ପାତ୍ରପଡ଼ା ଜମି କେଳେଙ୍କାରୀ ଗୁମର ଫିଟୁଛି: ମାରିକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ନାଗେଶ୍ବର ରାଓ – Kalinga News

[ad_1]
ଅଭିଯୋଗକୁ ଚାପି ଦେଇଥିଲେ, ୨୦୧୫ରେ ମାମଲା ରୁଜୁ କଲାନି ଇଓଡବ୍ଲ୍ୟୁ
ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ମୌଜାସ୍ଥିତ ୨୫୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ ମାମଲା ନୂଆ ମୋଡ଼ ନେଇଛି। ଏଠାରେ ଜମି କିଣି ହଇରାଣରେ ପଡ଼ିଥିବା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍. ନାଗେଶ୍ବର ରାଓ ଏବେ ମୁହଁ ଖୋଲିବା ପରେ ମାମଲାର ଗୁରୁତ୍ବ ବୃଦ୍ଧି ପାଇଛି। ଜଣେ ଆଇପିଏସ୍ ଶ୍ରୀ ରାଓ ଠକାମିର ଶିକାର ହୋଇ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ନ ଥିଲା। ଏମିତିକି ମାମଲା ରୁଜୁ କରାଯାଇ ନ ଥିଲା। ତେଣୁ ଏହି ଜମି କେଳେଙ୍କାରୀ ପଛରେ ଏକ ବଡ଼ ରୢାକେଟ୍ କାମ କରୁଥିଲା ବୋଲି ଶ୍ରୀ ରାଓ ଅଭିଯୋଗ କରିବା ପରେ ଏହି ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ରାଓ କହିଛନ୍ତି ଯେ ସେ ୨୦୧୧ ମସିହାରେ ଏଠାରେ ଗୋଟିଏ ପ୍ଲଟ୍ କିଣିଥିଲେ। ୪ ବର୍ଷ ପରେ ସେ ଜାଲିଆତି ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ସେ ୨୦୧୫ ମସିହାରେ ଅର୍ଥନୈତିକ ଅପରାଧ ଶାଖାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ ଡିଜିପି ସଞ୍ଜୀବ ମାରିକ୍ଙ୍କ ଚାପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ନ ଥିଲା। କିନ୍ତୁ ୨୦୧୭ ମସିହାରେ ଜମି ହଡ଼ପର ମାଷ୍ଟରମାଇଣ୍ଡ ନରସିଂହ ସୁନ୍ଦରରାୟ ଓରଫ୍ ବବିନ ତାଙ୍କୁ ୯ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେଇଥିଲା। ଶ୍ରୀ ରାଓ ଆହୁରି କହିଛନ୍ତି, ସେ ଜଣେ ଆଇପିଏସ୍ ହୋଇ ମଧ୍ୟ ଠକାମିର ଶିକାର ହେଲେ ଏବଂ ବଡ଼ କଷ୍ଟରେ ମୂଳଧନ ଫେରିପାଇଲେ। ସାଧାରଣ ଲୋକଟିଏ ହୋଇଥିଲେ, ତା’ ଅବସ୍ଥା କ’ଣ ହୋଇଥାଆନ୍ତା, ସହଜରେ ଅନୁମେୟ। ସେ ଏହା ମଧ୍ୟ କହିଛନ୍ତି ଯେ ନରସିଂହଠାରୁ ୧୦ରୁ ଅଧିକ ଆଇଏଏସ୍ ଓ ଆଇପିଏସ୍ ଜମି କିଣିଛନ୍ତି। ସେମାନେ ପ୍ରକୃତରେ କିଣିଛନ୍ତି କି କିଛି ଗିଫ୍ଟ ଆକାରରେ ପାଇଛନ୍ତି, ତାହା ତଦନ୍ତ ସାପେକ୍ଷ। ପ୍ରକୃତ ତଦନ୍ତ ହେବା ଜରୁରି। ପ୍ରକୃତ ତଦନ୍ତ ହେଲେ ହଡ଼ପ ହୋଇଥିବା ୭.