ମନୋରଞ୍ଜନ

ଗୋଟିଏ ସିନେମାରେ ଚାରି ଯୋଡ଼ି – Kalinga News

[ad_1]


ବହୁ ଓଡ଼ିଆ ଛବିରେ ଏକାଧିକ ନାୟକ-ନାୟିକାଙ୍କ ଯୋଡ଼ିର କମାଲ୍‌ ଦେଖିଛନ୍ତି ଦର୍ଶକ। ଏମିତିକି ତିନି ଓ ପାଞ୍ଚ ଯୋଡ଼ି ନାୟକ-ନାୟିକା ଥିବା ଓଡ଼ିଆ ସିନେମା ବି ଅତୀତରେ ମୁକ୍ତିଲାଭ କରିଛି। ଏବେ ଚାରି ଯୋଡ଼ିଙ୍କୁ ନେଇ ଆସୁଛି ‘ଚନ୍ଦ୍ରବଂଶୀ’।

ଶିବଶଙ୍କର ଓଝା

ଆଗରୁ ଓଡ଼ିଆରେ ଏକାଧିକ ପ୍ରତିଷ୍ଠିତ ଅଭିନେତା-ଅଭିନେତ୍ରୀଯୋଡ଼ିଙ୍କୁ ନେଇ ମଲ୍‌ଟିଷ୍ଟାରର୍ ଛବି ନିର୍ମାଣ ହେଉଥିଲା। ଅଶୀ ଦଶକରୁ ସମ୍ଭବତଃ ମଲ୍ଟିଷ୍ଟାରର୍ ସିନେମା ନିର୍ମାଣର ଧାରା ଓଡ଼ିଶାରେ ପ୍ରଖର ହୋଇଥିଲା। ଏହି ଶ୍ରେଣୀୟ ଛବିରେ ଦର୍ଶକ ଏକାଧିକ ଲୋକପ୍ରିୟ ଯୋଡ଼ିଙ୍କୁ ଦେଖିବାକୁ ପାଉଥିଲେ। ଏମିତି ଏକ ଉଦାହରଣ ହେଲା, କାଞ୍ଚନ ନନ୍ଦଙ୍କ ପ୍ରଯୋଜିତ ତଥା ଶିଶିରମୋହନ ପତିଙ୍କ ନିର୍ଦ୍ଦେଶିତ ‘ପଞ୍ଚୁପାଣ୍ଡବ’। ଏହି ସିନେମାରେ ପ୍ରଶାନ୍ତ ନନ୍ଦ-ମହାଶ୍ବେତା, ଉତ୍ତମ ମହାନ୍ତି-ପୁଷ୍ପା ପଣ୍ଡା, ଶ୍ରୀରାମ ପଣ୍ଡା-ବୀଣା, ପୃଥ୍ବୀରାଜ-ମଞ୍ଜୁଶ୍ରୀ, ଶ୍ରୀକାନ୍ତ-ପ୍ରତିଭା; ଏଭଳି ପାଞ୍ଚଟି ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏହା ଏକ ବିରଳ ଦୃଷ୍ଟାନ୍ତ ଅବଶ୍ୟ। ଏହାଛଡ଼ା ଧୀର ବିଶ୍ବାଳଙ୍କ ପ୍ରଯୋଜିତ ତଥା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ଏଇ ଆମ ସଂସାର’, ରବୀନ୍ଦ୍ର ସାହୁଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଏଇତ ଦୁନିଆ’, ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଯଶୋଦା’, ବିନୟ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଏ ଯୁଗର କୃଷ୍ଣ ସୁଦାମା’, ଶୈଳବାଳା ଲେଙ୍କାଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରୀ’, ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବାପା’, ‘ଏମିତି ଭାଇ ଜଗତେ ନାହିଁ’ ଓ ‘କାଳୀଶଙ୍କର’ ଆଦି ସିନେମାରେ ବି ତିନିଟି ଯୋଡ଼ିଙ୍କୁ ଭେଟିଥିଲେ ଦର୍ଶକ। ଏମିତି ଆଉ କିଛି ଓଡ଼ିଆ ସିନେମା ବି ଅଛି।

