ରାଜନୀତି

ବିଜେଡିରେ ଅସନ୍ତୋଷ କୁହୁଳୁଛି: କେହି ପ୍ରତିବାଦ କଲେନି – Kalinga News

[ad_1]

କଟକ: ବିଜେଡି କର୍ମୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ବକ୍ତବ୍ୟ ବିଜେଡିରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ନିର୍ବାଚନ ଫଳାଫଳକୁ ନେଇ କଟକ ବିଜେଡିରେ କୁହୁଳୁଥିବା ଅସନ୍ତୋଷ ପ୍ରଭାତଙ୍କ ବକ୍ତବ୍ୟରେ ପ୍ରତିଫଳିତ ହୋଇଥିବା କୁହାଯାଉଛି। ସ୍ଥିତି ଏମିତି ହୋଇଛି ଯେ ପ୍ରଭାତ ସିଧାସଳଖ ଭାବେ ନିର୍ବାଚନ ବିପର୍ଯ୍ୟୟ ପାଇଁ ଭି. କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ କଡ଼ା ସମାଲୋଚନା କରିଥିଲେ ବି ପ୍ରଭାତଙ୍କ ବକ୍ତବ୍ୟକୁ ବିରୋଧ କରିବାକୁ ବିଜେଡିର କୌଣସି ଆଗଧାଡିର ନେତା ଅଥବା କର୍ମକର୍ତ୍ତା ସାମନାକୁ ଆସି ନାହାନ୍ତି। କଟକ ବିଜେଡିରେ ଏଭଳି ନିରବତା ପ୍ରଭାତଙ୍କ ବକ୍ତବ୍ୟ ପ୍ରତି ପରୋକ୍ଷ ସମର୍ଥନ ବୋଲି ଗୋଟିଏ ମହଲରେ ବିଚାର କରାଯାଉଛି।

ଅବଶ୍ୟ ଆଜି ପ୍ରକାଶ ପାଇଥିବା ଖବରକୁ ନେଇ ପ୍ରଭାତ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରକାଶିତ ଖବରକୁ ଖଣ୍ଡନ ନ କରି ପ୍ରଭାତ କହିଛନ୍ତି ଯେ ସେ ବବି ଦାସଙ୍କ ମା’ଙ୍କ କଥା ସେ କେବେ କହି ନାହାନ୍ତି। ବବି ଦାସଙ୍କ ମା’ ହେଉଛନ୍ତି ତାଙ୍କର ସମ୍ମାନସ୍ପଦ। ସେହିଭଳି ନିର୍ବାଚନରେ ୮୮ କୋଟି ଟଙ୍କା ଖର୍ଚ୍ଚକୁ ନେଇ ବି ପ୍ରଭାତ ନିଜ ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ସେ କହିଥିଲେ ଯେ ନିର୍ବାଚନ ରାଜନୀତିକୁ ଆସିବା ଦିନଠାରୁ ସେ ତାଙ୍କ ପୈତୃକ ତଥା ନିଜର ସଂପତ୍ତି ବିକି ବିଭିନ୍ନ ବାଟରେ ୮୮ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। ନିର୍ବାଚନକୁ ଆସିବା ପୂର୍ବରୁ ସେ ଯାହା ଅର୍ଜନ କରିଥିଲେ, ତାହାକୁ ବିକି, ଭାଙ୍ଗି, ଋଣ କରି ଖର୍ଚ୍ଚ କରି ଚାଲିଛନ୍ତି। କେବଳ ସାଧାରଣ ନିର୍ବାଚନ ନୁହେଁ, ତାଙ୍କ ନେତୃତ୍ବରେ ସଦର ଓ ଚୌଦ୍ବାର-କଟକ ଅଞ୍ଚଳରେ ଲଢା ଯାଇଥିବା ବିଭିନ୍ନ ନିର୍ବାଚନ ଓ ଲୋକପ୍ରତିନିଧି ଭାବେ ସେ କରି ଚାଲିଥିବା ଖର୍ଚ୍ଚ ସଂପର୍କରେ ତଥ୍ୟ ଦେବାକୁ ଯାଇ ସେ ୮୮ କୋଟି ଟଙ୍କା କହିଛନ୍ତି।

