ଦଶମ ଫେଲ୍ ଠକିନେଲା ୧୨୩ କୋଟି: ପୁଞ୍ଜିନିବେଶ ନାଁରେ ୬ ରାଜ୍ୟର ୩୪,୦୦୦ ଜମାକାରୀଙ୍କୁ ଚୂନ – Kalinga News

[ad_1]
ପଶ୍ଚିମବଙ୍ଗରୁ ଠକକୁ ବାନ୍ଧିଲା ଇଓଡବ୍ଲ୍ୟୁ
ଭୁବନେଶ୍ବର: ପୁଞ୍ଜି ନିବେଶକଲେ ମାସିକ ଉଚ୍ଚହାରରେ ସୁଧ ମିଳିବ। ଚିହ୍ନାପରିଚିତଙ୍କୁ ସଂସ୍ଥାରେ ଯୋଡ଼ିପାରିଲେ ବୋନସ୍ ମିଳିବ। ଖାଲି ଏତିକି ନୁହେଁ, ପୁଞ୍ଜି ନିବେଶ ହିସାବରେ ମାସିକ ଦରମା ସହ କମିସନ ବି ମିଳିବ। ଏମିତି ବିଭିନ୍ନ ସ୍କିମ୍ର ଲୋଭ ଦେଖାଇ ଓଡ଼ିଶା ସମେତ ୬ଟି ରାଜ୍ୟର ୩୪ହଜାର ଜମାକାରୀଙ୍କୁ ୧୨୩ କୋଟି ଟଙ୍କା ଚୂନ ଲଗାଇଲା। ସେହି ଠକେଇ ଟଙ୍କାରେ ବିଦେଶରେ ମଉଜ କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି କଲା। ଦଶମ ଫେଲ୍ ହୋଇ ମଧ୍ୟ ଉଚ୍ଚ ଶିକ୍ଷିତଙ୍କୁ ଚୂନ ଲଗାଇଥିବା ଏଭଳି ଜଣେ ବିଚକ୍ଷଣ ଠକକୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପଶ୍ଚିମବଙ୍ଗ ମେଦିନପୁରରୁ ଗିରଫ କରିଛି। ଠକଟି ହେଉଛି ହରିତ୍ କ୍ରିଷିନିଧି ଲିମିଟେଡ୍ର ନିର୍ଦ୍ଦେଶକ ତୁଷାର ଭଞ୍ଜ (୫୫)। ଗିରଫ ପରେ ତୁଷାରକୁ କୋଲକାତା ଆଲିପୁର ଏସିଜେଏମ୍ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଥିଲା। ଜେରା ପରେ ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୨୩ ମସିହାରେ ତୁଷାର ପ୍ରଥମେ କଟକରେ ଟ୍ରାସ୍ଭିଜନ୍ ଡିମ୍ ମଲ୍ଟି ଟ୍ରେଡ୍ ନାମକ ଏକ ସଂସ୍ଥା ଖୋଲିଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରେ ହରିତ୍ କ୍ରିଷିନିଧି ଲିମିଟେଡ୍ ନାମକ ସଂସ୍ଥା ଖୋଲିଲା। ଏହାପରେ ୟୁଟ୍ୟୁବ୍, ହ୍ବାଟ୍ସଆପ୍, ଫେସ୍ବୁକ୍ ଭଳି ବିଭିନ୍ନ ସୋସିଆଲ୍ ମିଡିଆରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସ୍କିମ୍ର ବିଜ୍ଞାପନ ଦେଇ ଲୋକଙ୍କୁ ଆକର୍ଷିତ କରିଥିଲା। ସଂସ୍ଥାରେ ପୁଞ୍ଜି ନିବେଶକଲେ ମାସିକ ୧୧ ପ୍ରତିଶତ ସୁଧ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା। ଆହୁରି କୁହା ଯାଇଥିଲା, ଯେଉଁମାନେ ଅତିକମ୍ରେ ୪ଲକ୍ଷ ଟଙ୍କା ନିବେଶ କରିବେ ସେମାନଙ୍କୁ ମାସିକ ୪ହଜାର ଟଙ୍କା ଓ ଯେଉଁମାନେ ୮ଲକ୍ଷ ନିବେଶ କରିବେ ସେମାନଙ୍କୁ ମାସିକ ୮ହଜାର ଟଙ୍କା ଦରମା ଦିଆଯିବ। ଆହୁରି ଅଧିକ କଲେ,ଏହି ହାରରେ ଅଧିକ ଦରମା ମିଳିବ। ଖାଲି ଏତିକି ନୁହେଁ, ଯେଉଁମାନେ ନୂଆ ସଦସ୍ୟ ଯୋଡ଼ିବେ ସେମାନଙ୍କୁ ୩%-୪% କମିସନ ମଧ୍ୟ ଦେବାକୁ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ସେମିତି ଅଧିକ ସଦସ୍ୟ ଯୋଡ଼ିଲେ ୩୦%-୩୫% ବୋନସ୍ ଦେବାକୁ ବି ସଂସ୍ଥା ବିଜ୍ଞାପନରେ ଦର୍ଶାଇଥିଲା। ପୁଞ୍ଜି