ଏବେ ପୁଣି ଏକ ଓଡ଼ିଆ ସିନେମା ଆସୁଛି, ଯେଉଁଥିରେ ଦୁଇ କି ତିନି ନୁହେଁ, ଚାରିଚାରିଟି ଯୋଡ଼ିଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ। କୁମାର ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ‘ଚନ୍ଦ୍ରବଂଶୀ’ରେ ଚାରି ନାୟକ-ନାୟିକାଙ୍କ ଯୋଡ଼ି ଅଭିନୟ କରୁଛନ୍ତି। ଆକାଶ-ପୁନମ୍, ଶ୍ରୀତମ୍ ଦାସ-ସ୍ମିତା ମହାନ୍ତି, ରାଜ୍ ରାଜେଶ-ଜସ୍ମିନ ରଥ ଓ ପ୍ରୀତମ୍-ଲିପ୍‌ସାଙ୍କୁ ଏଥିରେ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଆକାଶ-ପୁନମ୍ ଯୋଡ଼ିଙ୍କୁ ଦର୍ଶକ ଆଗରୁ ରମେଶ ବାରିକଙ୍କ ପ୍ରଯୋଜିତ ତଥା ଶ୍ରୀତମ୍ ଦାସଙ୍କ ନିର୍ଦ୍ଦେଶିତ ‘ମହାବାହୁ’ରେ ଦେଖିବାକୁ ପାଇଥିଲେ। ଏହା ଏହି ଯୋଡ଼ିଙ୍କର ଦ୍ବିତୀୟ ସିନେମା। ଏଣେ ଶ୍ରୀତମ୍ ଦାସ-ସ୍ମିତା ମହାନ୍ତିଙ୍କ ପ୍ରଥମ ସିନେମା ଥିଲା ସୁବାସ ରାଉତଙ୍କ ପ୍ରଯୋଜିତ ତଥା ଜ୍ୟୋତି ପ୍ରକାଶଙ୍କ ନିର୍ଦ୍ଦେଶିତ ‘ଜୀବନସାଥୀ’। ଏହାପରେ ଅବତାର ସିଂଙ୍କ ନିର୍ଦ୍ଦେଶିତ ‘ଜନ୍ମଦାତା’ରେ ନଜର ଆସିଥିଲେ ଏହି ଯୋଡ଼ି। ଦୀର୍ଘ ବର୍ଷ ପରେ ପୁଣି ଏହି ସିନେମାରେ ନଜର ଆସିବେ ଶ୍ରୀତମ୍-ସ୍ମିତା ଯୋଡ଼ି। ‘ଚନ୍ଦ୍ରବଂଶୀ’ରେ ଶ୍ରୀତମ୍‌ଙ୍କ ଅଭିନୀତ ଚରିତ୍ର ହେଲା ରାଣା ପ୍ରତାପ ଚନ୍ଦ୍ରବଂଶୀ। ସ୍ମିତା ମହାନ୍ତି ତାଙ୍କ ପତ୍ନୀ ଭୂମିକାରେ ଅଛନ୍ତି।

ତେଣେ ରାଜ୍ ରାଜେଶ-ଜସ୍ମିନ ରଥ ଓ ପ୍ରୀତମ୍-ଲିପ୍‌ସାଙ୍କ ଯୋଡ଼ି ପ୍ରଥମ ଥର ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ଜସ୍ମିନ ରଥଙ୍କର ଏହା ପ୍ରଥମ ଓଡ଼ିଆ ସିନେମା। ଖାଲି ସେତିକି ନୁହେଁ, ଏହା ହେଉଛି ଅଭିନେତା ଭାବେ ପ୍ରଯୋଜକ କୁମାର ପ୍ରୀତମ ସାହୁଙ୍କର ଆକ୍ଟିଂ ଡେବ୍ୟୁ। ପ୍ରୀତମ୍ ଏହି ସିନେମାରେ ପ୍ରେମ୍ ଚରିତ୍ରରେ ଅଭିନୟ କରିଛନ୍ତି। ଲିପ୍‌ସାଙ୍କୁ ସେ ଭଲ ପାଉଛନ୍ତି ହେଲେ, ଅନ୍ୟ ଜଣେ ଯୁବକ ବି ଲିପ୍‌ସାଙ୍କୁ ପ୍ରେମ କରେ। ଏମାନଙ୍କ ଭିତରୁ କିଏ ନିଜର ଭଲ ପାଇବାକୁ ସାକାର ରୂପ ଦିଏ କିଂବା କେହି ବି ସଫଳ ହେଉନାହାନ୍ତି, ତାହା ଦେଖିବାକୁ ମିଳିବ ସିନେମାରେ। ଏକ ରାଜ ପରିବାରର କାହାଣୀକୁ ନେଇ ଫିଲ୍ମର କଥାବସ୍ତୁ ଗତିଶୀଳ। ଏହି ପରିବାରର ମୁଖ୍ୟ ହେଲେ ସୂର୍ଯ୍ୟ ନାରାୟଣ ପ୍ରତାପ ଚନ୍ଦ୍ରବଂଶୀ (ଦୈତ୍ୟାରୀ ପଣ୍ଡା)। ତାଙ୍କର ଦୁଇପତ୍ନୀ (ପ୍ରତିଭା ପଣ୍ଡା ଓ ଉଷସୀ ମିଶ୍ର)। ପ୍ରଥମ ପତ୍ନୀ ଉଷସୀଙ୍କର ଦୁଇ ପୁଅ-ଶ୍ରୀତମ୍ ଓ ପ୍ରୀତମ୍। ଏଣେ ପ୍ରତିଭାଙ୍କ ଦୁଇ ପୁଅ-ରାଜ୍ ରାଜେଶ ଓ ଆକାଶ। ସବୁ ଯୋଡ଼ିଙ୍କୁ କାହାଣୀ ଅନୁଯାୟୀ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ପ୍ରଯୋଜକ। ୟଶ୍-ସୁନୀଲ ଏହାର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button