ଅପରାଧ

ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି: ମେଡିକାଲ ସାମଗ୍ରୀ କିଣିବାକୁ ଧମକ – Kalinga News

[ad_1]

ସାରା ରାଜ୍ୟକୁ ଲମ୍ବିଛି ଚେର, କାରବାର ପଛରେ ବଡ଼ ରୢାକେଟ୍

କଟକ: କଟକ ‌ବଡ଼ ମେଡିକାଲକୁ ଯୋଗାଣ ହେଉଥିବା ସାମଗ୍ରୀରେ ପ୍ରତିବନ୍ଧକ ସୃଷ୍ଟି କଲେ ବୋଲି ଜଣେ ଫାର୍ମାସିଷ୍ଟଙ୍କୁ ହତ୍ୟା ଲାଗି ହୋଇଥିବା ଯୋଜନା ପଛରେ ଅଧିକ ରହସ୍ୟ ଥିବା ସନ୍ଦେହ କରାଯାଉଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କଟକ ବଡ଼ ମେଡିକାଲକୁ ଔଷଧ ତଥା ଚିକିତ୍ସା ସଂପର୍କିତ ବିଭିନ୍ନ ସାମଗ୍ରୀ ଯୋଗାଣ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏହି ପ୍ରକ୍ରିୟାରେ ବଡ଼ ବ୍ୟବସାୟିକ କାରବାର ରହୁଥିବାରୁ ଏଥିରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଜାରି ରଖିଛି। ଅନେକ ସମୟରେ ସରକାରୀ ହସ୍ପିଟାଲରେ ଯୋଗାଇ ଦିଆଯାଉଥିବା ଔ‌ଷଧ ଓ ମେଡିକାଲ ସାମଗ୍ରୀର ମାନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏସବୁ କାରବାରର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମତପ୍ରକାଶ ପାଇଛି। ଏଭଳି ଘଟଣାର ପ୍ରାଥମିକ ଖୋଳତାଡ଼ରୁ ଏହି କାରବାର ସାରା ରାଜ୍ୟକୁ ଲମ୍ବି ଥିବା ସନ୍ଦେହ କରାଯାଉଛି। ବିଭିନ୍ନ ବାଟରେ ପ୍ରଲୋଭିତ କରି, ଧମକ ଦେଇ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଏଭଳି କାରବାର ଜାରି ରଖିଥିବା ସୂଚନା ମିଳିଛି। ଏହି ଅପରାଧରେ ସଂପୃକ୍ତ ଭୁବନେଶ୍ବରର ଜଣେ ଅଭିଯୁକ୍ତ ଏବେ ମାଲକାନାଗିରିରେ ଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ବ୍ୟକ୍ତିକୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି ବୋଲି ମଙ୍ଗଳାବାଗ ଥାନା ଆଇଆଇସି ସୂଚନା ଦେଇଛନ୍ତି।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସିପୁ ଓରଫ ଦିବ୍ୟରଞ୍ଜନ ମହାନ୍ତି ଜଣେ ମେଡିସିନ୍ ରିପ୍ରେଜେଣ୍ଟେ‌ଟିଭ୍ ହୋଇଥିବା ବେଳେ ଶ୍ରୀ କ୍ରିଷ୍ଣା ଟ୍ରେଡର୍ସ ନାମକ ସଂସ୍ଥାର ସେ ଅଂଶୀଦାର ରହିଛି। ସିପୁ କେଉଁସବୁ ଔଷଧ ଅଥବା ମେଡିକାଲ ସାମଗ୍ରୀ କାରବାରରେ ସଂପୃକ୍ତ ଥିଲା, କେବେଠାରୁ କଟକ ବଡ଼ ମେଡିକାଲକୁ ବିଭିନ୍ନ ସାମଗ୍ରୀ ଯୋଗାଣରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ସଂପୃକ୍ତ ଥିଲା, ସେ ସବୁ ରହସ୍ୟ ‌ଉନ୍ମୋଚନ ଏବେ ଗୁରୁତ୍ବପୂର୍ଣ୍ଣ ହୋଇ ପଡିଛି। ଅନ୍ୟପଟେ ସିପୁ ଓରଫ ଦିବ୍ୟରଞ୍ଜନର କାଠଗୋଲା ସାହିସ୍ଥିତ ଦିବ୍ୟତେଜ ଫାର୍ମାସିଟ୍ୟୁକାଲର ମାଲିକାନା ସହ
କୌଣସି ବାଟରେ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଦିବ୍ୟତେଜ ଫାର୍ମାସିଟ୍ୟୁକାଲସର ପ୍ରୋପ୍ରାଇଟର ହେଉଛନ୍ତି ସ୍ବାକ୍ଷର ରଞ୍ଜନ ପ୍ରଧାନ। ଏହି ସଂସ୍ଥା ଦୀର୍ଘ ଦିନରୁ ମେଡିକାଲ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛି। ସିପୁ ମେଟ୍ରୋନିକ୍ସ ବ୍ରାଣ୍ଡ୍‌ର ଷ୍ଟେଣ୍ଟ୍‌ ଓ ବାଲୁନ ଦିବ୍ୟତେଜ ଫାର୍ମାସିଟ୍ୟୁକାଲ୍‌ସକୁ ଯୋଗାଇ ୧୫ ପ୍ରତିଶତ କମିସନ ପାଉଥିଲା। କିନ୍ତୁ ଏହାର ମାନକୁ ନେଇ ପ୍ରଶ୍ନ ଉଠିବା ପରେ କଟକ ବଡ ମେଡିକାଲକୁ ମେଟ୍ରୋନିକ୍ସ ବ୍ରାଣ୍ଡ୍‌ର ସାମଗ୍ରୀ ଯୋଗାଣ ବନ୍ଦ ହୋଇଥିଲା ଏବଂ ଦିବ୍ୟତେଜ ଫାର୍ମସିଟ୍ୟୁକାଲସ ବି ସିପୁ ଠାରୁ ସାମଗ୍ରୀ ନେବା ବନ୍ଦ କରି ଦେଇଥିଲା। ଏଭଳି ସ୍ଥିତିରେ ସିପୁ ଓ ସେ ଅଂଶୀଦାର ଥିବା ଶ୍ରୀ କ୍ରିଷ୍ଣା ଟ୍ରେଡର୍ସ ଆର୍ଥିକ କ୍ଷତିରେ ପଡିଥିଲେ।

