ସାତ୍ ସୱାଲ୍: ପ୍ରଥମ ୪ଟି ସିନେମା ବିନା ପାରିଶ୍ରମିକରେ କରିଛି – Kalinga News
[ad_1]
ଏକ ରିୟାଲିଟି ସୋ’ର ବିଜେତା ହେବା ପରେ ଓଲିଉଡ୍ରେ ପ୍ରବେଶ କରିଥିଲେ ଅଭିନେତା ଜ୍ୟୋତିରଞ୍ଜନ ନାୟକ। ୬-୭ ବର୍ଷର କ୍ୟାରିୟର୍ ମଧ୍ୟରେ ସେ ପ୍ରାୟ ୨୫ଟି ସିନେମାରେ ନଜର ଆସି ସାରିଲେଣି। ସିନେମା ପ୍ରତି ତାଙ୍କର ଅହେତୁକ ଆକର୍ଷଣ ତାଙ୍କୁ ଏହି କ୍ଷେତ୍ରକୁ ଟାଣି ଆଣିଛି। ଏ ସପ୍ତାହରେ ଏହି ଲୋକପ୍ରିୟ ନାୟକଙ୍କ ସହ ଅଳ୍ପ ଆଳାପ।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ଦନା ମିଶ୍ର୍ର
ରିୟାଲିଟି ସୋ’ ଜିତିବା ପରେ ଆପଣ ଅଭିନୟ ଜଗତରେ ପାଦ ଦେଲେ ଏବଂ ଆଜିଯାଏ ସକ୍ରିୟ ଅଛନ୍ତି। ତା’ ପୂର୍ବରୁ କ’ଣ କରିବାକୁ ଚିନ୍ତା କରିଥିଲେ?
ଦର୍ଶକମାନଙ୍କ ଆଶୀର୍ବାଦରୁ ରିୟାଲିଟି ସୋ’ ଜିତିଲି ଓ ଆଜିଯାଏ ଏହି ଶିଳ୍ପରେ ଅଛି। ଆରମ୍ଭରୁ ହିଁ ମୁଁ ଅଭିନେତା ହେବାକୁ ଭାବିଥିଲି। ଯଦିଓ ମୁଁ ଚେନ୍ନାଇରେ ଇଞ୍ଜନିୟରିଂ କରୁଥିଲି, କିନ୍ତୁ ଛୋଟବେଳରୁ ମୋର ସିନେମା ପ୍ରତି ଆକର୍ଷଣ ଥିଲା। ବାପାମାଆଙ୍କୁ ସବୁବେଳେ ମୁଁ କହୁଥିଲି କି ବଡ଼ ହେଲେ ‘ହିରୋ’ ହେବି। ସେମାନେ ମୋତେ ପରାମର୍ଶ ଦେଇଥିଲେ, ଆଗ ପାଠପଢ଼ା ସରୁ, ତା’ପରେ ଯାହା କରିବୁ। ମୋର ସବୁ ନିଷ୍ପତ୍ତିକୁ ସମର୍ଥନ ଦେଇଥିବାରୁ ମୁଁ ମୋ ବାପାମାଆଙ୍କୁ ଧନ୍ୟବାଦ ଦେବି।
ଆଜିଯାଏ ଆପଣଙ୍କ ଅଭିନୀତ କେଉଁ ସିନେମାକୁ ନେଇ ଆପଣ ପଶ୍ଚାତ୍ତାପ କରନ୍ତି? ସିନେମାଟି ନକରିଥିଲେ ଭଲ ହୋଇଥାନ୍ତା ବୋଲି ଭାବନ୍ତି?
ମୁଁ ପୂର୍ବରୁ ବି ଏକଥା କହିଛି ଯେ ସବୁ ହିରୋ ଯେଉଁ ସିନେମା କରିବାକୁ ମନା କରି ଦେଉଥିଲେ ମୁଁ ସେହି ସିନେମା କରୁଥିଲି। କେଉଁ ବି ସିନେମାକୁ ନେଇ ମୁଁ ପଶ୍ଚାତ୍ତାପ କରିନି। କାରଣ ସେଠି ପ୍ରଯୋଜକଙ୍କ ଝାଳବୁହା ଧନ ସହ ନିର୍ଦ୍ଦେଶକ ଓ କଳାକାରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଲାଗିଥାଏ। ଆଉ ପଶ୍ଚାତ୍ତାପ କରିବାର ବିକଳ୍ପଟି ମୋ ପାଖରେ ଏବେ ନାହିଁ କି ଆଗରୁ ନଥିଲା।
ଜ୍ୟୋତି ବେଶି ପାରିଶ୍ରମିକ ଦାବି କରନ୍ତିନି, ସହଜରେ ସିନେମା କରିବାକୁ ରାଜି ହୋଇଯାଆନ୍ତି। କାହିଁକି?
ସତକଥା ହେଉଛି ପ୍ରଥମରୁ ୪ଟା ସିନେମା ମୁଁ ମାଗଣାରେ କରିଛି। ମୋର ଭାଗ୍ୟ ଯେ ସେହି ସ୍କ୍ରିପ୍ଟ ପାଇଁ ନିର୍ଦ୍ଦେଶକମାନେ ମୋତେ ବାଛିଲେ। ବହୁତ ବଡ଼ ବଡ଼ କଳାକାର ଥାଉ ଥାଉ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ମୁଁ ଆସିଲି, ସେଇଟା ମୋ ପାଇଁ ବହୁତ ବଡ଼ କଥା। ‘ତୁ ମୋ ହିରୋ’ରେ ମୋତେ ପ୍ରଥମେ ୫୦ ହଜାର ଟଙ୍କା ମିଳିଥିଲା। ଦିଲୀପ ପଣ୍ଡା ସାର୍ ମୋତେ କହିଥିଲେ କି ପୁଅ ଏହି ୫୦ ହଜାର ଦିନେ ତୋ ପାଇଁ ୫-୧୦ ଲକ୍ଷ ଟଙ୍କା ହେବ। ତାଙ୍କର, ମୋ ବାପାମାଆଙ୍କର, ଦର୍ଶକଙ୍କର ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଆଜି ଯାଏ ତିଷ୍ଠିଛି।
ବାହାଘର ବିଷୟରେ କ’ଣ ଚିନ୍ତା କରିଛନ୍ତି? ପ୍ରେମ ବିବାହ କରିବେ ନା ବ୍ୟବସ୍ଥିତ?
ଯେହେତୁ ମୋ ବଡ଼ଭାଇମାନେ ବାହା ହୋଇ ଯାଇଛନ୍ତି ସମସ୍ତେ ମୋତେ ଏହି ପ୍ରଶ୍ନ କରୁଛନ୍ତି। ମାତ୍ର ମୁଁ ଏବେ ପର୍ଯ୍ୟନ୍ତ ସେ ବିଷୟରେ ଜମା ବି ଭାବିନି। ମୋର ବର୍ତ୍ତମାନ ଗୋଟାଏ ଲକ୍ଷ୍ୟ -ଦର୍ଶକମାନଙ୍କୁ ଭଲ ସିନେମା ଦେବି।
ଯଦି ଆପଣ ପସନ୍ଦ କରୁଥିବା ଯୁବତୀ ଜଣକ ବାହାଘର ପାଇଁ ନିଜ କ୍ୟାରିୟର୍ ଛାଡ଼ିବାର ସର୍ତ୍ତ ରଖନ୍ତି ତା’ହେଲେ କ’ଣ କରିବେ?
