୫୦ କୋଟିର ଚିଟ୍ଫଣ୍ଡ ଠକେଇ: ମୋହନକୁ ବାନ୍ଧିଲା ଇଓଡବ୍ଲ୍ୟୁ – Kalinga News

[ad_1]
ଭୁବନେଶ୍ବର: ମାସିକ ୨୬ ପ୍ରତିଶତ ସୁଧହାରର ଲୋଭ ଦେଖାଇ ପାଖାପାଖି ୨୦୦୦ ଜମାକାରୀଙ୍କୁ ଚୂନ ଲଗାଇ ୫୦ କୋଟି ଟଙ୍କା ଠକିନେଇଥିବା ଧୂର୍ତ୍ତ ଚିଟ୍ଫଣ୍ଡ ଲୁଟେରା ମୋହନ ପରିଡ଼ାକୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ତାକୁ ଗିରଫ କରାଯିବା ପରେ ଓପିଆଇଡି ଆଇନ ବଳରେ କଟକ ଡେଜିଗ୍ନେଟେଡ୍ କୋର୍ଟରେ ହାଜର କରାଯାଇଥିଲା। ଠକେଇ, ଜାଲିଆତି ଭଳି ବିଭିନ୍ନ ଦଫା ସହ ଓପିଆଇଡି ଆଇନ ଦଫା ୪, ୫, ୬ ପ୍ରାଇସ୍ ଚିଟ୍ ଆଣ୍ଡ୍ ମନି ସର୍କୁଲେସନ୍ ସ୍କିମ୍ (ପିସିଏମ୍ସିଏସ୍) ବ୍ୟାନିଂ ଆଇନରେ ତା’ ବିରୋଧରେ ସଂଗିନ୍ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତ ମୋହନର ପତ୍ନୀ ପୁଷ୍ପଲତା ବେଉରାଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି। ମୋହନର ଚିଟ୍ଫଣ୍ଡ ସଂସ୍ଥାରେ ପୁଷ୍ପଲତା ନିର୍ଦ୍ଦେଶକ ଥିବାରୁ ସେ ମଧ୍ୟ ଏହି ଠକେଇରେ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର କଳିଙ୍ଗନଗରରେ ରହୁଥିବା ଚିତ୍ତରଞ୍ଜନ ପାଲ୍ଙ୍କ ଅଭିଯୋଗ ପରେ ଇଓଡବ୍ଲ୍ୟୁ ଏହି ମାମଲାର ଖୋଳତାଡ଼ କରିଥିଲା। ଚିତ୍ତରଞ୍ଜନଙ୍କ ଅଭିଯୋଗ ଅନୁସାରେ ସେ ଅଭିଯୁକ୍ତ ମୋହନର ସଂସ୍ଥାରେ ୪୪ ଲକ୍ଷ ୬୦ ହଜାର ଟଙ୍କା ବିନିଯୋଗ କରି ଠକେଇର ଶିକାର ହୋଇଥିଲେ। ମୋହନ ତାଙ୍କୁ ମାସିକ ୨୬ ପ୍ରତିଶତ ସୁଧହାର ସାଙ୍ଗକୁ ୨ ପ୍ରତିଶତ ବୋନସ୍ ଦେବାକୁ ଚୁକ୍ତି କରିଥିଲା। କିନ୍ତୁ ପରେ ସେ ସଂସ୍ଥା ବନ୍ଦ କରି ଅନ୍ତର୍ଧାନ ହୋଇଯାଇଥିଲା। ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିଯୋଗକାରୀ ଚିତ୍ତରଞ୍ଜନଙ୍କ ଭଳି ପାଖାପାଖି ୨୦୦୦ ଜମାକାରୀଙ୍କୁ ଚୂନ ଲଗାଇ ମୋହନ ପ୍ରାୟ ୫୦ କୋଟି ଟଙ୍କା ଠକେଇ କରିଛି।
ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ମୋହନ ଏମ୍ବିଏ ପାସ୍ କରିବା ପରେ ଵେ ଟୁ ଆଡ୍ ଇଣ୍ଡିଆ ନାଁରେ ଏକ ସଂସ୍ଥା କରି ମୋବାଇଲ, ଡିଟିଏଚ୍, ଏୟାର୍ ଟିକେଟ୍, ବସ୍ ଟିକେଟ୍ ଓ ଏଫ୍ଏମ୍ସିଜି ପ୍ରଡକ୍ଟ ରିଚାର୍ଜ ସର୍ଭିସ୍ କାରବାର କରୁଥିଲା। ରସୁଗଲଗଡ଼ସ୍ଥିତ ପ୍ରାଚୀବିହାରରେ କାର୍ଯ୍ୟାଳୟ ଖୋଲି ସେ ଏହି ବ୍ୟବସାୟ ଆରମ୍ଭ କରିଥିଲା। ୨୦୨୨ ରୁ ୨୦୨୩ ମଧ୍ୟରେ ଏହି ସଂସ୍ଥା ବିପୁଳ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଆଉ ଦୁଇଟି ଯୋଜନା କରିଥିଲା। ଅଟୋପୁଲ୍ ପ୍ୟାକେଜ୍ ଓ ବୁଷ୍ଟିଂ ପ୍ୟାକେଜ୍ ନାଁରେ ଦୁଇଟି ସ୍କିମ୍ କରି ଟଙ୍କା ସଂଗ୍ରହ କରିବାକୁ ବ୍ଲୁ ପ୍ରିଣ୍ଟ୍ କରିଥିଲା। ଟଙ୍କା ବିନିଯୋଗର ତିନି ମାସ ପର୍ଯ୍ୟନ୍ତ ମାସିକ ସର୍ବାଧିକ ୨୬ ପ୍ରତିଶତ ସୁଧହାରରେ ଅର୍ଥ ମିଳିବ ବୋଲି ଜମାକାରୀଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲା। ଏଥିସହିତ ନୂଆ ସଭ୍ୟ ବା ଜମାକାରୀ ଯୋଡ଼ିଲେ ୨ ପ୍ରତିଶତ ବୋନସ୍ର ବ୍ୟବସ୍ଥା କରାଯାଇଥିଲା। ଜଣେ ଜମାକାରୀଙ୍କୁ ପ୍ରଥମେ ୨୫୦୦ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ୁଥିଲା ଏବଂ ଏହା ସଭ୍ୟ ଫି’ ହିସାବରେ ଜମାକାରୀଙ୍କୁ ଫେରସ୍ତ କରାଯାଉନଥିଲା। ଏହି ଟଙ୍କାରେ ଜମାକାରୀଙ୍କୁ ଏକ ଆୟୁର୍ବେଦିକ କିଟ୍ ପ୍ରଦାନ କରାଯାଉଥିଲା।
ଏମିତିରେ ସେ ସଭ୍ୟ ସଂଗ୍ରହ କରିବା ପରେ ସେମାନଙ୍କୁ ଅଟୋପୁଲ୍ ପ୍ୟାକେଜ୍ ଓ ବୁଷ୍ଟିଂ ପ୍ୟାକେଜ୍ରେ ଟଙ୍କା ବିନିଯୋଗ କରିବାକୁ କହୁଥିଲା। ଏଥିରେ ବିନିଯୋଗ ଅର୍ଥରୁ ମାସିକ ୨୬ ପ୍ରତିଶତ ହାରରେ ସୁଧ ମିଳିବ ବୋଲି କୁହାଯାଇଥିଲା। ଅଭିଯୋଗକାରୀ ଚିତ୍ତରଞ୍ଜନ ଏହି ଦୁଇ ସ୍କିମ୍ରେ ୪୪ ଲକ୍ଷ ୬୦ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ସେ ଏହି ସଂସ୍ଥାର ଆର୍ଥିକ କାରବାର ପାଇଁ ଆର୍ବିଆଇ ବା ସେବିର ଅନୁମତି ଥିଲା କି ନାହିଁ, ଯାଞ୍ଚ କରି ନ ଥିଲେ। ପ୍ରକୃତରେ ଠକିବା ଲକ୍ଷ୍ୟରେ ଏଭଳି ସ୍କିମ୍ ଚଳାଇଥିବା ଧୂର୍ତ୍ତ ମୋହନ ଆର୍ବିଆଇ କିମ୍ବା ସେବି ନିକଟରୁ ଅନୁମତି ପାଇ ନ ଥିଲା। କିନ୍ତୁ ମୋହନ ତା’ ସଂସ୍ଥାକୁ କଟକସ୍ଥିତ ରେଜିଷ୍ଟ୍ରାର୍ ଅଫ୍ କମ୍ପାନି(ଆର୍ଓସି)ରେ ପଞ୍ଜୀକୃତ କରାଇଥିଲା। ଚେନ୍ ସିଷ୍ଟମ୍ରେ ପାଖାପାଖି ୨୦୦୦ ଜମାକାରୀ ବା ସଭ୍ୟ ହୋଇଯିବା ପରେ ହଠାତ୍ ମୋହନ ଅଫିସ ବନ୍ଦ କରି ଅନ୍ତର୍ଧାନ ହୋଇଯାଇଥିଲା।
[ad_2]