ସିପୁ ଏହି ସାମଗ୍ରୀ ଯୋଗାଣ ବନ୍ଦ ପଛରେ ବଡ଼ ମେଡିକାଲର ଫାର୍ମାସିଷ୍ଟ ବିଶ୍ବମ୍ବର ଭୋଳଙ୍କ ହାତ ଥିବା ସନ୍ଦେହ କରିଥିଲା। ସେ ବିଭିନ୍ନ ବାଟରେ ବିଶ୍ବମ୍ବରଙ୍କୁ ପ୍ରଭାବିତ କରି ବିଫଳ ହେବା ପରେ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବା ଉଦ୍ଦେଶ୍ୟରେ ସୁପାରି କିଲର ଜରିଆରେ ହତ୍ୟା ଯୋଜନା କରିଥିଲା। କିନ୍ତୁ ଏହି ଘଟଣା ମେଡିକାଲ ସାମଗ୍ରୀ ଯୋଗାଣ ପଛରେ ଏକ ବଡ଼ ଧରଣର ରୢାକେଟ କାମ କରୁଥିବା ସନ୍ଦେହକୁ ଘନୀଭୂତ କରିଛି। ସିପୁ ନିର୍ଦ୍ଦିଷ୍ଟ ଭାବେ ଜଣେ ଫାର୍ମାସିଷ୍ଟଙ୍କୁ ଏହି ଘଟଣା ପାଇଁ ଦାୟୀ କରି ହତ୍ୟା ଭଳି ଏକ ସଂଗିନ ଅପରାଧ ଘଟାଇବା ପାଇଁ କାହିଁକି ଉଦ୍ୟମ କଲା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ପୁଲିସ ଏସବୁ ଦିଗର ତଦନ୍ତ କରି ସଂପୂର୍ଣ୍ଣ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଦାବି ହେଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button