ରାଜ୍ୟ

ପୋଲାଭରମ୍‌ ଅଡ଼ୁଆ ବଢ଼ୁଛି: ଅକଳରେ ସରକାର, ପ୍ରକଳ୍ପ ପ୍ରସଙ୍ଗରେ ବିଜେପିର ଭୂମିକା ଅସ୍ପଷ୍ଟ

ଭୁବନେଶ୍ବର: ଜୁଲାଇ ୧୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସହ ଜଡ଼ିତ ଅନ୍ତଃରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିରେ ମହାନଦୀ, ବଂଶଧାରା, ପୋଲାଭରମ୍‌ ଆଦି ଅନ୍ତଃ ରାଜ୍ୟ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକରେ କହିଥିଲେ, ଆମ ପାଇଁ ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ।

ଓଡ଼ିଶାର ସ୍ବାର୍ଥ ବିରୋଧୀ, ଓଡ଼ିଶାବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡ଼ିଶାର ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ ବିରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହାର ୮ଦିନ ପରେ ଅର୍ଥାତ୍ ଜୁଲାଇ ୨୩ରେ କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବାବେଳେ କହିଲେ ଯେ ପୋଲାଭରମ୍ ପ୍ରକଳ୍ପକୁ ଖୁବ୍‌ ଶୀଘ୍ର ଶେଷ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ସହଯୋଗ ଯୋଗାଇଦେବେ। କେନ୍ଦ୍ରର ନିଷ୍ପତ୍ତିକୁ କଂଗ୍ରେସ ବିଧାୟକମାନେ ବିଧାନସଭାରେ ବିରୋଧ କରୁଛନ୍ତି। ଏକ ଗୃହ କମିଟି ଗଠନ କରି ଏହି ପ୍ରକଳ୍ପର ତର୍ଜମା କରିବା ସହିତ ପୋଲାଭରମ୍ ପାଇଁ ଯେପରି କେହି ବିସ୍ଥାପିତ ହେବେନି ସେନେଇ ସରକାର ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରୁଛନ୍ତି। ବିଜେଡି ସାଂସଦମାନେ ବି ଏହି ପ୍ରକଳ୍ପକୁ ରାଜ୍ୟସଭାରେ ବିରୋଧ କରୁଛନ୍ତି। ହେଲେ ନା ମୁଖ୍ୟମନ୍ତ୍ରୀ ନିଜେ କିଛି କହୁଛନ୍ତି ନା ବିଜେପି ବିଧାୟକମାନେ ପାଟି ଫିଟାଉଛନ୍ତି। ବରଂ ପୋଲାଭରମ୍ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ଅକୁଣ୍ଠ ସମର୍ଥନ ପରେ ରାଜ୍ୟର ବିଜେପି ସରକାର ଏବେ ଅକଳରେ ପଡ଼ିଯାଇଛି। କେନ୍ଦ୍ର ନେତୃତ୍ବଙ୍କ ଭୟରେ ସମସ୍ତେ ଚୁପ୍ ପଡ଼ିଯାଇଛନ୍ତି। ଏପଟେ ବିଜେଡି ରାଜ୍ୟସଭାରେ ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରୁଥିଲେ ହେଁ ବିଧାନସଭାରେ ଉଁ କି ଚୁଁ କିଛି କହୁନି।

ଗୃହ କମିଟି ଗଠନ ଦାବିରେ କଂଗ୍ରେସ ଅଟଳ
ରାଜ୍ୟସଭାରେ ବିରୋଧ କରୁଛି ବିଜେଡି, ବିଧାନସଭାରେ ଚୁପ୍‌
୩ ବର୍ଷରେ ପ୍ରକଳ୍ପ ସାରିବାକୁ ଆନ୍ଧ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି
ଡ୍ୟାମ୍ ଉଚ୍ଚତା ୪୫.୭୨ମିଟରକୁ ବଢ଼ାଇବେ ନାଇଡ଼ୁ ସରକାର

