ଖେଳ ଖବର

ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍: ଆମେରିକୀୟଙ୍କୁ କ୍ରିକେଟ୍ ଶିଖାଇଲେ ଯୁବି – Kalinga News

[ad_1]

୧୫ କିଲୋ କମିଛନ୍ତି ସୂର୍ଯ୍ୟ


ଡାଲସ/ପ୍ରୋଭିଡେନ୍ସ,: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନବମ ସଂସ୍କରଣ ରବିବାରଠାରୁ ସମାନ୍ତରାଳ ଭାବେ ଆମେରିକା, ୱେଷ୍ଟଇଣ୍ଡିଜ୍‌ରେ ଆରମ୍ଭ ହୋଇଛି। ୨୦ ଦେଶ ୨୮ ଦିନ ଧରି ଲଢ଼େଇ କରିବା ପରେ ଜୁନ୍ ୨୯ରେ ଏହାର ମେଗା ଫାଇନାଲ୍ ଖେଳାଯିବ। ଆମେରିକାର ୩ ଓ ୱେଷ୍ଟଇଣ୍ଡିଜ୍‌ର ୬ଟି ଷ୍ଟାଡି୍ୟମ୍‌ରେ ମହାଲଢ଼େଇ ହେବ। ମୋଟ ୫୫ ମ୍ୟାଚ୍ ଆୟୋଜିତ ହେବ। ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଗ୍ରୁପ୍, ସୁପର-୮ ଓ ନକ୍‌ଆଉଟ୍ ପଦ୍ଧତିରେ ଖେଳାଯିବ। ୨୦୨୨ରେ ଖେଳାଯାଇଥିବା ଗତ ସଂସ୍କରଣରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଜେତା ହୋଇଥିଲା। ଏଥର କିନ୍ତୁ ଏମାନଙ୍କ ସହ ଏକାଧିକ ନୂଆ ଦାବିଦାର ରହିଛନ୍ତି। ଆୟୋଜକ ଭାବେ ଆମେରିକା ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ। ଅନ୍ୟତମ ଆୟୋଜକ ୱେଷ୍ଟଇଣ୍ଡିଜ୍ ମଧ୍ୟ ତା’ର ପୁରୁଣା ଚମକ ଫେରିପାଇବା ଲକ୍ଷ୍ୟରେ ରହିବ।

ରବିବାରର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଆମେରିକା ପଡ଼ୋଶୀ କାନାଡାକୁ ଭେଟୁଥିଲା ବେଳେ ଦ୍ବିତୀୟରେ ଅନ୍ୟତମ ଆୟୋଜକ ୱେଷ୍ଟଇଣ୍ଡିଜ୍ ଓ ପାପୁଆ ନ୍ୟୁଗିନି ମୁହାଁମୁହିଁ ହେଉଛନ୍ତି। ଫଟାଫଟ୍ କ୍ରିକେଟ୍‌ର ଏହି ମହାକୁମ୍ଭକୁ ନେଇ କ୍ରିକେଟ୍ ଜଗତ ବେଶ୍ ଚଳଚଞ୍ଚଳ ରହିଛି। ସବୁ ନଜର କିନ୍ତୁ ରହିଛି ଭାରତୀୟ କ୍ରିକେଟ୍ ଦଳ ଉପରେ। ଭାରତ ଗତ ୧୭ବର୍ଷ ହେବ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତି ନାହିଁ, ସେଥିପାଇଁ ଏଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଟ୍ରଫି ମରୁଡ଼ି ଦୂର ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଭାରତୀୟ ଦଳ ତିନିଟି ପର୍ଯ୍ୟାୟରେ ଆମେରିକା ଯାଇଥିଲା ବେଳେ ଶେଷ ଖେଳାଳି ଭାବେ ବିରାଟ କୋହଲି ଦଳ ସହ ଯୋଗ ଦେଇଛନ୍ତି। ଦଳରେ ଥିବା ଖେଳାଳିମାନେ ବ୍ୟକ୍ତିଗତ ଭାବେ ଆଇପିଏଲ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ବିଶ୍ବକପ୍‌ରେ ଦଳଗତ ଭାବେ ଏହି ସଫଳତା ଦୋହରାଇବେ ବୋଲି ସମର୍ଥକ ଆଶା ରଖିଛନ୍ତି। ତେବେ ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଏହି କ୍ଷତି ଭରଣା କରିବା ଲାଗି ଭାରତ ପାଖରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ଭାରତ ୨୦୦୭ରେ ପ୍ରଥମ ଓ ଶେଷ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା। ବିଶ୍ବକପ୍‌ର ସେହି ପ୍ରଥମ ସଂସ୍କରଣରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥି‌ଲେ। ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ନେତୃତ୍ବରେ ପାକିସ୍ତାନକୁ ହରାଇ ଭାରତ ବିଶ୍ବକପ୍ ଜିତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଭିଜ୍ଞ ବିରାଟ ‌କୋହଲିଙ୍କର ଏହା ଆପାତତଃ ଶେଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ହୋଇଥିବାରୁ ଟ୍ରଫି ଜିତି ଏହାକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଉଭୟ ରହିବେ।

