ଅପରାଧ

ନିଆଁ ଲଗାଇଲା ରାଜନୀତି: ଖଲ୍ଲିକୋଟ ଥାନା ଘେରାଉ, ପୁଲିସ-ଜନତା ଖଣ୍ଡଯୁଦ୍ଧ – Kalinga News

[ad_1]

ଖଲ୍ଲିକୋଟ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସହର ବୁଧବାର ରାତିରୁ ଅଶାନ୍ତ ହୋଇପଡ଼ିଛି। ସାମାନ୍ୟ ପୋଷ୍ଟର୍‌ ଲଗାଇବାକୁ କେନ୍ଦ୍ର କରି ଗତକାଲି ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ପରେ ରକ୍ତପାତ ଘଟିଛି। ମୃତକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମର ରାମଚନ୍ଦ୍ର ପାହାନଙ୍କ ପୁଅ ଦିଲ୍ଲୀପ ପାହାନ। ଘଟଣା ପ୍ରଚାର ହେବା ପରେ ଗତକାଲି ରାତିରୁ ଜନତା ଓ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଳମ୍ବିତ ରାତିରେ ଶହ ଶହ ସଂଖ୍ୟାରେ ଜନତା ଓ ବିଜେପି ସମର୍ଥକ ଖଲ୍ଲିକୋଟ ଥାନାରେ ପହଞ୍ଚି ଦୋଷୀଙ୍କୁ ଗିରଫ ଦାବିରେ ଘେରାଉ କରିଥିଲେ। ଏହା ସହିତ କିଛି ଲୋକ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବାସଭବନ ସମ୍ମୁଖରେ ପହଞ୍ଚି ପଥରମାଡ଼ କରିଥିଲେ। ଧୀରେ ଧୀରେ ଏହି ଘଟଣା ଉଗ୍ରରୂପେ ନେଇଥିଲା। କିଛି ଲୋକ ଟେକାପଥର ମାଡ଼ କରି ବିଧାୟିକାଙ୍କ ଘର ବାହାରେ ରଖାଯାଇଥିବା ୩ଟି କାର୍‌ର କାଚ ଓ କିଛି ବାଇକ୍‌ ଭାଙ୍ଗି ଗୁଣ୍ଡ କରି ଦେଇଥିଲେ। ଆଜି ଭୋର୍‌ରୁ ହଜାର ହଜାର ସଂଖ୍ୟାରେ ଜନତା ଖଲ୍ଲିକୋଟ ଥାନା ଘେରାଉରେ ସାମିଲ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଥାନାକୁ ଚାରିପଟୁ କବ୍‌ଜା କରି ରଖିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗତରାତି ଆକ୍ରମଣରେ ଜଡ଼ିତ ୮ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ସେମାନଙ୍କୁ କୋର୍ଟ ଚାଲାଣ ବେଳେ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଥାନା ଘେରାଉ କରିଥିବା ଜନତା ପୁଲିସ ଗାଡ଼ି ଛାଡ଼ି ନଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ଜନତାଙ୍କ ମଧ୍ୟରେ ଛକାପଞ୍ଝା, ଖଣ୍ଡଯୁଦ୍ଧ ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼, ପାଣିବୋତଲ ମାଡ଼ କରିଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟ ନେଉଥିବା ଭ୍ୟାନ୍‌ କାଚ ଭାଙ୍ଗି ଦେଇଥିଲେ। ପୁଲିସ ଲାଠିଚାର୍ଜ କଲା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବଡ଼ କଷ୍ଟରେ ପୁଲିସ କଡ଼ା ସୁରକ୍ଷାରେ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା।