ଖବର ଅନୁସାରେ, ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ର‌ଦେଶ ନିର୍ମାଣ କରୁଥିବା ପୋଲାଭରମ୍ ପ୍ରକଳ୍ପକୁ ଖୁବ୍‌ ଶୀଘ୍ର ଶେଷ କରାଯିବ। କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଯୋଗାଇଦେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ଘୋଷଣା କରିବା ପରେ ଆନ୍ଧ୍ରପ୍ରଦେଶର ଏନ୍‌ଡିଏ ଅଂଶୀଦାର ପାର୍ଟି ଟିଡିପି, ବିଜେପି ଓ ଜନସେନା ପାର୍ଟି ସରକାର ବେଶ୍ ଉତ୍ସାହିତ ଅଛି। ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦପତ୍ର ଦେବାକୁ ଏବଂ ୩ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଆନ୍ଧ୍ର ସରକାରଙ୍କ ରାଜ୍ୟ କ୍ୟାବିନେଟ୍ ଦୁଇ ଦିନ ତଳେ ଅନୁମୋଦନ ଦେଇଛି। ଏହାସହ ନିଷ୍ପତ୍ତି ନେଇଛି ଯେ ଡ୍ୟାମ୍‌ର ଉଚ୍ଚତା ୪୫.୭୨ମିଟରକୁ ବଢ଼ାଯିବ। ପୂର୍ବରୁ ୱାଇଏସ୍‌ଆର୍ କଂଗ୍ରେସ ସରକାର ଏହାକୁ ୪୧.୧୫ମିଟର ଉଚ୍ଚତା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ଏବେ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ବରୁ ୪୦୦କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଡାଏଫ୍ରାଗମ୍ ୱାଲ୍ (ରିଟେନିଂ ୱାଲ୍) ଜାଗାରେ ଅଧିକ କ୍ଷମତାଶାଳୀ ରିଟେନିଂ ୱାଲ୍ ନିର୍ମାଣ କରାଯିବ। ଏଥିପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ଅର୍ଥ ମଗାଯିବ।

ଏନେଇ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ୍ କହିଛନ୍ତି ଯେ ପୋଲାଭରମ୍ ପ୍ରକଳ୍ପ ଓଡ଼ିଶା ବିରୋଧୀ। ଏହାକୁ ନିଶ୍ଚିତ ବିରୋଧ କରାଯିବା ଦରକାର। ୨୦୨୧ରେ ବିଜେପି ଏହି ପ୍ରକଳ୍ପକୁ ବିରୋଧ କରୁଥିଲା। ଏବେ କାହିଁକି ପଛଘୁଞ୍ଚା ଦେଉଛି? ଯଦି ବିଜେପି ଏହାକୁ ବିରୋଧ ନକରିବ ତେବେ ଓଡ଼ିଶାବାସୀଙ୍କ ପାଇଁ ଅନ୍ୟାୟ ହେବ। ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଅଣଦେଖା କଲେ ଓଡ଼ିଆ ଲୋକ ନିଶ୍ଚିତ ଏହାର ଜବାବ ଦେବେ। ପୋଲାଭରମ୍ ପ୍ରକଳ୍ପ କିପରି ବନ୍ଦ ହେବ ଏବଂ ଓଡ଼ିଶାବାସୀଙ୍କର କିଛି କ୍ଷତି ହେବନି ସେଥିପାଇଁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରନ୍ତୁ। ବିଧାନସଭାର ଗୃହ କମିଟି ଏହାର ତର୍ଜମା କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ। ନଚେତ୍ ଆମର ବିରୋଧ ଜାରି ରହିବ।
ସୂଚନାଯୋଗ୍ୟ ଯେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଗୃହ‌ରେ କହିଛନ୍ତି ଯେ ପୋଲାଭରମ ଡ୍ୟାମ୍ ଉଚ୍ଚତା ବଢ଼ିବା ଦ୍ବାରା ଏହା ନିକଟବର୍ତ୍ତୀ ଅଞ୍ଚଳର ୧୨୦୦ରୁ ୧୩୦୦ ପଡ଼ା ଗାଁ ଜଳମଗ୍ନ ହେବ। ଲୋକ ବାସହରା ହେବା ସହ ବହୁ ମୂଲ୍ୟବାନ ଜମି ଜଳମଗ୍ନ ହୋଇଯିବ। କେନ୍ଦ୍ର ସରକାର ତ ବଜେଟ୍‌ରେ ଓଡ଼ିଶା ପାଇଁ କିଛି କଲେନି ବରଂ ଓଡ଼ିଶାର ଅନୁସୂଚିତ ଜାତିର ଲୋକ କିପରି ଜଳମଗ୍ନ ହୋଇ ବାସହରା ହେବେ ସେନେଇ ଅର୍ଥବରାଦ କ‌ରିଛନ୍ତି। ଏଣୁ ଗୃହ କମିଟି ଗଠନ ହେବା ଦରକାର। ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ କହିଥିଲେ ଯେ ଏହି ପ୍ରକଳ୍ପ ଯୋଗୁ ଓଡ଼ିଶାର ୫୯୧୯ ଆଦିବାସୀଙ୍କ ସମେତ ମୋଟ ୬୮୧୮ ଜଣ ପ୍ରଭାବିତ ହେବେ। ପ୍ରକଳ୍ପକୁ ନେଇ ମାମଲା ଅଦାଲତରେ ବିଚାରାଧୀନ ଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button