ଛେତ୍ରୀଙ୍କ ଅବସର: ଜୁନ୍ ୬ରେ ଶେଷ ମ୍ୟାଚ୍ – Kalinga News
[ad_1]
ନୂଆଦିଲ୍ଲୀ: ତାରକା ଭାରତୀୟ ଫୁଟ୍ବଲ୍ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଜୁନ୍ ୬ ତାରିଖରେ କୁଏତ୍ ବିପକ୍ଷରେ ଭାରତର ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଅବସର ଘୋଷଣା କରିବା ଅବସରରେ ଛେତ୍ରୀ କହିଛନ୍ତି, ‘‘ମୁଁ କ୍ଲାନ୍ତ ହୋଇ ନାହିଁ କିମ୍ବା କିଛି ଭାବିକି ଏହା କରୁନି। ଯେତେବେଳେ ମୋ ମନଭିତରୁ ଆସିଲା ଯେ, ଏହା ମୋର ଶେଷ ମ୍ୟାଚ୍ ହେବା ଉଚିତ। ବହୁତ ଚିନ୍ତା କରିଥିଲି ଓ ଶେଷରେ ଏହି ନିଷ୍ପତ୍ତିରେ ପହଞ୍ଚିଥିଲି।’’
Sambad is now on WhatsApp
Join and get latest news updates delivered to you via WhatsApp
ଅବସର ଘୋଷଣା ବେଳେ ଛେତ୍ରୀ କହିଛନ୍ତି, ଗତ ଦେଢରୁ ଦୁଇ ମାସ ମଧ୍ୟରେ ସେ ଅବସର ବିଷୟରେ ଚିନ୍ତା କରିଥିଲି। ପ୍ରତ୍ୟେକ ମ୍ୟାଚ୍ରେ ଏ ବିଷୟରେ ଭାବିଥିଲି। ଏହି ମ୍ୟାଚ୍ ନା ପରବର୍ତ୍ତୀ ମ୍ୟାଚ୍ ମୋର ଶେଷ ମ୍ୟାଚ୍ ହେବ କି ବୋଲି ନିଜକୁ ପ୍ରଶ୍ନ କରିଥିଲି। ଯେବେ ଗୋଟିଏ ମ୍ୟାଚ୍କୁ ଧାର୍ଯ୍ୟ କରି ଅବସର ନେବାକୁ ନିଜେ ନିଜକୁ ହଁ କରିଥିଲି, ସେହି ମ୍ୟାଚ୍ ମୋର ଶେଷ ଆନ୍ତର୍ଜାତିକ ମ୍ୟାଚ୍ ହେବାକୁ ଯାଉଛି। ‘‘ନିଷ୍ପତ୍ତି ନେବା ବେଳକୁ ପ୍ରତ୍ୟେକ ମ୍ୟାଚ୍, ପ୍ରଶିକ୍ଷକ, ଦଳ, ସାଥୀ ଖେଳାଳି, ପଡ଼ିଆ, ବ୍ୟକ୍ତିଗତ ପ୍ରଦର୍ଶନ ଇତ୍ୟାଦି ବିଷୟରେ ବହୁତ ଭାବିଥିଲି। ଅବସର ବିଷୟରେ ମା, ବାପା ଓ ପତ୍ନୀଙ୍କୁ ଜଣାଇଥିଲି। ବାପା ଏହା ଜାଣିବା ପରେ ସ୍ବାଭାବିକ ଥିଲେ। ଏହା ଜାଣି ସେ ଆଶ୍ବସ୍ତ ହେବା ସହ ବହୁତ ଖୁସି ହୋଇଯାଇଥିଲେ। କିନ୍ତୁ ମା’ ଓ ପତ୍ନୀ କାନ୍ଦିବାକୁ ଲାଗିଥିଲେ। କ’ଣ ପାଇଁ ସେମାନଙ୍କ ଆଖିରେ ଲୁହ ଆସିଥିଲା, ମୋତେ ଜଣାଇ ନଥିଲେ।’’
ଭାରତୀୟ ଫୁଟ୍ବଲ୍ର ଗୋଟ୍
୨୦୦୫ ଜୁନ୍ ୧୨ ତାରିଖରେ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଛେତ୍ରୀ ଏହି ମ୍ୟାଚ୍ରେ ହିଁ ଭାରତ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ବର୍ତ୍ତମାନସୁଦ୍ଧା ବିଶ୍ବର ସକ୍ରିୟ ଅଗ୍ରଣୀ ଗୋଲ୍ ସ୍କୋରରଙ୍କ ମଧ୍ୟରେ ଛେତ୍ରୀ ତୃତୀୟ ସ୍ଥାନରେ ଅଛନ୍ତି। ୧୫୦ ମ୍ୟାଚ୍ରୁ ଛେତ୍ରୀ ୯୪ ଗୋଲ୍ ଦେଇ ଭାରତର ସର୍ବକାଳୀନ ମହାନ ଖେଳାଳି (ଗୋଟ୍) ହୋଇ ପାରିଛନ୍ତି। ସକ୍ରିୟ ଖେଳାଳିଙ୍କ ମଧ୍ୟରୁ ଆର୍ଜେଣ୍ଟିନାର ଲିଓନେଲ୍ ମେସି (୧୦୬ ଗୋଲ୍, ୧୮୦ ମ୍ୟାଚ୍) ଓ ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୨୮ ଗୋଲ୍, ୨୦୫ ମ୍ୟାଚ୍) ତାଙ୍କ ଉପରକୁ ଅଛନ୍ତି। ଏପରିକି ଭାରତ ପାଇଁ ମଧ୍ୟ ସବୁଠୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଛେତ୍ରୀ ହିଁ ଖେଳିଛନ୍ତି। ୨୦୦୮ ଏଏଫ୍ସି ଚ୍ୟାଲେଞ୍ଜ କପ୍, ୨୦୧୧ ଓ ୨୦୧୫ ସାଫ୍ ଚାମ୍ପିଅନ୍ସିପ୍, ୨୦୦୭, ୨୦୦୯ ଓ ୨୦୧୨ ନେହରୁ କପ୍ ଏବଂ ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ରେ ଭାରତକୁ ସେ ବିଜେତା କରାଇଥିଲେ। ତାଙ୍କ ନେତୃତ୍ବରେ ଭାରତ ୫ ବର୍ଷ ପରେ ୨୦୨୩ରେ ଶୀର୍ଷ ୧୦୦ ମାନ୍ୟତା ଛୁଇଁପାରିଥିଲା। ୭ଥର ପାଇଁ ସେ ଏଆଇଏଫ୍ଏଫ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ୨୦୧୧ରେ ଅର୍ଜୁନ ପୁରସ୍କାର ଓ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।
କ୍ଲବ୍ କ୍ୟାରିୟର
ଛେତ୍ରୀଙ୍କ ଫୁଟ୍ବଲ୍ ଯାତ୍ରା ୨୩ ବର୍ଷ ତଳେ ସିଟି କ୍ଲବ୍ ଦିଲ୍ଲୀରୁ ଆରମ୍ଭ ହୋଇଥିଲା। ୨୦୦୧ ଓ ୨୦୦୨ରେ ଏହି କ୍ଲବ୍ ତରଫରୁ ଖେଳିବା ପରେ ଆଗକୁ ଭାରତୀୟ ଫୁଟବଲ୍ରେ ବାଇଚୁଙ୍ଗ ଭୂତିଆଙ୍କ ସ୍ଥାନ ନେଇପାରିଥିଲେ। କ୍ଲବ୍ କ୍ୟାରିୟରରେ ମୋହନବାଗାନ, ଜେସିଟି, ଇଷ୍ଟବେଙ୍ଗଲ, ଡେମ୍ପୋ, କନ୍ସାସ୍ ସିଟି ୱିଜାର୍ଡ୍ସ, ଚିରାଗ ୟୁନାଇଟେଡ୍, ସ୍ପୋର୍ଟିଂ ସିପି, ଚର୍ଚ୍ଚିଲ ବ୍ରଦର୍ସ, ବେଙ୍ଗାଲୁରୁ ଏଫ୍ସି, ମୁମ୍ବାଇ ସିଟି ତରଫରୁ ଖେଳିଛନ୍ତି। ବର୍ତ୍ତମାନ ସେ ଆଇଏସ୍ଏଲ୍ରେ ବେଙ୍ଗାଲୁରୁ ସିଟି ତରଫରୁ ଖେଳୁଛନ୍ତି। ଛେତ୍ରୀ ମୋଟ୍ ୫୫୦ କ୍ଲବ୍ ମ୍ୟାଚ୍ରୁ ୨୫୩ ଗୋଲ୍ ସ୍କୋର କରିଛନ୍ତି। ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ନେଉଥିଲେ ମଧ୍ୟ କ୍ଲବ୍ ଫୁଟ୍ବଲ୍ ଜାରି ରଖିବେ।
କିଏ କ’ଣ କହିଲେ…
ଛେତ୍ରୀଙ୍କ ଅବସର ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି। ବନ୍ଧୁ ତଥା ତାରକା କ୍ରିକେଟ୍ର ବିରାଟ କୋହଲି ତାଙ୍କୁ ଅବସର ଜୀବନ ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ପାଇଁ ଗର୍ବିତ ବୋଲି ଲେଖିଛନ୍ତି। ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜାଭଲିନ୍ କିଂବଦନ୍ତି ନୀରଜ ଚୋପ୍ରା ତାଙ୍କ ଅଧିନାୟକତ୍ବ ଅନେକଙ୍କୁ ପ୍ରେରଣା ଦେଇଥିବା କହିଛନ୍ତି। ଭାରତୀୟ କ୍ରୀଡ଼ାରେ ତାଙ୍କ ପ୍ରଭାବକୁ କେବେ ବି ହଟାଯାଇପାରିବନି ବୋଲି ଉଲ୍ଲେଖ କରିଛନ୍ତି। ଏଆଇଏଫ୍ଏଫ୍ ସଭାପତି କଲ୍ୟାଣ ଚୌବେ ଏଭଳି ଅଚାନକ ଅବସରକୁ ଗ୍ରହଣ କରିପାରି ନାହାନ୍ତି। ଛେତ୍ରୀ ଆହୁରି କିଛି ବର୍ଷ ଖେଳନ୍ତୁ ବୋଲି ସେ ଆଶା ରଖିଥିଲେ। ତଥାପି ତାଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଦେଇଥିବା କହିଛନ୍ତି। ଏମାନଙ୍କ ବ୍ୟତୀତ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ, ପୂର୍ବତନ ପ୍ରଶିକ୍ଷକ ସୁଖବିନ୍ଦର ସିଂହ, ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଆଇଏମ୍ ବିଜୟନ୍, ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ମହେଶ ଗାୱାଲି, ମହିଳା ଦଳର ପୂର୍ବତନ ଅଧିନାୟିକା ପଦ୍ମଶ୍ରୀ ଓନମ୍ ବେମ୍ବେମ୍ ଦେବୀଙ୍କ ସହିତ ଆହୁରି ଅନେକ କ୍ରୀଡ଼ାପ୍ରେମୀ ତାଙ୍କ ପରବର୍ତ୍ତୀ ଜୀବନ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
[ad_2]