ପୁଲିସ ସୂଚନା ଅନୁସାରେ, ଶ୍ରୀକୃଷ୍ଣଶରଣପୁର ଗ୍ରାମର ରାମଚନ୍ଦ୍ରଙ୍କ ପୁଅ ଦିଲ୍ଲୀପ ଓ ତାଙ୍କର ସମ୍ପର୍କୀୟ ଅଭିମନ୍ୟୁ ପାହାନ, ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ ହେଉଛନ୍ତି ବିଜେପି ସମର୍ଥକ। ସେହିପରି ଗାଁର ସୁଦର୍ଶନ ପାହାନ ଓରଫ୍‌ ମାଣ୍ଢା ଓ ତାଙ୍କର ୧୨/୧୫ ସହଯୋଗୀ ବିଜେଡି ସମର୍ଥକ। ସାଧାରଣ ନିର୍ବାଚନ ପାଇଁ ଗତକାଲି ଉଭୟ ଗୋଷ୍ଠୀ ଗାଁରେ ନିଜ ନିଜ ଦଳର ପୋଷ୍ଟର୍‌ ଲଗାଉଥିଲେ। ବିଜେପି ଗୋଷ୍ଠୀର ବାପୁଜୀ ଓ କିଛି ସହଯୋଗୀ ଗାଁର ସ୍କୁଲ କାନ୍ଥରେ ପୋଷ୍ଟର୍‌ ମାରୁଥିବା ବେଳେ ବିଜେଡି ସମର୍ଥକ ସୁଦର୍ଶନ ସେମାନଙ୍କୁ ମନାକରିଥିଲେ। ଏହାପରେ ବାପୁଜୀ ଘଟଣା ସମ୍ପର୍କରେ ତାଙ୍କର ଜ୍ବାଇଁପୁଅ ଦିଲ୍ଲୀପଙ୍କୁ ଜଣାଇଥିଲେ। ରାତି ପ୍ରାୟ ୮ଟା ବେଳେ ଦିଲ୍ଲୀପ ତାଙ୍କର ଦୋକାନ ବନ୍ଦ କରି ସୁଦର୍ଶନଙ୍କ ଘରକୁ ଯାଇ ପୋଷ୍ଟର୍‌ ଲଗାଇବାକୁ କାହିଁକି ମନା କଲ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ସୁଦର୍ଶନ ଓ ଦିଲ୍ଲୀପଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପାଟିତୁଣ୍ଡ ଶୁଣି ସୁଦର୍ଶନଙ୍କ କିଛି ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ଖଣ୍ଡା, କାତିରେ ସଜ୍ଜିତ ହୋଇ ଆସିଥିଲେ ଓ ଦିଲ୍ଲୀପଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏ ଖବର ପାଇ ଦିଲ୍ଲୀପଙ୍କ ବାପା ରାମଚନ୍ଦ୍ର, ଅଭିମନ୍ୟୁ, ଜିତେନ୍ଦ୍ର, ବାପୁଜୀ ଓ ରଂଜିତ ସ୍ବାଇଁ ଘଟଣାସ୍ଥଳକୁ ଆସିଥିଲେ। ଏହା ଦେଖି ସେମାନଙ୍କୁ ମଧ୍ୟ ବିରୋଧୀ ଗୋଷ୍ଠୀ ଆକ୍ରମଣ କରିଥିଲେ। ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଜିତେନ୍ଦ୍ର ଗୁରୁତର ଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଭିମନ୍ୟୁ ଓ ବାପୁଜୀ ଚିକିତ୍ସାଧୀନ ରହିଛନ୍ତି। ଏହି ଘଟଣାରେ ବିରୋଧୀ ଗୋଷ୍ଠୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀପଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଖଲ୍ଲିକୋଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶ୍ରୀକୃଷ୍ଣଶରପୁର ଗ୍ରାମରୁ ଶତାଧିକ ଲୋକ ଆସି ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାତିସାରା ସେମାନେ ଥାନା ଆଗରେ ବସି ରହିଥିଲେ। ଖଲ୍ଲିକୋଟ ବିଜେପି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ସେଠାରେ ରହିଥିଲେ। ସେ ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଦୋ‌‌ଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ଆସିକା ବିଜେପି ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କ ସମେତ ଅନେକ ବିଜେପି ନେତା ଥାନାକୁ ଯାଇଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ବନମାଳୀ ପ୍ରଧାନ ଓରଫ୍‌ ବାନା, କୁମର ତରାଇ, ସମୀର ସାହୁ, ଶ୍ରୀକାନ୍ତ ପ୍ରଧାନ, ମନୁ ତରାଇ, କନ୍ଧ ତରାଇ, ମନୋଜ କୁମାର ପ୍ରଧାନ ଓ ଦୀପକ ନାହାକ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ମଧ୍ୟ ଖଲ୍ଲିକୋଟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ଏଣୁ ପୁଲିସ ଖଲ୍ଲିକୋଟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହିତ ଯାଞ୍ଚ କଡ଼ାକଡ଼ି କରିଛି।

ପଥରମାଡ଼ରେ ପୁଲିସ ଆହତ, ପାଲଟା ଲାଠିମାଡ଼
୮ ଗିରଫଙ୍କୁ କୋର୍ଟ ଚାଲାଣ ବେଳେ ଭ୍ୟାନ୍‌ ଭାଙ୍ଗିଦେଲେ
ବିଧାୟିକାଙ୍କ ଘର ଆଗରେ ବିରୋଧୀଙ୍କ ତାଣ୍ଡବ

ପୋଲସରାରେ ଯୁବ ବିଜେଡି ନେତାଙ୍କୁ ଗୁଳି

ପୋଲସରା: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଓ ଛକାପଞ୍ଝା ପ୍ରଶାସନର ଚିନ୍ତା ବଢ଼ାଇଛି। ଗତକାଲି ରାତିରେ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ସଂଘଟିତ ହିଂସାରେ ଜଣେ ବିଜେପି କର୍ମୀ ନିହତ ହୋଇଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବି ନବିତୁଣୁ, ପୋଲସରାରେ ଆଜି ଜଣେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼ ଉତ୍ତେଜନା ସୃଷ୍ଟି କରିଛି। ପୋଲସରା ଏନ୍‌ଏସିର କଲେଜ ତୋଟାସାହିରେ ଦୁର୍ବୃତ୍ତମାନେ ଗଣେଶ ଖଟେଇ (୨୬)ଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ଗୁଳିଟି ତାଙ୍କ ବେକ ଦେଇ ଯିବା ସହ ଡାହାଣ କାନରେ ଆଘାତ ଲାଗିଛି। ପୋଲସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମଠସାହିର ବାସିନ୍ଦା ଗଣେଶ ତାଙ୍କ ବୁଲେଟ୍‌‌ରେ ସକାଳ ୧୧ଟାରେ କୌଣସି କାମରେ ବାହାରକୁ ଯାଇ ତୋଟାସାହି ଫେରୁଥିଲେ। ଏହି ସମୟରେ ଚାରିଜଣ ଯୁବକ ମୁହଁରେ ମୁଖା ପିନ୍ଧି ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ବିଏସ୍‌ଏନ୍‌ଏଲ୍‌ ଟାୱାର୍ ନିକଟରେ ତାଙ୍କୁ ଅଟକାଇ ୨ ରାଉଣ୍ଡ୍ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗଣେଶଙ୍କୁ ସେଠାରୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୋଟିଏ ବ‌ୁଲେଟ୍, ଗୋଟିଏ ବାଇକ୍, ଚଷମା, ମାସ୍କ୍ ଓ ୪ଟି ଖୋକା ଜବତ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ରାଜନୈତିକ ବିବାଦ ନୁହେଁ, ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button