ମୋଦୀଙ୍କ ଶପଥ ଆଜି: ଟିଡିପିକୁ ୪ ମନ୍ତ୍ରୀ ପଦ, ଜେଡିୟୁକୁ ୨ – Kalinga News

[ad_1]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଆସନ୍ତାକାଲି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ସହିତ ୩୦ ଜଣିଆ କ୍ୟାବିନେଟ ମଧ୍ୟ ଶପଥ ନେବ ବୋଲି ଜଣାପଡ଼ିଛି। କାହାକୁ ମନ୍ତ୍ରୀ କରାଯିବ, ଏନେଇ ସରକାରୀ ଭାବେ କିଛି କୁହାଯାଇନଥିଲେ ମଧ୍ୟ ବିଜେପିର କିଛି ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ, ପୀୟୂଷ ଗୋଏଲ, ମନୋହର ଲାଲ ଖଟ୍ଟର, ଶିବରାଜ ସିଂହ ଚୌହାନ, ବାଂସରାଜ ବୋମ୍ମାଇ ଏବଂ ସର୍ବାନନ୍ଦ ସୋନୱାଲ। ଏହାସହିତ ସହଯୋଗୀ ଟିଡିପି (ତେଲୁଗୁ ଦେଶମ ପାର୍ଟି)କୁ ୪ଟି ମନ୍ତ୍ରୀ ପଦ ମିଳିବ ଏବଂ ଜେଡିୟୁକୁ ୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଖବର ମିଳିଛି। ମୋଦୀ ସରକାର ଲାଗି ଏହି ଦୁଇ ସହଯୋଗୀଙ୍କ ସମର୍ଥନ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଦାବିକୁ ଗୁରୁତ୍ବ ଦିଆଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ କ୍ୟାବିନେଟରେ ସ୍ଥାନ ପାଇବାକୁ ଥିବା ୪ ଟିଡିପି ନେତାଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ରାମ ମୋହନ ନାଇଡ଼ୁ, ହରିଶ ବାଲ୍ଯୋଗୀ ଏବଂ ଡି. ପ୍ରସାଦ। ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ଦୁଇ ବରିଷ୍ଠ ନେତା ଲଲନ ସିଂହ ଏବଂ ରାମ ନାଥ ଠାକୁର ମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି। ଲଲନ ସିଂହ ହେଉଛନ୍ତି ନୀତୀଶଙ୍କ ଖାସ ଲୋକ। ରାମନାଥ ଠାକୁର ହେଉଛନ୍ତି ଭାରତ ରତ୍ନରେ ସମ୍ମାନିତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ପୁଅ। ଏହାସହିତ ଜେଡିଏସ୍ ନେତା କୁମାରସ୍ବାମୀ, ଏଲ୍ଜେପି ନେତା ଚିରାଗ ପାଶ୍ବାନ, ଜୟନ୍ତ ଚୌଧୁରୀ, ଜିତନ ରାମ ମାଝୀଙ୍କ ଭଳି ସହଯୋଗୀ ଦଳର ନେତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଥିବାବେଳେ ଆଜି ଏନ୍ଡିଏ ବୈଠକରେ ମନ୍ତ୍ରିମଣ୍ଡଳ ତାଲିକା ଏବଂ ବିଭାଗ ବଣ୍ଟନ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି। ତେବେ ବିସ୍ତୃତ ବିବରଣୀ ପ୍ରକାଶ କରାଯାଇ ନାହିଁ। କିନ୍ତୁ ସ୍ବରାଷ୍ଟ୍ର, ଅର୍ଥ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଶିକ୍ଷା ଏବଂ ସଂସ୍କୃତି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ନିଜ ହାତରେ ରଖିବା ଲାଗି ବିଜେପି ନିଜ ଜିଦରେ ଅଟଳ ରହିଛି। ଟିଡିପି ଏବଂ ଜେଡିୟୁ ମଧ୍ୟ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ନଜର ପକାଇଛନ୍ତି। ସେମାନଙ୍କ ସହିତ ଆଜି ଅମିତ ଶାହ ଏବଂ ରାଜନାଥ ସିଂହ ଆଲୋଚନା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଟିଡିପି ଆନ୍ଧ୍ରପ୍ରଦେଶରେ ୧୬ଟି ଲୋକସଭା ଆସନ ଜିତିବାପରେ ଲୋକସଭା ବାଚସ୍ପତି ପଦ ସହ ୪ଟି ମନ୍ତ୍ରୀ ପଦ ଦାବି କରିଛି। ଜେଡିୟୁ ବିହାରରେ ୧୨ ଆସନରେ ଜିତିଥିବା ବେଳେ ମନ୍ତ୍ରିମଣ୍ଡଳରେ ୨ଟି ପଦ ପାଇଁ ଦାବି କରିଥିବା ଜଣାପଡ଼ିଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନପାଇବାରୁ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁ ଏବେ କିଙ୍ଗମେକର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫୪୩ ଲୋକସଭା ଆସନରୁ ଏନ୍ଡିଏ ମେଣ୍ଟ ୨୯୩ ଆସନରେ ଜିତିଥିବା ବେଳେ ବିଜେପି ମାତ୍ର ୨୪୦ ଆସନରେ ବିଜୟ ହାସଲ କରିଛି, ଯାହାକି ଆବଶ୍ୟକ ସଂଖ୍ୟା ଠାରୁ ୩୨ ଆସନ କମ୍।
[ad_2]




