ରାଜନୀତି

‘ଆୟୁଷ୍ମାନ ଭାରତ’ ଲାଗୁ ପାଇଁ ପ୍ରସ୍ତାବ ଦେଲେ ମୋହନ: ଦିଲ୍ଲୀରେ ନଡ୍ଡା ଓ ଜୟଶଙ୍କରଙ୍କୁ ଭେଟିଲେ – Kalinga News

[ad_1]

ଭୁବନେଶ୍ବର: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭେଟି ଓଡ଼ିଶାର ଓଡ଼ିଶାର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ଏଥିରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା, ବାକି ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା, ଓଡ଼ିଶାରେ ୟୁଏଇ କନସୁଲେଟ୍ ଖୋଲିବା, ଭୁବନେଶ୍ବର ଏମ୍‌ସର ସମ୍ପ୍ରସାରଣ, ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା, ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।

ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ‘ୟୁଏଇ’ର କନସୁଲେଟ ଖୋଲିବା ଉପରେ ଗୁରୁତ୍ବ ଦେଇଥିଲେ। ଦୁବାଇରେ ଓଡ଼ିଶାର ଅନେକ ଲୋକ କାମ କରୁଥିବାରୁ ଓ ଦୁବାଇ ସହିତ ବ୍ୟାବସାୟିକ ସଂପର୍କ ବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେ କହିଥିଲେ। ଓଡ଼ିଶାର ୮ ଜଣ ବ୍ୟକ୍ତି ଦୁବାଇରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଓ ରାଜ୍ୟକୁ ଫେରି ପାରୁନଥିବା କଥା ଉଠାଇ ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ସେ କାମନା କରିଥିଲେ। ଏସବୁ ସଂପର୍କରେ ଗୁରୁତ୍ବ ଦିଆଯାଇ ଆଶୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଗଲ୍ଫ କୋର୍ସ ପ୍ରତିଷ୍ଠା, ରାଜ୍ୟରେ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା, ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାଦ୍ବାରା ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ଆସିବାକୁ ଆଗ୍ରହୀ ହେବେ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଛି।

ଦିଲ୍ଲୀରେ ନଡ୍ଡା ଓ ଜୟଶଙ୍କରଙ୍କୁ ଭେଟିଲେ
ନୌବାଣିଜ୍ୟ କେନ୍ଦ୍ର ଓ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ସ୍ଥାପନ ପ୍ରସ୍ତାବ ଉପରେ ଆଲୋଚନା
ବାକି ଜିଲ୍ଲାରେ ମେଡିକାଲ୍ କଲେଜ ଖୋଲିବା, ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ଖୋଲିବା ପ୍ରସଙ୍ଗରେ ବି ଆଲୋଚନା ହେଲା
ଭୁବନେଶ୍ୱର ଏମ୍‌ସର ସମ୍ପ୍ରସାରଣ ପାଇଁ ଅନୁରୋଧ କଲେ
ରାଜଘାଟରେ ମହାତ୍ମା ଗାନ୍ଧୀ ଓ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ

ବିଶେଷକରି ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦ୍ବାରା ଜାପାନ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନୌବାଣିଜ୍ୟ କେନ୍ଦ୍ର ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଟିମ୍ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହାପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମେଡିକାଲ କଲେଜ ଖୋଲାଯାଇ ନାହିଁ, ସେ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ବ ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲାରେ ଯେପରି ମେଡିକାଲ କଲେଜ ଖୋଲିବ, ତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସେ ଅନୁରୋଧ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ଓଡ଼ିଶାର ଗରିବ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଖୁବ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ଖୋଲିବା ପ୍ରସ୍ତାବ, ଭୁବନେଶ୍ୱର ସ୍ଥିତ ଏମ୍‌ସର ସମ୍ପ୍ରସାରଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜାଣିବାକୁ ମିଳିଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଆଜି ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାନ୍ଧିଜୀଙ୍କ ଆଦର୍ଶ ଯୁଗ ଯୁଗ ପାଇଁ ସାରା ବିଶ୍ବକୁ ପ୍ରେରଣା ଯୋଗାଇବ। ଅଟଳ ବିହାରୀ ବାଜପେୟୀ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଆଧୁନିକ ଭାରତ ଗଠନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏହି ତିନି ଦିନ ମଧ୍ୟରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସହଯୋଗ ଓ ସହଭାଗିତା ଉପରେ ଗୁରୁତ୍ବ ଦେଇ ଆଲୋଚନା କରିଥିଲେ। ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ହେବା ସହିତ ରାଜ୍ୟର ବିକାଶ ତ୍ବରାନ୍ବିତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button