ଖେଳ ଖବର

ସୁପର-୮ ପକ୍କା ଲକ୍ଷ୍ୟରେ ଭାରତ: ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ଦଳ – Kalinga News

[ad_1]

ନ୍ୟୁୟର୍କ: ଦୁଇ ଦିନ ତଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ରୋମାଞ୍ଚକ ଭାବେ ହରାଇଥିବା ଭାରତୀୟ କ୍ରିକେଟ୍ ଦଳ ତା’ର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ବୁଧବାର ଅନ୍ୟତମ ଆୟୋଜକ ଆମେରିକାକୁ ଭେଟିବ। ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ବୁଧବାରର ଏହି ମ୍ୟାଚ୍‌ରେ ପୂର୍ବ ମୁକାବିଲାର ବ୍ୟାଟିଂ ବିଫଳତାକୁ ଦୂର କରି ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପାକିସ୍ତାନ ଭଳି ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମେରିକା ଭାରତକୁ ହରାଇ ପ୍ରତିଯୋଗିତାରେ ସବୁଠୁ ବଡ଼ ଓଲଟ ପାଲଟ କରିବା ଯୋଜନାରେ ପଡ଼ିଆକୁ ଓହ୍ଲାଇବ। ଏଥିଲାଗି କିନ୍ତୁ ତାକୁ ସବୁଦୃଷ୍ଟିରୁ ଉଚ୍ଚସ୍ତରୀୟ କ୍ରିକେଟ୍ ଖେଳିବାକୁ ହେବ। କ୍ରିକେଟ୍ ପଡ଼ିଆରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସେଥିପାଇଁ ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି କ୍ରିକେଟ୍ ପୃଷ୍ଠାରେ ବୁଧବାର ନୂଆ ଇତିହାସ ଲେଖାହେବ।

ଆମେରିକା ଦଳରେ ପାଖାପାଖି ୬ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ଥିବା ବେଳେ ଟିମ୍ ଇଣ୍ଡିଆ ବିପକ୍ଷରେ ସେମାନେ ଲଢ଼ୁଥିବାର ଦେଖିବା ପ୍ରଶଂସକଙ୍କ ପାଇଁ ମଧ ନିଆରା ଅନୁଭୂତି ହେବ। କାରଣ ଆମେରିକାରେ ଅଧିକାଂଶ କ୍ରିକେଟ୍ ସମର୍ଥକ ଭାରତୀୟ ହୋଇଥିଲା ବେଳେ ସେମାନେ କାହାକୁ ସମର୍ଥନ କରୁଛନ୍ତି, ତାହା ଦେଖିବା ମଜାଦାର ହେବ। କିଛି ଭାରତ ଜନ୍ମିତ ଖେଳାଳି ମଧ୍ୟ ନିଜ ମାତୃଭୂମି ବିପକ୍ଷରେ ଖେଳିବାର ଅଭିନବ କୀର୍ତ୍ତିମାନ କରିବେ। ଯୁବ ଓ ଅନଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଆମେରିକା ଦଳ ଭାରତୀୟ ଦଳରେ ଥିବା ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ବିପକ୍ଷରେ ଖେଳି ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବେ। ଉଭୟ ଦଳକୁ କିନ୍ତୁ ନସାଉ କ୍ରିକେଟ୍ ଷ୍ଟାଡିୟମ୍ ପିଚ୍ ମ୍ୟାଚ୍ ସାରା ପରୀକ୍ଷାରେ ପକାଇବ। ଟସ୍ ପୁଣି ଢେର ଗୁରୁତ୍ବ ବହନ କରିବ। ଦ୍ବିତୀୟ ବ୍ୟାଟିଂ କରିବା ଦଳ ପାଇଁ ପଶ୍ଚାତଧାବନ ବି ଅଦୌ ସହଜ ହେବନି। ଭାରତ ଯଦି ପ୍ରଥମେ ବ୍ୟାଟିଂ କରେ ତା‌ହେଲେ ଆମେରିକା କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବ। ଭାରତ ଦ୍ବିତୀୟ ବ୍ୟାଟିଂ କଲେ ଆମେରିକା ଅନ୍ୟୂନ ୧୩୦ ରନ୍ କରିବାକୁ ଲକ୍ଷ୍ୟ ରଖିବ। ଭାରତୀୟ ବୋଲରଙ୍କୁ ଆମେରିକାର ସଫଳ ବ୍ୟାଟର୍ ଆରୋନ ଜୋନ୍ସ କିଭଳି ଖେଳୁଛନ୍ତି, ତାହା ଦେଖିବା ବି ବେଶ୍ ରୋଚକ ହେବ।

