ଦେଶ- ବିଦେଶ

ରୁଷ୍ ମାଟିରେ ୟୁକ୍ରେନ୍‌ର ଡ୍ରୋନ୍ ଆକ୍ରମଣ

ସ୍କୋ: ୟୁକ୍ରେନ୍ ପକ୍ଷରୁ ରୁଷ୍ ମାଟିରେ ପ୍ରାୟ ୫୫ରୁ ଅଧିକ ଡ୍ରୋନ୍ ଦ୍ୱାରା ବୋମାମାଡ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ୟୁକ୍ରେନ ସେନା ପକ୍ଷରୁ ରୁଷ୍ ସୀମାରେଖା ମଧ୍ୟକୁ ୫୫ଟି ଡ୍ରେନ୍ ପଠାଇଥିବା ଏବଂ ଏହାଦ୍ୱାରା ବୋମାମାଡ କରିଥିବା ରିପୋର୍ଟ ହସ୍ତଗତ ହୋଇଛି । ତେବେ ୟୁକ୍ରେନ୍ ସେନାର ଏପ୍ରକାର ଗୁପ୍ତ ଆକ୍ରମଣ ସମ୍ପର୍କରେ ରୁଷ୍ ସେନା ସାମାନ୍ୟତମ ଆଭାସ ମଧ୍ୟ ପାଇପାରିନଥିଲେ ।

ୟୁକ୍ରେନ୍‌ର ଏସବୁ ଡ୍ରୋନ୍ ରୁଷ୍‌ର ରୋଷ୍ଟୋଭ୍ ସହରରେ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଥିବା ଜଣାପଡିଛି । ଗୋଟିଏ ପରେ ଗୋଟିଏ ବୋମାମାଡ଼ ଦ୍ୱାରା ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ରୁଷ୍ ସେନା ଯଥାସମ୍ଭବ ଏସବୁ ଡ୍ରୋନ୍‌କୁ ଖସାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ଅଧିକ ବିଳମ୍ବ ହୋଇସାରିଥିଲା । ତେବେ ମାମଲାର ଗମ୍ଭୀରତାକୁ ଦେଖି ରୁଷିଆ ସମଗ୍ର ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
ରିପୋର୍ଟ ଅନୁଯାୟୀ, ରୁଷିଆର ରୋଷ୍ଟୋଭ୍ ସହରର ଇନ୍ଧନ ଭଣ୍ଡାର ଡିପୋ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଇନ୍ଧନରେ ନିଆଁ ଲାଗିବା ଫଳରେ ଧ୍ୱଂସ ସ୍ଥିତି ଆହୁରି ଗମ୍ଭୀର ହୋଇଥିଲା । ଶନିବାର ଅପରାହ୍ନରେ ନିଆଁକୁ ଆୟତ୍ତ କରାଯାଇଥିଲା । ରୋଷ୍ଟୋଭର ଗଭର୍ଣ୍ଣରଙ୍କ କହିବାନୁଯାୟୀ, ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଏଠାରେ ସ୍କୁଲ ଓ ଆବାସିକ କୋଠା ସମେତ ଅନେକ କାରଖାନା ଓ ହସ୍ପିଟାଲଗୁଡ଼ିକ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପ୍ରକାଶ, ରୁଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ଅଢ଼େଇ ବର୍ଷ ବିତିଗଲାଣି । ପୁତିନ୍ ସେନା ସମଗ୍ର ୟୁକ୍ରେନକୁ ଧ୍ୱଂସସ୍ତୁପରେ ପରିଣତ କରିସାରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଜେଲେନସ୍କି ଓ ତାଙ୍କ ସେନା ହାର ମାନିନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button