଇଁ ଧୀରେ ଧୀରେ ମୋବାଇଲ୍‌ ଟ୍ରେଡିଂକୁ ବାଛି ନେଉଛନ୍ତି ଏବଂ ଏ ବାବଦରେ ଲକ୍ଷାଧିକ ଟଙ୍କା ହରାଉଛନ୍ତି। ଶେଷରେ ସେ ଆତ୍ମହତ୍ୟା ବାଟକୁ ବାଛି ନେଉଛନ୍ତି ବୋଲି ମନୋବିଜ୍ଞାନୀମାନେ ମତ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button