ନିବେଶକାରୀଙ୍କ ମନରେ ବିଶ୍ବାସ ଆଣିବା ପାଇଁ ପ୍ରଥମେ ମାସକୁ ଚୁକ୍ତି ହିସାବରେ ଟଙ୍କା ଫେରସ୍ତ କରିଥିଲା। ଜମାକାରୀ ସଂଖ୍ୟା ବଢ଼ିବାରୁ ସଂସ୍ଥା ଛତିଶଗଡ଼, ଆସାମ, ତ୍ରିପୁରା, ମହାରାଷ୍ଟ୍ରରେ ଶାଖା ଖୋଲି ବିଭିନ୍ନ ହୋଟେଲ୍ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଜମାକାରୀଙ୍କୁ ଆକୃଷ୍ଟ କରିଥିଲା। ପରେ ସଂସ୍ଥା ବିଦେଶରେ ମଧ୍ୟ ପହଞ୍ଚି ଯାଇଥିଲା। ବାଂଲାଦେଶର ଜମାକାରୀଙ୍କୁ ମଧ୍ୟ ଲୋଭ ଦେଖାଇ ଟାଣିଥିଲା। ବିଶେଷକରି ଆକ୍ସିସ୍, ବନ୍ଧନ ଓ ୟେସ୍ ବ୍ୟାଙ୍କ ମାଧ୍ୟମରେ ଜମାକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଇଥିଲା। ସେହି ଟଙ୍କାକୁ ତୁଷାର ନିଜ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲା। ଏହିଭଳି ଉପାୟରେ ପ୍ରାୟ ୩୪ହଜାର ଜମାକାରୀଙ୍କୁ ୧୨୩ କୋଟି ଟଙ୍କା ଚୂନ ଲଗାଇଥିଲା। ଜମାକାରୀଙ୍କର ଟଙ୍କାକୁ ସେ ବିଭିନ୍ନ ଟ୍ରେଡିଂ ସଂସ୍ଥାରେ ଲଗାଉଥିଲା। ସେଥିରୁ ମିଳିଥିବା ଟଙ୍କାରେ ବିଭିନ୍ନ ରାଜ୍ୟରେ ଭୂସମ୍ପତ୍ତି କିଣିବା ସହ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲା। ମଝିରେ ମଝିରେ ବ୍ୟାଙ୍କକ ଓ ଦୁବାଇ ଯାଇ ତାରକା ହୋଟେଲରେ ରହି ମଉଜ କରୁଥିଲା। ପରେ ଦୁବାଇରେ ମଧ୍ୟ ଅଫିସ ଖୋଲିବା ପାଇଁ ଯୋଜନା କରିଥିଲା।
ତେବେ ଠକେଇର ଶିକାର ହୋଇଥିବା ମନମୋହନ ଦୋରା ନାମକ ଜଣେ ବ୍ୟକ୍ତି ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ଦଶମ ଫେଲ୍ ହୋଇଥିବା ଏହି ଠକର ଗୁମର ଖୋଲିଥିଲା। ମନମୋହନ ଏହି ସଂସ୍ଥାରେ ୨ଲକ୍ଷ ୧୭ହଜାର ଟଙ୍କା ନିବେଶକରି ୩ଟି ଆଇଡି ଖୋଲିଥିଲେ। ପ୍ରଥମ ମାସ ତାଙ୍କୁ କିଛି ରିଟର୍ଣ୍ଣ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଟଙ୍କା ମିଳିବା ତ ଦୂରର କଥା, ସଂସ୍ଥା ତାଙ୍କ ଆକାଉଣ୍ଟ ଓ ନମ୍ବରକୁ ବ୍ଲକ୍ କରିଦେଇଥିଲା। ଯେତେ ଯୋଗାଯୋଗ କରିଥିଲେ ମଧ୍ୟ ସଂସ୍ଥାରୁ କୌଣସି ସହଯୋଗ ମିଳିନଥିଲା। ଏନେଇ ସେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରି ତୁଷାରକୁ ଗିରଫ କରିବାପରେ ସବୁ ସତ ପଦାକୁ ଆସିଥିଲା। ତା’ସହ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ଅନ୍ୟ କେଉଁ ରାଜ୍ୟ ବା ଦେଶରୁ ସେ ଲୁଟିଛି, ଦଶମ ଫେଲ୍ ହୋଇଥିବା ବେଳେ ସେ କିଭଳି ଉଚ୍ଚ ଶିକ୍ଷିତଙ୍କୁ ବୋକା ବନାଇବାରେ ସଫଳହେଲା, ଏହାପଛରେ ଆଉକେହି ମାଷ୍ଟରମାଇଣ୍ଡ ଅଛିକି- ଏସବୁର ଖୋଳତାଡ଼ ଚାଲିଛି। ଅବଶ୍ୟକ ହେଲେ ତାକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ଇଓଡବ୍ଲ୍ୟୁର ଜଣେ ଅଧିକାରୀ କହିଛନ୍ତି।
[ad_2]