ଭାରତ ବନାମ ମିନି ଭାରତର ମାନ୍ୟତା ପାଇଥିବା ଏହି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବନାର ଉପକ୍ରମ ବି ଦେଖିବାକୁ ମିଳିବ। କାରଣ ଆମେରିକା ଦଳରେ ଥିବା ବାମହାତୀ ଦ୍ରୁତ ବୋଲର୍‌ ସୌରଭ ନେତ୍ରାଭଲକରଙ୍କ ପାଇଁ ଏହି ମ୍ୟାଚ୍ ପିଲା ଦିନର ସ୍ମୃତିକୁ ଉଜାଗର କରିବାର ସୁଯୋଗ ଦେବ। ଦିନେ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିବା ଏହି ଯୁବ ତାରକା ବୁଧବାର ଭାରତ ବିପକ୍ଷରେ ଖେଳିବେ। କାରଣ ସଂପ୍ରତି ଓରାକ୍‌ଲ କଂପାନିରେ କାମ କରୁଥିବା ନେତ୍ରାଭଲକର ଆମେରିକା ଯାଇ ସେଠାକାର ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇବା ପୂର୍ବରୁ ମୁମ୍ବାଇ ପକ୍ଷରୁ ୧୫ବର୍ଷରୁ କମ୍ କ୍ରି‌କେଟ୍ ଖେଳୁଥିଲେ। ସୂର୍ଯ୍ୟକୁମାର ୟାଦବଙ୍କ ସହ ରଣଜୀ ଓ ବିଜୟ ହଜ‌ାରେ ଟ୍ରଫି ମଧ୍ୟ ଖେଳିଛନ୍ତି। ବୁଧବାର କିନ୍ତୁ ସୂର୍ଯ୍ୟଙ୍କୁ ପ୍ରତିପକ୍ଷ ଦଳରେ ରହି ବୋଲିଂ କରିବାର ସୁଯୋଗ ପାଇବେ। ଭାରତ ବିପକ୍ଷରେ ଖେଳିବା ଆବେଗଭରା ରହିବ ବୋଲି କହିଛନ୍ତି ସେ। ସ୍ପିନର ହର୍ମିତ୍ ସିଂହ, ମୋନାଙ୍କ ପଟେଲ, ନୀତୀଶ କୁମାର, ଜେସି ସିଂହ ଓ ନୋସତୁଷ କେଞ୍ଜିଗେ ମଧ୍ୟ ଭାରତ ବିପକ୍ଷରେ ଖେଳିବାକୁ ଚାତକ ଭଳି ଚାହିଁ ରହିଛନ୍ତି। ଉଭୟ ଦଳ ଅପରିବର୍ତ୍ତିତ ଦଳ ସହ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ଶିବମ ଦୁବେଙ୍କ ବିଫଳତା ଦଳ ପାଇଁ ଚିନ୍ତାର କାରଣ ଥିବାରୁ ୟୁଝବେନ୍ଦ୍ର ଚହଲ କିମ୍ବା କୁଲଦୀପ ଯାଦବଙ୍କ ଭିତରୁ ଜଣେ ସ୍ପିନର୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ନେବା ଭାରତ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। ପାଗ ପ୍ରାୟତଃ ଶୁଖିଲା ରହିବାର ପୂର୍ବାନୁମାନ ଥିବାରୁ ମ୍ୟାଚ୍‌ରେ ବର୍ଷା ବ୍ୟାଘାତ ହେବାର ଆଶଙ୍କା କମ୍ ଅଛି ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ଆମେରିକା: ମୋନାଙ୍କ ପଟେଲ (ଅଧିନାୟକ), ଷ୍ଟିଭେନ୍ ‌ଟେଲର, ଆଣ୍ଡ୍ରିଏସ୍ ଗୌସ୍, ଆରୋନ ଜୋନ୍ସ, ନୀତୀଶ କୁମାର, କୋରି ଆଣ୍ଡରସନ୍, ହର୍ମିତ ସିଂହ, ଯଶଦୀପ ସିଂହ, ନୋସତୁଷ କେଞ୍ଜିଗେ, ସୌରଭ ନେତ୍ରାଭଲକର, ଅଲ୍ଲୀ ଖାନ୍।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button