ଅପରାଧ

ଆପାର୍ଟମେଣ୍ଟ ସିନ୍ଧିଚୋର ଠାବ ମିସନ ସଫଳ: ବନ୍ଧାହେଲେ ଦାଦା ଗ୍ୟାଙ୍ଗ୍‌ର ୯ – Kalinga News

[ad_1]

ଆହୁରି ୨ ଗ୍ୟାଙ୍ଗ୍‌ ପିଛାରେ ପୁଲିସ, ୩.୨୦ ଲକ୍ଷ ଟଙ୍କା, ୧.୫କେଜି ରୁପା, ସୁନା ହାର ଜବତ

ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ଆପାର୍ଟମେଣ୍ଟ ସିନ୍ଧିଚୋରଙ୍କୁ ଠାବ କରିବା ଲାଗି କମିସନରେଟ୍‌ ପୁଲିସ ଆରମ୍ଭ କରିଥିବା ମିସନକୁ ସଫଳତା ମିଳିଛି। ବିଭିନ୍ନ ଗ୍ୟାଙ୍ଗ୍‌ ମଧ୍ୟରୁ ଏକ ବଡ଼ ଗ୍ୟାଙ୍ଗ୍‌ର ୯ଜଣଙ୍କୁ ଗିରଫ କରାଯାଇଛି। ସୁରତରେ ଆଡ଼ା ଜମାଇ ଭୁବନେଶ୍ବରରୁ ଲୁଟ୍‌ପାଟ୍‌ କରୁଥିବା ଏହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟମାନେ ହେଲେ ମାଷ୍ଟରମାଇଣ୍ଡ ଗଞ୍ଜାମ ଗାଙ୍ଗପୁର ଅଞ୍ଚଳର ଗିରିଶ ନାଏକ ଓରଫ ଦାଦା(୪୫), ହିଞ୍ଜିଳିକାଟୁ ଅଞ୍ଚଳର ବବୁଲ୍‌ ଦଳେଇ(୨୦), କୋଟିନଦା ଅଞ୍ଚଳର ସନ୍ତୋଷ କୁମାର ଦାସ ଓରଫ ସନ୍ତୁ(୨୦), ବିଷ୍ଣୁ ପ୍ରଧାନ(୩୦), ପ୍ରଶାନ୍ତ ବେହେରା(୨୦), ବୁଲୁ ପାତ୍ର(୪୨), ଅମିତ କୁମାର ଜେନା(୨୦), ଛତ୍ରପୁର ଅଞ୍ଚଳର ରଞ୍ଜନ ରାଉଳ(୨୪) ଓ ପୋଲସରା ଅଞ୍ଚଳର ମୃତ୍ୟୁଞ୍ଜୟ ସାହୁ(୪୫)। ସେମାନଙ୍କଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ପାଖାପାଖି ଦେଢ଼ କେଜି ରୁପା ଅଳଙ୍କାର, କିଛି ସୁନା ଅଳଙ୍କାର, ୪ଟି ବାଇକ୍, ୮ଟି ମୋବାଇଲ୍ ଓ ଲୁଟ୍‌ରେ ବ୍ୟବହାର କରୁଥିବା ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି। ଆଜି ପୁଲିସ ସେବାଭବନରେ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଏହି ତଥ୍ୟ ପ୍ରଦାନ କରିଛନ୍ତି। ରାଜଧାନୀରେ ମୋଟ୍ ୧୦ଟି କାଣ୍ଡ କରିଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିଥିବାରୁ ସେ ଡିସିପି ପ୍ରତୀକ ସିଂ, ସ୍ପେସାଲ୍‌ ସ୍କ୍ବାଡ୍‌ ଓ ସମଗ୍ର ଟିମ୍‌କୁ ପ୍ରଶଂସା କରିଥିଲେ। ପୁଲିସର ଏହି ମିସନ ସରିନାହିଁ ଏବଂ ତାଙ୍କ ଟିମ୍‌ ଏଭଳି ଆଉ ୨ ଗ୍ୟାଙ୍ଗ୍‌ର ପିଛା କରୁଛି ବୋଲି ସିପି ଶ୍ରୀ ପଣ୍ଡା କହିଛନ୍ତି।

