ଅପରାଧ

ବାପାଙ୍କୁ ମାରିଦେଲା ଅଧ୍ୟାପକ ପୁଅ: ମା’ଙ୍କ ମିନତି ବି ଶୁଣିଲାନି ନୃଶଂସ – Kalinga News

[ad_1]

ଭୁବନେଶ୍ବର: ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଆଇନ ଛାତ୍ରଙ୍କୁ ପଢ଼ାଉଥିବା ଅଧ୍ୟାପକ ବୃଦ୍ଧ ବାପାଙ୍କୁ ହତ୍ୟା କରିଛି। କରଜ ଶୁଝିବାକୁ ବାପା ଟଙ୍କା ଦେଲେନି ବୋଲି ଅଧ୍ୟାପକ ପୁଅ ପାଲଟିଯାଇଛି ବ୍ରହ୍ମଚଣ୍ଡାଳ। ବାପାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି। ତା ପୁଣି ବୃଦ୍ଧା ମା’ଙ୍କ ଆଖି ସାମ୍ନାରେ ନୃଶଂସ ପୁଅ ଘଟାଇଛି ଏହି ଛାତିଥରା ହତ୍ୟାକାଣ୍ଡ। ମା’ଙ୍କ ମିନତି ଶୁଣିଲାନି ନିଷ୍ଠୁର। ବୁଧବାର ଭୋର୍‌ ସମୟରେ ଘଟିଥିବା ଏଭଳି ଏକ ଅଭାବନୀୟ ଓ ଅବିଶ୍ବସନୀୟ ହତ୍ୟାକାଣ୍ଡ ରାଜଧାନୀକୁ ସ୍ତବ୍ଧ କରିଦେଇଛି। ହତ୍ୟାକାଣ୍ଡ ଘଟିଛି ମଞ୍ଚେଶ୍ବର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍‌ପିଏଲ୍‌ ହୋମ୍‌ସ ଆପାର୍ଟମେଣ୍ଟରେ। ପୁଅ ହାତରେ ହତ୍ୟାର ଶିକାର ହୋଇଥିବା ବରିଷ୍ଠ ନାଗରିକ ହେଲେ ନାଲ୍‌କୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସୁନୀଲ ଚୌଧୁରୀ(୬୮)। ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବା ହତ୍ୟା ଅଭିଯୁକ୍ତ ହେଲା ପଟିଆସ୍ଥିତ ଘରୋଇ ବିଶ୍ବବିଦ୍ୟାଳୟର ଆଇନ ଅଧ୍ୟାପକ ଅନିରୁଦ୍ଧ ଚୌଧୁରୀ(୪୫)।

ପୁଲିସ ସୂଚନାନୁସାରେ ଆଜି ଭୋର୍‌ ପ୍ରାୟ ୪ଟାରେ ଏହି କାଣ୍ଡ ଘଟିଥିଲା। ଅନିରୁଦ୍ଧ ହଠାତ୍ ବାପାମା’ଙ୍କ ବେଡ୍‌ ରୁମ୍‌କୁ ପଶିଆସି ଏକ ତକିଆରେ ସୁନୀଲଙ୍କ ମୁହଁକୁ ଚାପି ଧରିଥିଲା। ସୁନୀଲ୍‌ ଛଟପଟ ହେବାରୁ ପତ୍ନୀ ସୁନୀତାଙ୍କ ନିଦ ଭାଙ୍ଗିଯାଇଥିଲା। ଅନିରୁଦ୍ଧର ଏଭଳି ବିକଟାଳ ରୂପ ଦେଖି ସେ ହତବାକ୍‌ ହୋଇପଡ଼ିଥିଲେ ଏବଂ ବାପାଙ୍କୁ ନ ମାରିବାକୁ କାକୁତିମିନତି ହୋଇଥିଲେ। କିନ୍ତୁ ପିଶାଚ ପାଲଟିଥିବା ଅନିରୁଦ୍ଧ କିଛି ଶୁଣିନଥିଲା। ଏକ ପରିବା କଟା ଛୁରି ବାହାର କରି ସୁନୀଲଙ୍କ ଛାତିକୁ ବାରମ୍ବାର ଭୁସି ପକାଇଥିଲା। ପ୍ରାୟ ୪/୫ ଥର ଛୁରି ଭୁସିବା ପରେ ସେ ପାଖ ସୋଫାରେ ବସିପଡ଼ିଥିଲା। ବେଡ୍‌ ଉପରେ ସୁନୀଲଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର କିଛି ସମୟ ଛଟପଟ ହେଲା ଏବଂ ପରେ ନିଶ୍ଚଳ ହୋଇପଡ଼ିଲା। ପତ୍ନୀ ସୁନୀତା କ’ଣ କରିବେ କିଛି ବୁଝିପାରିନଥିଲେ। ସେ ତୁରନ୍ତ କେୟାରଟେକର ଆଲୋକ ବେହେରାଙ୍କୁ ଫୋନ୍‌ କରିଥିଲେ। ଆଲୋକ ମଧ୍ୟ କିଛି ମିନିଟ୍‌ ମଧ୍ୟରେ ପହଞ୍ଚିଯାଇଥିଲେ ଏବଂ ପଡ଼ୋଶୀମାନଙ୍କ ସହଯୋଗରେ ସଂଜ୍ଞାହୀନ ସୁନୀଲଙ୍କୁ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। କିନ୍ତୁ ସେତେବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା।

ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଡିସିପି ପ୍ରତୀକ୍‌ ସିଂ ମଧ୍ୟ ପୁଲିସ ଟିମ୍‌ ସହ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେତେବେଳ ପର୍ଯ୍ୟନ୍ତ ଅନିରୁଦ୍ଧ ଛୁରିକୁ ଧରି ସୋଫା ଉପରେ ବସିଥିଲା। ପୁଲିସ ଛୁରି ଜବତ କରିବା ସହ ତାକୁ ଥାନାକୁ ନେଇଯାଇଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ଆପାର୍ଟମେଣ୍ଟରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ମଧ୍ୟାହ୍ନ ସୁଦ୍ଧା ସୁନୀଲଙ୍କ ଝିଅ ତଥା ଦେବଗଡ଼ ଜିଲ୍ଲା ଜଜ୍‌ ଅପୂର୍ବା ଚୌଧୁରୀ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ମୃତଦେହକୁ ବ୍ୟବ‌ଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିଲା। ଏହା ଭିତରେ ପୁଲିସ ସୁନୀଲଙ୍କ ପତ୍ନୀ ସୁନୀତା, କେୟାରଟେକର ଆଲୋକ ଓ ପଡ଼ୋଶୀମାନଙ୍କ ବୟାନ ରେକର୍ଡ କରିସାରିଥିଲା। ପରେ ପତ୍ନୀ ସୁନୀତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା ଏବଂ ଥାନାରେ ଅଟକ ଅନିରୁଦ୍ଧକୁ ଗିରଫ କରାଗଲା ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ ନାଲ୍‌କୋରୁ ଅବସର ନେବା ପରେ ସୁନୀଲ ଓ ତାଙ୍କ ସ୍ତ୍ରୀ ସୁନୀତା ଉକ୍ତ ଆପାର୍ଟମେଣ୍ଟର ପ୍ରଥମ ମହଲାର ୧୦୮ ନମ୍ବର ଫ୍ଲାଟ୍‌ରେ ରହୁଥିଲେ। ସେମାନଙ୍କର ଏକମାତ୍ର ପୁଅ ଅନିରୁଦ୍ଧ କିନ୍ତୁ ସ୍ତ୍ରୀ ସହ ନିକଟସ୍ଥ ସାହୁ କମ୍ପ୍ଲେକ୍ସରେ ରହୁଥିଲେ। ଝିଅ ଅପୂର୍ବା ଦେବଗଡ଼ରେ ଜିଲ୍ଲା ଜଜ୍‌ ଭାବେ କାର୍ଯ୍ୟରତ ଓ ସେ ତାଙ୍କ ପରିବାର ସହ ସେଠାରେ ରହୁଛନ୍ତି। କେୟାର୍‌ଟେକର ଆଲୋକଙ୍କ ହେପାଜତରେ ବୃଦ୍ଧ ଦମ୍ପତି ରହୁଥିଲେ। ଭଲ ପାଇ ବାହା ହୋଇଥିବା ଅନିରୁଦ୍ଧ ବାପାମା’ଙ୍କଠାରୁ ଅଲଗା ରହୁଥିଲା। ଏହା ଭିତରେ ସେ ବିଦେଶ ଭ୍ରମଣ କରି ବହୁ କରଜ କରିଥିଲା। କରଜ ଟଙ୍କା ଶୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗୁଥିଲା। ଏମିତିକି ଭୁବନେଶ୍ବରରେ ଥିବା କିଛି ଜମି ଓ ଫ୍ଲାଟ୍‌ ବିକିବାକୁ ବାପାଙ୍କ ଉପରେ ଚାପ ପକାଉଥିଲା। ମାତ୍ର ସୁନୀଲ ରାଜି ହେଉ ନଥିଲେ। ବାଜେ ଖର୍ଚ୍ଚ କରି ଟଙ୍କା ଉଡ଼ାଇ ଦେଉଥିବାରୁ ସେ ଅନିରୁଦ୍ଧ କଥାରେ ଜମି ଓ ଫ୍ଲାଟ୍‌ ବିକିବାକୁ ରାଜି ନଥିଲେ। ଗତ କିଛି ଦିନ ହେଲା ଅନିରୁଦ୍ଧଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ତେଣୁ ତିନି ଦିନ ହେଲା ଅନିରୁଦ୍ଧ ବାପାମା’ଙ୍କ ପାଖକୁ ଆସି ରହୁଥିଲା ଏବଂ ଟଙ୍କା ମାଗିମାଗି ବାପାଙ୍କ ସହ ଝଗଡ଼ା କରୁଥିଲେ। କରଜ ବୋଝ, ସ୍ତ୍ରୀଙ୍କ ଅନୁପସ୍ଥିତି ଓ ଜମି ବିକି ଟଙ୍କା ଦେବାକୁ ବାପାଙ୍କ ବାରମ୍ବାର ନାସ୍ତିବାଣୀ ଅନିରୁଦ୍ଧକୁ ଅଣନିଶ୍ବାସୀ କରିପକାଇଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button