ରାଜ୍ୟ

ଭୂତ ଚାଉଳ ନେବା ଘଟଣା: ଘଟଣା ଚାପି ଦେବାକୁ ଯୋଗାଣ ବିଭାଗର ଉଦ୍ୟମ

ଦାରିଙ୍ଗବାଡ଼ି,୪/୮: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ଚାଉଳ ଦୁର୍ନୀତି ଘଟଣା । ଘଟଣାକୁ ଚପେଇ ଦେବାକୁ ଯୋଗାଣ ବିଭାଗ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତଦନ୍ତ ବଦଳରେ ଘଟଣାକୁ କେମିତି ଚପାଇ ଦିଆଯିବ ସେନେଇ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଉଦ୍ୟମ କରୁଛନ୍ତି ।

ସୂଚନାନୁସାରେ, ସିମନବାଡ଼ି ପଞ୍ଚାୟତର ଯୁଡ଼ାବାଡ଼ି ଗ୍ରାମର ୪ ଜଣ ମୃତ ବ୍ୟକ୍ତି, ଦଡ଼ିବାଡ଼ି ଗ୍ରାମର ଜଣେ ମୃତବ୍ୟକ୍ତିଙ୍କ ସହ ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ୩୦ କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଏହାର ତଦନ୍ତ ହେବ ବୋଲି କହିଥିଲେ । ହେଲେ ସ୍ଥାନୀୟ ଯୋଗାଣ ଅଧିକାରୀ ଉକ୍ତ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରୁଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ ରହିଥିବା ଅନ୍ୟ ପଞ୍ଚାୟତରେ ମୃତବ୍ୟକ୍ତିଙ୍କ ଚାଉଳ ହଡ଼ପ କରିଥିବା ଯୋଗାଣ ସହାୟକ ଓ ଯୋଗାଣ ଅଧିକାରୀ ଚିନ୍ତାରେ ପଡ଼ିଯାଇଛନ୍ତି ।

ଗୋଟିଏ ୱାର୍ଡରୁ ଯଦି ୩୦ କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ଦୁର୍ନୀତି ହୋଇଛି ତାହେଲେ ପଞ୍ଚାୟତ ଓ ବ୍ଲକ ଅଞ୍ଚଳରେ କେତେ ଦୁର୍ନୀତି ହୋଇଥିବ ତାହା କଳନା କରିହେବ ନାହିଁ । ଭୂତ ନାଁରେ ହଡ଼ପ ହୋଇଥିବା ଚାଉଳ କିଛି ଦୋକାନ ସହ ବାହାରି ଲୋକଙ୍କୁ ବିକ୍ରି କରାଯାଉଥିବା ମଧ୍ୟ ଆଲୋଚନା ହେଉଛି । ଯୋଗାଣ ଅଧିକାରୀ ଓ ବ୍ଲକ୍ ପ୍ରଶାସନ ଛତ୍ରଛାୟା ତଳେ ଏସବୁ ଏଭଳି ଦୁର୍ନୀତି ହେଉଥିବା ବେଳେ ଏତେ ବର୍ଷ ହେଲା କିଭଳି ଜିଲ୍ଲା ପ୍ରଶାସନ ଜାଣିପାରୁନଥିଲା ନା ଜାଣିକି ନଜାଣିବାର ଅଭିନୟ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଉପରେ କେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button