୯ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତରାତିରେ ୯ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ନୂତନ ନିଯୁକ୍ତି ପାଇଥିବା ବେଳେ ୩ ଜଣ ରାଜ୍ୟପାଳଙ୍କ ବଦଳିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ମଣିପୁରର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି।
ପଞ୍ଜାବରେ ବନୱାରୀଲାଲ ପୁରୋହିତଙ୍କ ସ୍ଥାନରେ ଗୁଲାବ ଚାନ୍ଦ କଟାରିଆଙ୍କୁ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ପ୍ରଶାସକ ଭାବେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୋହିତ ପଞ୍ଜାବର ରାଜ୍ୟପାଳ ଓ ଚଣ୍ଡିଗଡ଼ର ପ୍ରଶାସକ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବରିଷ୍ଠ ବିଜେପି ନେତା ଓମ୍ ପ୍ରକାଶ ମାଥୁର ସିକ୍କିମର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱରେ ଥିବା ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଧାକ୍ରିଷ୍ଣନଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେହିଭଳି ତ୍ରିପୁରାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା ତେଲେଙ୍ଗାନାର ନୂଆ ରାଜ୍ୟପାଳ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନ୍ୟତମ ବିଶ୍ୱସ୍ତ ସହଯୋଗୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ କେ କୈଳାସନାଥନଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପ୍ରମୁଖ ସଚିବ ରହିଥିବା କୈଳାସନାଥନ ଜୁନ୍ ୩୦ରେ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ରାଜସ୍ଥାନର ରାଜ୍ୟପାଳ ଭାବେ ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ହରିଭାଉ କିଷାନରାଓ ବାଗଡ଼େଙ୍କୁ ନିଯୁକ୍ତ କରାଯାଇଛି। କଲରାଜ ମିଶ୍ରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଆସାମର ପୂର୍ବତନ ଲୋକସଭା ସଦସ୍ୟ ରାମେନ ଡେକାଙ୍କୁ ଛତିଶଗଡ଼ର ରାଜ୍ୟପାଳ ଏବଂ କର୍ଣ୍ଣାଟକର ମହୀଶୂରରୁ ପୂର୍ବତନ ଲୋକସଭା ସଦସ୍ୟ ସିଏଚ୍ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।