୫ ଏକର ସରକାରୀ ଜମି ମହାଦୁର୍ନୀତି ପଛରେ ଥିବା ବହୁ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ଠକାମି କାହାଣୀକୁ ନେଇ ସେ କହିଛନ୍ତି ଯେ ୨୦୧୦ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲେ। ସେତେବେଳେ ସେ ତାଙ୍କ ବ୍ୟାଚ୍ମେଟ୍ ତତ୍କାଳୀନ ଆଇଜିପି ଶ୍ୟାମସୁନ୍ଦର ହାଁସଦା ଓ କିଛି ପରିଚିତ ଆଇଏଏସ୍ଙ୍କୁ ଭୁବନେଶ୍ବରରେ ଜାଗା କିଣିବାକୁ କହିଥିଲେ। ଶ୍ରୀ ହାଁସଦା ତାଙ୍କୁ ନରସିଂହ ସୁନ୍ଦରରାୟଙ୍କ ସହ ରସୁଲଗଡ଼ସ୍ଥିତ ଅଫିସରେ ଭେଟ କରାଇଥିଲେ। ସେଠାରୁ ସେମାନେ ପାତ୍ରପଡ଼ା ଯାଇ ଜାଗା ଦେଖିଥିଲେ। ଜମିରେ କିଛି ଅଡ଼ୁଆ ନାହିଁ ବୋଲି ନରସିଂହ କହିଥିଲେ। ବନ୍ଧୁ ଶ୍ରୀ ହାଁସଦା ଓ ନରସିଂହ କଥାରେ ବିଶ୍ବାସ କରି ଶ୍ରୀ ରାଓ ନରସିଂହଙ୍କ ଭାଇବୋହୂ ମୀନାକ୍ଷୀ ଜେନାଙ୍କ ନାମରେ ଥିବା ୯୨ ଡିସିମିଲ ଜମି କିଣିଥିଲେ। କିନ୍ତୁ ୨୦୧୧ ମସିହାରେ ସେ ଉକ୍ତ ପ୍ଲଟ୍କୁ ମ୍ୟୁଟେସନ୍ କରିବାକୁ ପ୍ରସ୍ତୁତ ହେବା ବେଳେ ତାହା ସରକାରୀ ବୋଲି ଜମି ତହସିଲ ପକ୍ଷରୁ ଜାଣିବାକୁ ପାଇଥିଲେ। ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ୪ବର୍ଷ କାଳ ଧାଇଁଧାଇଁ ସେ ଜମି ମ୍ୟୁଟେସନ୍ କରାଇପାରିଲେ ନାହିଁ। ତେଣୁ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇ ସେ ୨୦୧୫ ନଭେମ୍ବର ୫ରେ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ।
ଏନେଇ ତତ୍କାଳୀନ ଡିଜିପି ସଞ୍ଜୀବ ମାରିକଙ୍କୁ ‘ସମ୍ବାଦ’ ପକ୍ଷରୁ ଫୋନ୍ କରାଯାଇଥିଲେ ହେଁ ସେ ଫୋନ୍ କଲ୍ ଡାଇଭର୍ଟ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା।
ଶ୍ରୀ ରାଓଙ୍କ ଏପରି ଅଭିଯୋଗ ଏବେ ଏହି ମାମଲାକୁ ନେଇ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି, ଜଣେ ଆଇପିଏସ୍ କିଭଳି ଜମି କିଣିବା ପୂର୍ବରୁ ଭଲ ଭାବେ ଯାଞ୍ଚ କଲେ ନାହିଁ କି ଜାଲିଆତି ସଂପର୍କରେ ଜାଣିପାରିଲେ ନାହିଁ। ଅନ୍ୟ ଆଇପିଏସ୍ ଓ ଆଇଏଏସ୍ମାନେ ମଧ୍ୟ ଜାଲିଆତି ବାବଦରେ ଜାଣି ନିରବ ରହିବା ପଛରେ ରହସ୍ୟ କ’ଣ? ପୂର୍ବତନ ସିବିଆଇ ନିର୍ଦ୍ଦେଶକ ନାଗେଶ୍ବର ରାଓ ଆଜି ଏପରି କହିବା ଯେତିକି ହାସ୍ୟାସ୍ପଦ, ସେତିକି ବିସ୍ମୟକର ବୋଲି ଚର୍ଚ୍ଚା ଜୋର୍ ଧରିଛି। କେବଳ ସେତିକି ନୁହେଁ, ସରକାରୀ ଜମି ହଡ଼ପ ବାବଦରେ ଅଭିଯୋଗ ହେବା ପରେ ବି ଅର୍ଥନୈତିକ ଅପରାଧ ଶାଖା ଏସ୍ପି କାହିଁକି ମାମଲା ରୁଜୁ କଲେନାହିଁ? ତତ୍କାଳୀନ ଡିଜିପି ସଂଜୀବ ମାରିକ ଓ ଅନ୍ୟମାନେ ଏଠାରେ ଜମି କିଣିଥିବାରୁ ସେମାନେ ଇଓଡବ୍ଲ୍ୟୁ ଏସ୍ପିଙ୍କୁ ଚାପର ବଶବର୍ତ୍ତୀ କରିବାରେ ସକ୍ଷମ ହୋଇଥିଲେ କି? ୨୦୦୨ ମସିହାରୁ ତତ୍କାଳୀନ ଭୁବନେଶ୍ବର ତଦସିଲଦାର ଲିଜ୍ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିଥିବା ବେଳେ ନରସିଂହ ସୁନ୍ଦରରାୟ କିଭଳି ହାତ ଲେଖା ପଟ୍ଟା କଲେ? ସରକାରୀ ଜମି ବୋଲି ଜାଣି ସୁଦ୍ଧା ବିଡିଏ କିପରି ଘର କରିବାକୁ ପ୍ଲାନ୍ ଆପ୍ରୁଭାଲ୍ ଦେଲା? ଏଭଳି ପୁଳାପୁଳା ପ୍ରଶ୍ନ ଏବେ ସବୁ ମହଲକୁ ବିସ୍ମିତ କରିଛି। ତେଣୁ ଏହାପଛରେ କି ପ୍ରକାର କିକ୍ବ୍ୟାକ ହୋଇଛି ଏବଂ ଏଥିରେ କେଉଁ ବଡ଼ବଡ଼ିଆ ହସ୍ତୀମାନେ ଅଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି।
ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏବେ ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଇବାକୁ ଦାବି କରିଛନ୍ତି। ପାତ୍ରପଡ଼ା ସରକାରୀ ଜମି ପ୍ଲଟ୍ ନମ୍ବର ୩୨୧ରେ ଥିବା ୭.୫ ଏକର ଜମିକୁ ଜମିମାଫିଆ ନରସିଂହ ହଡ଼ପ କରିଥିବା ନେଇ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ୧୯୮୭ ମସିହାରେ ନରସିଂହ ସୁନ୍ଦରରାୟ, ତାଙ୍କ ସଂପର୍କୀୟା ମୀନାକ୍ଷୀ ଜେନା, ଅଶୋକ ସୁନ୍ଦରରାୟ ଓ ଶୈଳବାଳା ଜେନା ନିଜକୁ ଭୂମିହୀନ ଦର୍ଶାଇ ଚାଷ କରିବା ଉଦ୍ଦେଶ୍ୟରେ ଜଣକା ୧.୫ ଏକର ହିସାବରେ ୬ ଏକର ଜମି ପାଇଥିଲେ। ୧୯୭୩ ମସିହାରୁ ୧୯୮୫ ଯାଏ ଏହି ଜମି ଚକବନ୍ଦି ବ୍ୟବସ୍ଥାରେ ଥିଲା। ୧୯୮୦ ମସିହାରେ ସେମାନଙ୍କୁ ଲିଜ୍ ମିଳିଥିଲା। ୨୦୦୩ ମସିହାରୁ ୨୦୧୮ ଭିତରେ ସେମାନେ ହାତ ଲେଖା ପଟ୍ଟା କରି ଖଣ୍ଡଗିରି ସବ୍ରେଜିଷ୍ଟ୍ରରଙ୍କ ଜରିଆରେ କାରବାର କରିଥିଲେ। ତତ୍କାଳୀନ ଡିଜିପି ସଂଜୀବ ମାରିକଙ୍କ ପୁଅ ସୁଦୀପ ମାରିକ, ଆଇପିଏସ୍ ଆର୍ପି କୋଚେ, ଏମ୍ ନାଗେଶ୍ବର ରାଓ ଓ ତାଙ୍କ ପତ୍ନୀ ଏବଂ ଆଇପିଏସ୍ ଶ୍ୟାମସୁନ୍ଦର ହାଂସଦା, ତାଙ୍କ ପତ୍ନୀ ଓ ପୁଅ ଏଠାରେ ଜମି କିଣିଛନ୍ତି। ସେହିଭଳି ଏଠାରେ ବହୁତଳ ବିଶିଷ୍ଟ କୋଠା ଓ ୫୦ ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ କରି ଭଡ଼ା ସୂତ୍ରରେ ଲଗାଇ ବିପୁଳ ଅର୍ଥ ଆଦାୟ ହେଉଛି।
[ad_2]