ପ୍ରେମ ପାଇଁ ସ୍ୱାମୀ, ଝିଅକୁ ଛାଡ଼ିଲେ ପତ୍ନୀ, ସ୍ୱାମୀ ପ୍ରେମବିବାହ କରି ହତାଶ
ବାଲିଅନ୍ତା ଅଣ୍ଡିଲୋ ଗ୍ରାମର ପୁଷ୍ପାଞ୍ଜଳି (ଛଦ୍ମନାମ) ବେଣ୍ଟପୁର ଗ୍ରାମର ଜଣେ ଯୁବକଙ୍କୁ ୧୦ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୮ବର୍ଷ ବୟସର ଏକ ଝିଅ ଅଛି । ତେବେ ପୁଷ୍ପାଞ୍ଜଳି ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଗତ ୬ଦିନ ହେଲା ତାଙ୍କ ସହ ଫେରାର ହୋଇଯାଇଥିଲେ । ଏନେଇ ୨୨ ତାରିଖରେ ପୁଷ୍ପାଞ୍ଜଳି ଓ ସମ୍ପୃକ୍ତ ଯୁବକଙ୍କ ପରିବାର ପକ୍ଷରୁ ବାଲିଅନ୍ତା ଥାନାରେ ପୃଥକ ଅଭିଯୋଗ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଉଭୟ ପ୍ରେମ ପାଇଁ ଘର ଛାଡ଼ି ପଳାଇଥିବା ଜାଣିବାକୁ ପାଇଥିଲା । ରବିବାର ପ୍ରେମୀ ଯୁଗଳ ଥାନାରେ ଆସି ଆତ୍ମସମର୍ପଣ କରିଥିଲେ । ତେଣୁ ପୁଲିସ ଉଭୟଙ୍କ ପରିବାରକୁ ଥାନାକୁ ଡକାଇଥିଲା। ଉଭୟଙ୍କ ପରିବାର, ସରପଞ୍ଚ, ଗାଁର କେତେଜଣ ମୁରବୀ ଶ୍ରେଣୀର ଲୋକ ଥାନାରେ ପହଞ୍ଚିଥିଲେ । ଥାନା ଆଗରେ ଏକ କାରରେ ପ୍ରେମୀ ଯୁଗଳ ବସିଥାନ୍ତି । ମହିଳା ଓ ଯୁବକଙ୍କ ପରିବାର ଲୋକେ ଉଭୟଙ୍କୁ ବୁଝାଇବାକୁ ଲାଗିଥାନ୍ତି । ସେମାନଙ୍କୁ ଦେଖିବାକୁ ଥାନାକୁ ଅନ୍ୟ କାମରେ ଆସିଥିବା ଲୋକମାନେ ଭିଡ଼ ଜମାଇଥାନ୍ତି । କିନ୍ତୁ ମହିଳାଙ୍କ ଗୋଟିଏ ଜିଦ୍ ପ୍ରେମ ପାଇଁ ପରିବାର ଛାଡ଼ିଛି । ଆଉ ଘରକୁ ଫେରିବି ନାହିଁ । ମୋର ସ୍ୱାମୀ କିମ୍ବା ଝିଅ ଦରକାର ନାହିଁ । ପ୍ରେମିକ ମୋ ପାଇଁ ସବୁକିଛି । ପ୍ରେମିକଠାରୁ ଅଲଗା କଲେ ଏଇଠି ଆତ୍ମହତ୍ୟା କରିଦେବି ।
ଏହା ଶୁଣି ସମସ୍ତଙ୍କ ବୁଦ୍ଧିଶୂନ୍ୟ ହୋଇଗଲା । ସେପଟେ ମା’କୁ ଝୁରି ଝୁରି ମହିଳାଙ୍କ ଝିଅ ଖାଇବା ଛାଡ଼ି ଦେଇଛି । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । କିଛି ସମୟ ପରେ ମହିଳାଙ୍କ ମା’ ଓ ଭାଇ ପହଞ୍ଚି ଥାନା ପାଶ୍ୱର୍ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ, ମୁରବୀ, ମହିଳାଙ୍କ ସ୍ୱାମୀ, ପ୍ରେମୀ ଯୁଗଳ, ଉଭୟଙ୍କ ବାପା, ମା’ଙ୍କୁ ଏକାଠି ବସାଇ ପୁଣି ଥରେ ବୁଝାଇଥିଲେ । ଦୁହେଁ ସମସ୍ତଙ୍କ କଥା ମାନି ଉଭୟ ପରିବାର ପାଖକୁ ଫେରିଯିବେ ବୋଲି ରାଜି ହୋଇଗଲେ । ହେଲେ ଲେଖାପଢ଼ା କରି ନିଷ୍ପତ୍ତି କରିବାକୁ କଥା ଉଠିବାରୁ ଦୁହିଁଙ୍କ ମନ ପୁଣି ବଦଳିଯାଇଥିଲା । ଉଭୟ ପରସ୍ପରକୁ ଛାଡ଼ି ରହିପାରିବେନି ବୋଲି ଥାନା ବାବୁଙ୍କୁ କହିଥିଲେ । ମହିଳା ଓ ଯୁବକଙ୍କୁ ମହିଳାଙ୍କ ଭାଇ ହାତ ଉଠାଇବା ସହ ତାଗିଦ୍ କରିଥିଲେ । ତେବେ ପୁଲିସ ବାବୁ ଥାନା ବାହାରକୁ ଆସି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ସେପଟେ ଯୁବକଙ୍କୁ ତାଙ୍କ ବାପା, ମା’ ଗ୍ରହଣ କରିବେନି ବୋଲି ରୋକଠୋକ୍ କହିଥିଲେ । ଏହା ସତ୍ତେ୍ୱ ପ୍ରେମୀଯୁଗଳ ଘରଛାଡ଼ି ବାହାରେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଶେଷରେ ଏତେସବୁ ଦୃଶ୍ୟ ଦେଖି ଭାଙ୍ଗିପଡ଼ିଥିବା ସ୍ୱାମୀ ଜଣଙ୍କ ନିରାଶ ହୋଇ ଘରକୁ ଫେରିଥିଲେ।