ଦୁଇଟି ଉଦ୍‌ଘାଟନୀ ଉତ୍ସବ
ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍ ଆମେରିକାର ଡାଲସସ୍ଥିତ ଗ୍ରାଣ୍ଡ ପାଇରେ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ସକାଳ ୬ଟାରୁ ଆରମ୍ଭ ହେବ। ଟସ୍ ପଡ଼ିବା ପୂର୍ବରୁ ୧୦ ମିନିଟ୍ ଧରି ଉଦ୍‌ଘାଟନୀ ଉତ୍ସବ ଚାଲିବ। ସେହିଭଳି ୱେଷ୍ଟଇଣ୍ଡିଜ୍‌ର ଜର୍ଜଟାଉନ୍‌ସ୍ଥିତ ଗାଏନା ଜାତୀୟ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ୮ଟାରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ସେଠାରେ ମଧ୍ୟ ପୃ୍‌ଥକ ଭାବେ ଆ‌ଉ ଏକ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ୱେଷ୍ଟଇଣ୍ଡିଜ୍‌ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ତ୍ରିନିଦାଦ୍‌ର ଲୋକପ୍ରିୟ ଗାୟକ ଡେଭିଡ୍ ରୁଡରଙ୍କ ସହ ଏର୍ଫାନ ଅଲଭିସ୍, ଡିଜେ ଅନ୍ନା, ରବି ଭି.ଙ୍କ ଭଳି କଳାକାର ସଂଗୀତ ପରିବେଷଣ କରିବେ। ଆମେରିକା ଉତ୍ସବରେ ଯୋଗଦେବାକୁ ଥିବା କଳାକାରଙ୍କ ବିବରଣୀ ଆଇସିସି ପ୍ରକାଶ କରିନାହିଁ।

୧୫ କିଲୋ କମିଛନ୍ତି ସୂର୍ଯ୍ୟ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳିବା ସହ ଭଲ ପ୍ରଦର୍ଶନ କରିବା ଲାଗି ସୂର୍ଯ୍ୟକୁମାର ୟାଦବ ଯେ କେତେ ପରିଶ୍ରମ ଓ ଯୋଜନା କରିଛନ୍ତି ଏହା କହିଲେ ଲମ୍ବା କାହାଣୀ ହୋଇଯିବ। ଆଜିକାଲି ସୂର୍ଯ୍ୟ ପତଳା ଓ ଫିଟ୍‌ ହୋଇଯାଇଛନ୍ତି। ସ୍ପୋର୍ଟସ ହାର୍ଣ୍ଣିଆ ଅସ୍ତ୍ରୋପଚାର ପରଠାରୁ ସେ ୧୨ରୁ ୧୪ କିଲୋଗ୍ରାମ ଓଜନ୍‌ ହ୍ରାସ କରାଇଛନ୍ତି। କଠୋର ଡାଏଟ୍ ଯୋଜନା କାରଣରୁ ଏହା ସମ୍ଭବ ହୋଇଛି ବୋଲି ଜଣାପଡ଼ିଛି। ବିଶ୍ବର ଏହି ଏକ ନମ୍ବର ଟ୍ବେଣ୍ଟି-୨୦ ବୋଲର୍‌ ଗତ ଡିସେମ୍ବରରେ ଗୋଇଠି ଅପରେସନ୍ କରିବା ପରେ ପ୍ରାୟ ୪ ମାସ ହେବ କ୍ରିକେଟଠାରୁ ଦୂରେଇ ରହିଥିଲେ। ମାଇଣ୍ଟ୍ ଇୟୋର ଫିଟ୍‌ନେସ୍‌ର ପ୍ରତିଷ୍ଠାତା ତଥା ଜଣାଶୁଣା ଡାଏଟିସିଆନ୍‌ ଶ୍ବେସ୍ଥା ଭାଟିଆ ହିଁ ସୂର୍ଯ୍ୟଙ୍କୁ ଫିଟ୍‌ କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଜୋରଦାର ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିସନିଂ ତାଲିମ ସୂର୍ଯ୍ୟଙ୍କ କ୍ରମବର୍ଦ୍ଧିଷ୍ଣୁ ମୋଟାପଣକୁ ହଟାଇଛି ବୋଲି ମଧ୍ୟ କୁହାଯାଇଛି।

ଆମେରିକୀୟଙ୍କୁ କ୍ରିକେଟ୍ ଶିଖାଇଲେ ଯୁବି
ଆମେରିକାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜିତ ହେଉଥିଲେ ମଧ୍ୟ କ୍ରିକେଟ୍ ସେଠାରେ ସେତେଟା ଲୋକପ୍ରିୟ ନୁହେଁ। ଏଣୁ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଯୁବରାଜ ସିଂହ କିଛି ଆମେରିକୀୟ କ୍ରିକେଟ୍‌ପ୍ରେମୀଙ୍କୁ କ୍ରିକେଟ୍ ଶିଖାଉଥିବା ଦେଖିବାକୁ ମିଳିଛି। ଲୋକପ୍ରିୟ ଆମେରିକୀୟ ଟେଲିଭିଜନ୍ କାର୍ଯ୍ୟକ୍ରମ ‘ଗୁଡ୍ ମର୍ଣ୍ଣିଂ ଆମେରିକା’ରେ ଉପସ୍ଥାପକ ମାଇକେଲ୍ ଆନ୍ଥୋନୀ ଷ୍ଟ୍ରାହନ୍ ଏବଂ ଚର୍ଚ୍ଚିତ ପାଣିପାଗ ଖବର ପରିବେଷଣକାରୀ ସାମ୍ ଚାମ୍ପମ୍ୟାନ୍‌ଙ୍କ ସହ ଯୋଗଦେଇ ଯୁବରାଜ ଦର୍ଶକମାନଙ୍କୁ କ୍ରିକେଟ୍ ଓ ବେସବଲ୍ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ। ସେହିଭଳି ‌ଅଧିକରୁ ଅଧିକ ସଂଖ୍ୟାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍ ଦେଖିବାକୁ ଆମେରିକୀୟଙ୍କୁ ଆହ୍ବାନ କରିଥିଲେ।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button