କିନ୍ତୁ ପ୍ରଭାତ ନିର୍ବାଚନ ବିପର୍ଯ୍ୟୟ ସଂପର୍କରେ ବବି ଓ ପାଣ୍ଡିଆନଙ୍କୁ ନେଇ ଦେଇଥିବା ବକ୍ତବ୍ୟକୁ ନେଇ ବିଜେଡି ଭିତରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଛି। ବିଜେଡି ଭିତରେ ଏଭଳି ଅସନ୍ତୋଷ କେବଳ ଚୌଦ୍ବାର-କଟକରେ ସୀମିତ ନାହିଁ। ଚୌଦ୍ବାର-କଟକ‌ରେ ବିଜେଡି ବିଜୟୀ ହୋଇ ବି ଏଭଳି ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ବାରବାଟୀ-କଟକ, ସଦର, ମାହାଙ୍ଗା, ନିଆଳି, ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଏହି ଅସନ୍ତୋଷ ଆଗକୁ ହୁଏତ ବିସ୍ଫୋରକ ରୂପ ନେବାକୁ ଯାଉଛି। କଟକ ଜିଲ୍ଲାର ୯ରୁ ୫ ବିଧାନସଭା ଆସନ ଓ ଲୋକସଭା ଆସନରେ ବିଜେଡି ପରାସ୍ତ ହୋଇଛି। ଆଠଗଡ଼ ଆସନକୁ ହାରୁହାରୁ ବିଜେଡି ବର୍ତ୍ତି ଯାଇଛି। ହାରି ଯାଇଥିବା ଆସନ ଗୁଡ଼ିକରେ ଏବେ ଦଳର କର୍ମୀ ନେତୃତ୍ବବିହୀନ ଅନୁଭବ କରୁଛନ୍ତି।

ନେତା ମାନଙ୍କୁ ସାଧାରଣ କର୍ମୀ ଆଉ ଦେଖିବାକୁ ପାଉ ନାହାନ୍ତି। ପରାଜୟର ବିଧିବଦ୍ଧ ସମୀକ୍ଷା ବି ଅଞ୍ଚଳରେ ଏଯାଏ ଆରମ୍ଭ ହୋଇପାରିନି। ନୂଆ ଉତ୍ସାହ ନେଇ ବିଜେପି ନେତା ଓ କର୍ମୀ ଆଗକୁ ବାହାରୁଥିବା ବେଳେ ସେମାନଙ୍କୁ ଆଗକୁ କିଭଳି ମୁକାବିଲା କରିବେ, ତାହାକୁ ନେଇ କର୍ମୀ ହତାଶ ଅନୁଭବ କରୁଛନ୍ତି। ନିର୍ବାଚନ ଲଢିବା ଦିନରୁ ପରାସ୍ତ ହୋଇ ନଥିବା ଦେବୀ ମିଶ୍ର, ଚନ୍ଦ୍ରସାରଥି ବେହେରା, ଡାକ୍ତର ପ୍ରମୋଦ ମଲ୍ଲିକ, ପ୍ରତାପ ଜେନାଙ୍କ ଭଳି ନେତାଙ୍କ ପାଇଁ ଗୋଟିଏ ପଟେ ପରାଜୟ ହଜମ ହେଉ ନଥିବା ବେଳେ ଅନ୍ୟପଟେ କର୍ମୀ ସେମାନଙ୍କୁ ପୂର୍ବ ଭଳି ନିକଟରେ ନ ପାଇ ଧୀରେ ଧୀରେ କ୍ଷୋଭ ଓ ଅସନ୍ତୋଷ ଜାରି କରିବା ଆରମ୍ଭ କରିଛନ୍ତି। ଚୌଦ୍ବାର-କଟକ ନିର୍ବାଚନ ଫଳାଫଳ ସମୀକ୍ଷା ଓ କର୍ମୀଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ପ୍ରଭାତଙ୍କ କ୍ଷୋଭଭରା ବକ୍ତବ୍ୟ କର୍ମୀଙ୍କ ଅସନ୍ତୋଷର ପରିପ୍ରକାଶ ବୋଲି ଆଲୋଚନା ହେଉଛି। ଆଗାମୀ ଦିନରେ ଏହାର ବିସ୍ଫୋରକ ପ୍ରଭାବ ଦଳର ସାଙ୍ଗଠନିକସ୍ତରରେ ପଡିବ ବୋଲି ଆକଳନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button