ରାଜନୀତି

ଲୋକଙ୍କ ମତକୁ ନେଇ ବିକାଶ ତ୍ବରାନ୍ବିତ ହେଉଛି: ଅଶୋକ ପଣ୍ଡା – Kalinga News

[ad_1]

ପ୍ରାର୍ଥୀଙ୍କୁ ୫ ପ୍ରଶ୍ନ

ଏକାମ୍ରରେ ଚତୁର୍ଥ ଥର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା। ୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ଲଗାତାର ୧୦ ବର୍ଷ ଧରି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି।

 ଆପଣ ଚତୁର୍ଥ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ମୁଖ୍ୟ ପ୍ରସଙ୍ଗ କ’ଣ ରହିବ?
୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ନୂଆ କରି ଗଠନ ହେବା ପରେ ମୋ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କରି ଦଳୀୟ ଟିକେଟ ଦେଇଥିଲେ। ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସମର୍ଥନରେ ମୁଁ ବିଜୟୀ ହୋଇଥିଲି। ଲୋକଙ୍କ ଆଶା, ଭରସାକୁ ବଜାୟ ରଖି ଏକାମ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସବୁବେଳେ ଚେଷ୍ଟା କରିଛି। ମୁଁ ଓ ଆମ ଦଳ ସବୁବେଳେ ଲୋକଙ୍କ ସହ ରହିଛି। ଲୋକଙ୍କ ମତାମତକୁ ଭିତ୍ତି କରି ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ଆଗକୁ ତାହା ଜାରି ରହିବ। ବିଜେଡିର ନିର୍ବାଚନୀ ଇସ୍ତାହାରରେ ଆମେ ଆମର ପ୍ରମୁଖ ପ୍ରତିଶ୍ରୁତି ସବୁ ସ୍ଥାନ ଦେଇସାରିଛୁ।
 ଏକାମ୍ରର ମୁଖ୍ୟ ସମସ୍ୟା କ’ଣ ଥିଲା, ଏହାକୁ ସମାଧାନ ପାଇଁ ଆପଣ କ’ଣ କରିଛନ୍ତି?
ମୁଁ ଏଇଠାରେ ଜନ୍ମ ହୋଇଛି, ବଡ଼ ହୋଇଛି। ଏଠାରେ ପୁରୁଣା ସହର ସହ ଆଧୁନିକ ସହରର ମିଶ୍ରଣ ହୋଇଛି। ଏଠାରେ କ’ଣ ସମସ୍ୟା ଓ ଆବଶ୍ୟକତା ରହିଛି, ତାହାକୁ ଛୋଟ ବେଳୁ ଦେଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସହଯୋଗରେ ଏକାମ୍ରରେ ଆଖିଦୃଶିଆ ରୂପାନ୍ତରଣ ହୋଇଛି। ଏକାମ୍ର ପ୍ରକଳ୍ପ ସବୁଠାରୁ ବଡ଼ ଉପଲବ୍ଧି। ବରମୁଣ୍ଡା ବସଷ୍ଟାଣ୍ଡ୍‌ର ନବକଳେବର ହୋଇସାରିଛି। ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଦୟାନଦୀ ବ୍ୟାରେଜ୍‌ କାମ ଏବଂ ବହୁ ପ୍ରତୀକ୍ଷିତ ଗଙ୍ଗୁଆ ବ୍ରିଜ୍‌ରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ୫୩ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକାମ୍ରର ବିଭିନ୍ନ ଅଞ୍ଚଳରେ ପିଇବା ପାଣି, ରାସ୍ତାଘାଟ ପରି ମୌଳିକ ସମସ୍ୟା ଅନେକାଂଶରେ ସମାଧାନ ହୋଇଛି।

ଏକାମ୍ର ପ୍ରକଳ୍ପକୁ ନେଇ ଭୁବନେଶ୍ବରିଆ ଗର୍ବ ଅନୁଭବ କରିବେ

 ଏକାମ୍ର ପ୍ରକଳ୍ପର ସ୍ଥିତି କ’ଣ?
ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସାରା ଓଡ଼ିଶାରୁ ଲୋକ ଆସୁଥିବାରୁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକ ଥିଲା। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଗ୍ରହ ନେଇ ଏଠାରେ ଏକାମ୍ର ପ୍ରକଳ୍ପ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦିଓ ବିରୋଧୀ ଦଳ ଏହାକୁ ଅଟକାଇବାକୁ ଉଦ୍ୟମ କରିଥିଲେ, ସେଥିରେ ସଫଳ ହୋଇନାହାନ୍ତି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପ୍ରତିଟି ଭୁବନେଶ୍ବରିଆ ଏହାକୁ ନେଇ ଗର୍ବ ଅନୁଭବ କରିବେ।
 ସରକାରୀ ଚାକିରି ଛାଡ଼ି ରାଜନୀତିରେ ୧୫ ବର୍ଷ ରହିଲେଣି। କେମିତି ଅନୁଭବ କରୁଛନ୍ତି?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ହାତ ଧରି ମୋତେ ରାଜନୀତିକୁ ଆଣିଛନ୍ତି। ମୁଁ ମଧ୍ୟ ତାଙ୍କ ଭରସା ରଖି ଲୋକଙ୍କ ସେବା ପାଇଁ ଦିନରାତି କାମ କରିଛି। ମୁଁ ଦୂରଦର୍ଶନରେ ଚାକିରି କରୁଥିଲା ବେଳେ ଲୋକଙ୍କ ସମସ୍ୟାକୁ ନିକଟରୁ ଦେଖି ତାହାକୁ ସରକାରଙ୍କ ନଜରକୁ ଆଣୁଥିଲି। ଏବେ ସିଧାସଳଖ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଛି। ମୁଁ ଏଥିରେ ବହୁତ ଖୁସି।
 ଏକାମ୍ରକୁ ନେଇ ଆଗାମୀ ଦିନରେ କି ସ୍ବପ୍ନ ଦେଖୁଛନ୍ତି?
ଏକାମ୍ର ନିର୍ବାଚନମଣ୍ଡଳୀରେ ସବୁ ବର୍ଗର ଲୋକ ଯେପରି ସୁଖ ସ୍ବାଚ୍ଛନ୍ଦ୍ୟରେ ରହିପାରିବେ, ସେଥି ପାଇଁ ମୁଁ ଉଦ୍ୟମରତ। ଏହି ଅଞ୍ଚଳରେ ବର୍ଷାଦିନେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯିବ। ଗଙ୍ଗୁଆ ନାଳର ପୁନରୁଦ୍ଧାର ସହ ଦୟା ୱେଷ୍ଟ କେନାଲ୍‌ର ନବୀକରଣ ପାଇଁ ପ୍ରାରମ୍ଭିକ କାମ ହୋଇସାରିଛି। ସବୁ ଅଞ୍ଚଳକୁ ୨୪ ଘଣ୍ଟିଆ ପାଣି ଯୋଗାଣ ଦିଗରେ ଅଗ୍ରଗତି ହୋଇଛି। ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ବିକାଶ ଏକ ନିରନ୍ତର ପ୍ରକ୍ରିୟା। ତାହା ଚାଲିଛି… ଚାଲିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button