ସୁରତ ଯିବା ପୂର୍ବରୁ ଧରାପଡ଼ିଗଲେ
ଗତ ୬ ମାସ ହେଲା ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିବା ସିନ୍ଧିଚୋରି ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା। ତେଣୁ ସିପି ଶ୍ରୀ ପଣ୍ଡା ଗତ ସପ୍ତାହରେ ଏକ ସ୍ବତନ୍ତ୍ର ‌ବୈଠକରେ ପୁଣି ଥରେ ସବୁ ଚୋରିର ତଦନ୍ତ ମୂଳରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସଂଗୃହୀତ ସିସିଟିଭି ଫୁଟେଜ୍‌କୁ ନେଇ ପୁଣି ଛାନ୍‌ଭିନ କରାଯାଇଥିଲା। ଗତବର୍ଷ ଡିସେମ୍ବର ୧୨ ରାତିରେ ମଞ୍ଚେଶ୍ବର ଥାନା ଅଞ୍ଚଳର ସ୍ପେସ୍‌ଟାଉନ୍‌ ଆପାର୍ଟମେଣ୍ଟର ୪ ଫ୍ଲାଟ୍‌ରୁ ହୋଇଥିବା ଚୋରିର ଫୁଟେଜ୍‌ରୁ କିଛି ସୁରାକ୍‌ ମିଳିଥିଲା। ଏଥିରେ ମାଷ୍ଟରମାଇଣ୍ଡ ଗିରିଶ ନାଏକ ଓରଫ୍ ଦାଦାର ହାତ ଥିବା ଜଣାପଡ଼ିଥିଲା। ତେଣୁ ପୁଲିସ ଦାଦା ପିଛାରେ ଲାଗିଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ହଂସପାଳ ଅଞ୍ଚଳର ଏକ ଆପାର୍ଟମେଣ୍ଟ ନିକଟରେ ଦାଦାକୁ ଠାବ କରାଯାଇଥିଲା। କାଳବିଳମ୍ବ ନକରି ପୁଲିସ ଟିମ୍‌ ସେଠାରେ ଚଢ଼ଉ କରି ଦାଦା ସହ ୪ ଜଣଙ୍କୁ କାବୁ କରିଥିଲା। ଏହାପରେ ରାତାରାତି ୯ଜଣଙ୍କୁ ଗିରଫ କରାଯାଇଥିଲା। ହଂସପାଳ ଆପାର୍ଟମେଣ୍ଟରୁ ଲୁଟିବା ପରେ ସେମାନେ ସୁରତ ପଳାଇବାର ଯୋଜନା ଥିଲା। ଏଥିପାଇଁ ସେମାନେ ଟିକଟ ବୁକ୍‌ କରିସାରିଥିଲେ।

୫ ରୁ ଅଧିକ ରାଜ୍ୟରେ ସକ୍ରିୟ
ଏହି ଗ୍ୟାଙ୍ଗ୍‌ ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ‌ ତେଲେଙ୍ଗାନା ଆଦି ରାଜ୍ୟରେ ସକ୍ରିୟ ଥିବା ଜଣାପଡ଼ିଛି। ଗୋଟିଏ ରାଜ୍ୟରୁ ଲୁଟ୍‌ପାଟ କରିବା ପରେ ସେମାନେ ସୁରତ ପଳାନ୍ତି ଏବଂ କିଛି ଦିନ ପରେ ପୁଣି ଅନ୍ୟ ରାଜ୍ୟକୁ ଟାର୍ଗେଟ୍‌ କରନ୍ତି। ବିଭିନ୍ନ ସହରାଞ୍ଚଳର ଉପକଣ୍ଠରେ ଥିବା ନୂଆ ନୂଆ ଆପାର୍ଟମେଣ୍ଟରୁ ସେମାନେ ଲୁଟୁଥିଲେ। ସେମାନଙ୍କ ଆପରାଧିକ ଇତିହାସ ଜାଣିବା ପାଇଁ କମିସନରେଟ୍‌ ପୁଲିସ ସେହି ସବୁ ରାଜ୍ୟ ଓ ଜିଲ୍ଲା ପୁଲିସ ସହ ଯୋଗାଯୋଗ କରିଛି।

ଦାଦାର ୨ ହାତ ବୁଲୁ ଓ ମୃତ୍ୟୁଞ୍ଜୟ
ଏହି ଗ୍ୟାଙ୍ଗ୍‌ର ମୁଖିଆ ଦାଦାର ୨ ହାତ ହେଲେ ମୃତ୍ୟୁଞ୍ଜୟ ଓ ବୁଲୁ। ଦାଦା ନାଁରେ ଥିବା ବହୁ ମାମଲା ମଧ୍ୟରୁ ୨ଟି ହତ୍ୟା ମାମଲା ରହିଛି। ବୁଲୁ ନାଁରେ ଗଞ୍ଜାମରେ ୪୦ରୁ ଅଧିକ ଆପରାଧିକ ମାମଲା ରହିଛି। ୨୦୧୫ରେ ସେ ଏକ ଗହଣା ଦୋକାନରୁ ୮ କିଲୋ ସୁନା ଲୁଟିଥିଲା। ୨୦୧୬ରେ ତାକୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ସେହିଭଳି ଦୁର୍ଦାନ୍ତ ମୃତ୍ୟୁଞ୍ଜୟ ନାଁରେ ବହୁତ ମାମଲା ରହିଛି। ତା’ ନାଁରେ ଛତିଶଗଡ଼ରେ ୩ଟି ହତ୍ୟା ମାମଲା ଥିବା ଜଣାପଡ଼ିଛି। ଏମାନେ ଗଞ୍ଜାମ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ବେଶ୍‌ ସକ୍ରିୟ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button