ଅପରାଧ

ଧରାପଡ଼ିଲା ଗହଣା ଚୋରଣୀ ନେହା: ଚୋରା ହାର କିଣି ବଣିଆ ଗିରଫ ଭିଣୋଇ ସ୍କୁଟିରୁ ଚିହ୍ନଟ – Kalinga News

[ad_1]


ଭୁବନେଶ୍ବର: ସେଲ୍‌ସମ୍ୟାନ୍‌କୁ ଚକ୍‌ମା ଦେଇ ସହିଦନଗରସ୍ଥିତ ଏକ ପ୍ରତିଷ୍ଠିତ ଗହଣା ଦୋକାନରୁ ସାଢ଼େ ୪୦ ଗ୍ରାମ୍‌ର ହାର ଚୋରେଇ ନେଇଥିବା ଲେଡି ଲୁଟେରା ଧରାପଡ଼ିଛି। ଭିଣୋଇ ସ୍କୁଟିରୁ ଚିହ୍ନଟ ହୋଇଥିବା ବର୍ଷା ପ୍ରିୟଦର୍ଶିନୀ ନାୟକ ଓରଫ୍ ନେହାକୁ ସହିଦନଗର ଥାନା ପୁଲିସ ନୟାଗଡ଼ରୁ ଗିରଫ କରିଛି। ଏଥିସହିତ ନେହାଠାରୁ ଚୋରା ହାର କିଣିଥିବା ପୁରୀର ବଣିଆ ରାଜେନ୍ଦ୍ର ଚିନାରାକୁ ମଧ୍ୟ ପୁଲିସ ବାନ୍ଧିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ଗତ ୨୯ ତାରିଖ ଅପରାହ୍ଣ ସାଢ଼େ ୩ଟା ବେଳେ ନେହା ଉକ୍ତ ଗହଣା ସୋ’ ରୁମ୍‌କୁ ଆସି ସେଲସ୍‌ମ୍ୟାନ୍‌ଙ୍କୁ ହାର ଦେଖାଇବାକୁ କହିଥିଲେ। ସେଲସ୍‌ମ୍ୟାନ୍‌ ଗୋଟିଏ ପରେ ଗୋଟିଏ ସୁନାହାର ଦେଖାଇ ଚାଲିଥିଲେ। ଏହା ଭିତରେ ନେହା ସାଢ଼େ ୪୦ ଗ୍ରାମ୍‌ ଓଜନର ଏକ ହାରକୁ ତା’ ଭ୍ୟାନିଟି ବ୍ୟାଗ୍‌ରେ ପୂରାଇ ଦେଇଥିଲା। କଥା ଚାତୁରୀ ବଳରେ ନେହା ସେଲ୍‌ସମ୍ୟାନ୍‌ଙ୍କୁ ଏମିତି ଭଳାଇ ରଖିଥିଲା ଯେ ସେ ଲୁଟ୍‌ର ସାମାନ୍ୟତମ ଟେର୍‌ ପାଇନଥିଲେ। ଏହାପରେ ଡିଜାଇନ୍‌ରେ ମନ ମାନୁ ନଥିବା ବାହାନା କରି ନେହା ଦୋକାନରୁ ଚାଲିଯାଇଥିଲା। ସୋ’କେସ୍‌ ଉପରେ ରଖି ଦେଖାଇଥିବା ହାରଗୁଡ଼ିକୁ ସଜାଡ଼ି ରଖିବା ବେଳେ ସେଲ୍‌ସମ୍ୟାନ୍‌ ଗୋଟିଏ ହାର ନଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସେତେବେଳକୁ ନେହା ଚମ୍ପଟ ମାରିସାରିଥିଲା। ତୁରନ୍ତ ଏନେଇ ସହିଦନଗର ଥାନାକୁ ଅବଗତ କରାଯାଇଥିଲା ଏବଂ ପୁଲିସ ଦୋକାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା।

ସିସିଟିଭି ଫୁଟେଜ୍‌ରୁ ନେହା ଦୋକାନକୁ ଆସିଥିବା ସ୍କୁଟି ନମ୍ବର(ଓଡି ୦୨ ବିବି ୩୨୦୨) ମିଳିଯାଇଥିଲା। ଉକ୍ତ ନମ୍ବରକୁ ଯାଞ୍ଚ କରି ପୁଲିସ ପିପିଲିରେ ପହଞ୍ଚି ନେହାର ଭିଣୋଇ ପ୍ରଭାକର ରାଉଳଙ୍କୁ ଜେରା କରିଥିଲା। ଭିଣୋଇ ପ୍ରଭାକର ସାନ ଶାଳୀ ନେହା ବାବଦରେ ସବୁ କଥା କହିଥିଲେ। ଘଟଣା ଦିନ ନେହା ସ୍କୁଟି ନେଇ ଭୁବନେଶ୍ବର ଯାଇଥିଲା ବୋଲି ସେ ପୁଲିସକୁ କହିଥିଲେ। ସେଠାରୁ ଭଉଣୀ ଓ ଭିଣୋଇଙ୍କୁ ନେଇ ପୁଲିସ ନେହାର ନୟାଗଡ଼ ଠିକଣାରେ ଚଢ଼ଉ କରି ତାକୁ ଉଠାଇଥିଲା। ପୁଲିସ ପଞ୍ଝାରେ ପଡ଼ିବା ପରେ ନେହା ପୁରୀ ସଦର ଥାନା ଶମ୍ଭୁଭାରତୀପାଟଣାର ବଣିଆ ରାଜେନ୍ଦ୍ରକୁ ହାର ବିକିଥିବା ମାନିଯାଇଥିଲା। ଚୋରା ହାର ବଦଳରେ ବଣିଆ ରାଜେନ୍ଦ୍ର ନେହାକୁ ଏକ ସୁନା ଚେନ୍‌ ଓ ୪୭ ହଜାର ଟଙ୍କା ଦେଇଥିଲା। ଚୋରା ହାର ଜାଣିବା ପରେ ବି ଲୋଭରେ ବଣିଆ ରାଜେନ୍ଦ୍ର ନେହା ସହ କାରବାର କରିଥିଲା। ପୁଲିସ ନେହାକୁ ସହିଦନଗରସ୍ଥିତ ଗହଣା ଦୋକାନକୁ ଆଣିବା ପରେ ସେଲ୍‌ସ୍‌ମ୍ୟାନମାନେ ତାକୁ ଚିହ୍ନଟ କରିଥିଲେ। ନେହାର ପୂର୍ବ ରେକର୍ଡ ଯାଞ୍ଚ କରାଯାଉଛି। ସେ ପୂର୍ବରୁ ଏମିତି ଲୁଟ୍‌ କରିଛି କି ନା, ପୁଲିସ ଖୋଳତାଡ଼ କରୁଛି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button