ଫୋନ୍ କଲ୍କୁ ଅପେକ୍ଷା: ମନ୍ତ୍ରିମଣ୍ଡଳ ଚୂଡ଼ାନ୍ତ ପାଇଁ ମାନସ ମନ୍ଥନ – Kalinga News
[ad_1]
ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ଜାରି, ଆଶାୟୀ ବି ରାତି ଅନିଦ୍ରା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଚୟନ ପରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଚାଲିଛି। ରାଜଭବନରେ ସରକାର ଗଠନ ପାଇଁ ଦାବି କଲା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସରଗରମ ଆଲୋଚନା ହୋଇଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଧାୟକ ଦଳ ନେତା ତଥା ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବରିଷ୍ଠ ନେତାମାନେ ବସି କସ୍ରତ କରିଛନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳର ରୂପରେଖ ସ୍ପଷ୍ଟ ହୋଇପାରିନାହିଁ। ଆଶାୟୀ ବିଧାୟକମାନେ ଫୋନ୍ କଲ୍କୁ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୧ ଜଣ ରହିପାରିବେ। ମନ୍ତ୍ରୀମାନଙ୍କୁ ଚୟନ କଲା ବେଳେ ସବୁ ଅଞ୍ଚଳକୁ ଯେପରି ଠିକ୍ ଭାବେ ନ୍ୟାୟ ଦିଆଯାଇପାରିବ, ତାହା ଉପରେ ବିଜେପି ନେତୃତ୍ବ ଗୁରୁତ୍ବ ଦେଉଛନ୍ତି। ପ୍ରଥମ ଥର ସରକାର ଗଢ଼ୁଥିଲେ ମଧ୍ୟ ଆଶାୟୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ଆଉ କିଛି ବରିଷ୍ଠ ଓ ପ୍ରଭାବଶାଳୀ ନେତା ନିଜ ନିଜର ଖାସ୍ ସମର୍ଥକଙ୍କୁ ମନ୍ତ୍ରୀ ପଦରେ ବସାଇବାକୁ ଚାହୁଛନ୍ତି। ଫଳରେ ଲମ୍ବା ସମୟ ଧରି ପ୍ରସ୍ତାବିତ ନାମଗୁଡ଼ିକ ଉପରେ ମାନସ ମନ୍ଥନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ବିଜେପିର ୭୮ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ମନ୍ତ୍ରିମଣ୍ଡଳରେ ଏକାଧିକ ଥର ବିଧାୟକ ଭାବେ ଜିତିଥିବା ପୁରୁଣା ନେତାଙ୍କୁ ଗୁରୁତ୍ବ ମିଳିବ ବୋଲି ଜଣାପଡ଼ିଛି। ତାହା ସହ କିଛି ନୂଆ ବିଧାୟକଙ୍କୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି। ବିଶେଷ କରି ସବୁ ସଂସଦୀୟ କ୍ଷେତ୍ରକୁ ଯେପରି ପ୍ରତିନିଧିତ୍ବ ମିଳିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯେଉଁ ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ବ କରୁଛନ୍ତି, ସେଠାରେ ଆଉ କାହାକୁ ମନ୍ତ୍ରୀ ନକରିବା ପାଇଁ ମତପ୍ରକାଶ ପାଇଛି। କିନ୍ତୁ ତାହା ଉପରେ ସହମତି ହୋଇପାରି ନାହିଁ। ନିର୍ବାଚନ ପୂର୍ବରୁ ଯେଉଁ ନେତା ଅନ୍ୟ ଦଳରୁ ଆସି ବିଜେପି ଟିକେଟରେ ଲଢ଼ି ଜିତିଛନ୍ତି, ସେମାନଙ୍କୁ ଏହି ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳରେ ସାମିଲ ନକରିବା ପାଇଁ ଗୋଟିଏ ଗୋଷ୍ଠୀ ମତ ଦେଇଛନ୍ତି। ଏହାଦ୍ବାରା କିଛି ଆଶାୟୀଙ୍କୁ ମନ୍ତ୍ରୀ ରେସ୍କୁ ଦୂରେଇ ରଖିବା ସହଜ ହେବ ବୋଲି ବିଚାର କରାଯାଉଛି। ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ହେଲେ ବି ମନ୍ତ୍ରିମଣ୍ଡଳରେ ଆଉ ଜଣେ ଦୁଇ ଜଣ ମହିଳାଙ୍କୁ ସାମିଲ କରିବାକୁ ଯୋଜନା ରହିଛି।
ଆଜି ଦୀର୍ଘ ସମୟ ଧରି ଚାଲିଥିବା ବୈଠକରେ କିଛିଟା ନାମ ଉପରେ ସହମତି ଆସିଛି। ଆଉ କିଛି ନାମକୁ ନେଇ ଟଣାଓଟରା ଚାଲିଛି। ବରିଷ୍ଠ ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହାନ୍ତି। କାହାକୁ କେଉଁ ବିଭାଗ ଦିଆଯିବ, ତାହା ଉପରେ ମଧ୍ୟ ଆଲୋଚନା ହୋଇଛି। ସେଥିରେ ମଧ୍ୟ ସହମତି ଆସିପାରି ନାହିଁ।
ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ ହେଉଥିବାରୁ ବିଜେପି କାର୍ଯ୍ୟାଳୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳି ଥିଲା। ବିଧାୟକମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏ ନେଇ ଉତ୍ସୁକତା ପ୍ରକାଶ ପାଇଥିଲେ କିଛି ଠୋସ୍ ସୂଚନା ମିଳିପାରି ନାହିଁ।
[ad_2]