ସ୍ବାତୀ ମଲିୱାଲ ମାମଲାରେ ପ୍ରଶ୍ନର ଉତ୍ତର ଦେଲେନି କେଜ୍ରିୱାଲ – Kalinga News

[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଣ୍ଡିଆ ମେଣ୍ଟର ଅନ୍ୟ ଜଣେ ସହଯୋଗୀ ତଥା ସପା (ସମାଜବାଦୀ ପାର୍ଟି) ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲଙ୍କୁ ସ୍ବାତି ମଲିୱାଲ ମାମଲାରେ ଏକ ପ୍ରଶ୍ନ କରାଯାଇଥିଲା କିନ୍ତୁ କେଜ୍ରିୱାଲ କୌଣସି ଉତ୍ତର ଦେଇନଥିଲେ। ଏହି ସମୟରେ ସପା ସୁପ୍ରିମୋ ଅଖିଳେଶ ଯାଦବ କହିଥିଲେ ଏହାଠାରୁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି। କେଜ୍ରିୱାଲଙ୍କ ସହକର୍ମୀ ତଥା ଆପ୍ ନେତା ସଂଜୟ ସିଂହ ମାଇକ୍ ନେଇ କେଜ୍ରିୱାଲଙ୍କୁ କରାଯାଇଥିବା ପ୍ରଶ୍ନର ଜବାବ ଦେଇଥିଲେ। ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ବିଜେପି ନିରବ ରହିଥିବା ସଂକ୍ରାନ୍ତରେ କେତେକ ଉଦାହରଣ ଦେଇ ସଂଜୟ ସିଂହ କହିଛନ୍ତି, ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଏବଂ ବିଜେପି ମେଣ୍ଟ ସହଯୋଗୀ ଦଳର ନେତା ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲା ସମ୍ପର୍କରେ କୁହ। ଆମ ରେସଲର ଝିଅମାନେ ଯେତେବେଳେ ନ୍ୟାୟ ପାଇଁ ଜନ୍ତର ମନ୍ତରରେ ଲଢ଼ୁଥିଲେ ସେ ସମୟରେ ମହିଳା କମିସନ୍ ଅଧ୍ୟକ୍ଷା ସ୍ବାତୀ ମଲିୱାଲ ସେମାନଙ୍କୁ ସମର୍ଥନ କରି ପୁଲିସ ହାତରୁ ମାଡ଼ ଖାଇଥିଲେ। ସେ ସମୟରେ ବିଜେପି କାହିଁକି ଚୁପ୍ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସଂଜୟ ସିଂହ କହିଛନ୍ତି, ଆମ୍ ଆଦମୀ ପାର୍ଟି ହେଉଛି ଏକ ପରିବାର। ଦଳ ଏହାର ମତ ସ୍ପଷ୍ଟ କରିସାରିଛି ଏବଂ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଏହା କହିବାକୁ ଚାହୁଛି ଯେ ମୁଁ ଉଠାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ମିଳିବା ଉଚିତ। ଏହାକୁ ନେଇ ରାଜନୀତି ନକରିବାପାଇଁ ସେ କହିଛନ୍ତି।
[ad_2]