ସାଢ଼େ ଚାରିକୋଟି ଦର୍ଶକଙ୍କ ଆଶୀର୍ବାଦ ଯାହାକୁ ମିଳିଛି ସେ ତାହାକୁ କେବେ ହରାଇବାକୁ ଚାହିଁବନି। ଯେଉଁ କଳାକାର ବନ୍ଧୁଙ୍କୁ ଯେଉଁ ବି ଯୁବତୀ ବିବାହ କରନ୍ତୁ, ସେମାନେ ଜଣେ କଳାକାର ପଛର ସଂଘର୍ଷକୁ ବୁଝିବା ଦରକାର। ଯଦି ବି କେହି ଆସି କହିବ ତୁମ ଭାତ ହାଣ୍ଡି ଛାଡ଼ିଦିଅ, ମୁଁ ତାହା କେବେ ବି ମାନିବି ନାହିଁ।
ଆପଣ ଏକ ରିୟାଲିଟି ସୋ’ର ବିଚାରକ ମଣ୍ଡଳିରେ ରହି ‘ଚକୁଳିରେ କେତୋଟି କଣା’ ପ୍ରଶ୍ନ ପଚାରି ଖୁବ୍ ସମାଲୋଚିତ ହୋଇଛନ୍ତି। ସେହି ପ୍ରଶ୍ନଟି ଆପଣ ନିଜ ମନରୁ ପଚାରିଥିଲେ ନା ସ୍କ୍ରିପ୍ଟରେ ଥିଲା?
ନିଶ୍ଚିତ ଭାବେ ସବୁ ସ୍କ୍ରିପ୍ଟେଡ୍ ଥାଏ। ଏଇଟା ଏକ କୌଶଳ ପ୍ରଶ୍ନ ଥିଲା। ଯଦିଓ ଠିକ୍ରେ ମୋର ମନେନାହିଁ, ବର୍ଣ୍ଣବୋଧରେ ଏହାକୁ ନେଇ ଏକ ଢଗ ବି ଅଛି। କିଛି ରୋଷ୍ଟର୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ର ଭିୟୁ ବଢ଼ାଇବା ପାଇଁ ସେହି କ୍ଲିପ୍କୁ ବ୍ୟବହାର କଲେ ଓ ଟଙ୍କା ବି ରୋଜଗାର କଲେ। କିଛି ରୋଷ୍ଟର୍ ନିଜେ ବି ମୋତେ ମେସେଜ୍ କରିଛନ୍ତି କି ‘ଭାଇ ଆପଣଙ୍କ ପାଇଁ ଆମ ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ ବଢ଼ିଲେ, ଆପଣ ଦୟାକରି କେସ୍ କରିବେନି’। ଆଗରୁ ବି ମୁଁ କହିଛି ଓ ଏବେ ବି କହୁଛି, କୌଣସି ମହିଳାଙ୍କୁ ମୁଁ କେବେ ଅସମ୍ମାନ କରିନାହିଁ। ଯେଉଁ ଝିଅକୁ ପ୍ରଶ୍ନ କରିଥିଲି, ସେ ତା’ପର ରାଉଣ୍ଡ୍କୁ ବି ଯାଇଛନ୍ତି। କିଛି ଦର୍ଶକ ମୋ ଉପରେ ରାଗିଥିଲେ। ମୁଁ ସେଥିପାଇଁ ଭୁଲ୍ ମାଗିଥିଲି। ଏବେ ବି ଭୁଲ୍ ମାଗୁଛି।
ଚା’, ନାଲି ଚା’, କଫି ଏବଂ କଳାକଫି ଭିତରୁ ଆପଣଙ୍କୁ କେଉଁଟି ବେଶି ଭଲ ଲାଗେ?
ମୁଁ ସକାଳୁ ଉଠି ‘ବ୍ଲାକ୍ କଫି’ ପିଏ। ବେଳେ ବେଳେ ଚା’ ପିଇଦିଏ।
ଶେଷରେ ଦର୍ଶକମାନଙ୍କୁ ଏତିକି କହିବି ସବୁ କଳାକାରଙ୍କୁ ଭଲପାଇବା ଦିଅନ୍ତୁ। ଆପଣ ବି ଖୁସିରେ ରହନ୍ତୁ ଓ ଆମକୁ ବି ଖୁସି ଦିଅନ୍ତୁ। ଜୟ ଜଗନ୍ନାଥ।
[ad_2]